ଟ୍ରାକରେ ପୁଣି ଚମକିଲେ ଓଡିଆ ଝିଅ ଦୂତୀ ଚାନ୍ଦ । ୫୯ତମ ଓପନ ଜାତୀୟ ଚାମ୍ପିଅନସିପରେ ଦେଖାଇଲେ କମାଲ, ୨୦୦ ମିଟର ଦୌଡରେ ଜିତିଲେ ସ୍ୱର୍ଣ୍ଣ ପଦକ ।

380

କନକ ବ୍ୟୁରୋ : ରାଞ୍ଚିରେ ଚାଲିଥିବା ଜାତୀୟ ଓପନ ଦୌଡ଼କୁଦରେ ଦୂତି ଚାନ୍ଦ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ଦୂତି ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବା ସହ ଜାତୀୟ କୀର୍ତ୍ତିମାନ କରିଥିଲେ । ଏହାପରେ ରବିବାର ୨୦୦ ମିଟର ଦୌଡ଼ରେ ଦୂତି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ଦୂରତାକୁ ସେ ୨୩.୧୭ ସେକେଣ୍ତ ସମୟ ନେଇ ଅତିକ୍ରମ କରିବାରେ ସଫଳ ହୋଇଥିଲେ । ଏହାକୁ ମିଶାଇ ଓଡ଼ିଶାର ମୋଟ ପଦକ ସ˚ଖ୍ୟା ୩ରେ ପହଞ୍ଚିଛି । ଦୂତିଙ୍କ ବ୍ୟତୀତ ଅମିୟ କୁମାର ମଲ୍ଲିକ ପୁରୁଷ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ରବିବାର ମହିଳା ୨୦୦ ମିଟରରେ ଦୁତିଙ୍କ ପଛକୁ ତାମିଲନାଡୁର ଅର୍ଚ୍ଚନା ସୁସିନ୍ଦ୍ରନ୍‌ ୨୩.୪୧ ସେକେଣ୍ତରେ ରୌପ୍ୟ ଓ ରେଳବାଇର ଚନ୍ଦ୍ରଲେଖ ଆନନ୍ଦନ୍‌ ୨୩.୭୪ ସେକେଣ୍ତ କା˚ସ୍ୟ ପଦକ ଜିତିଥିଲେ ।

ଏହି ଦୌଡ଼କୁଦ ପ୍ରତିଯୋଗିତାରେ ଦୂତି ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ ବିବେଚିତ ହୋଇଛନ୍ତି । ଏଠାରେ ସେ ୧୦୦ ମିଟର ଦୌଡ଼ରେ ନୂଆ କୀର୍ତ୍ତିମାନ ସହ ମୋଟ ୧୧୫୨ ପଏଣ୍ଟ ହାସଲ କରିଥିଲେ । ତାଙ୍କ ବ୍ୟତୀତ ପୁରୁଷ ବର୍ଗର ସଟ୍‌ ପୁଟରେ ତାଜିନ୍ଦର ସି˚ହ ଟୁର ୧୧୭୬ ପଏଣ୍ଟ ଅର୍ଜନ କରି ଶ୍ରେଷ୍ଠ କ୍ରୀଡ଼ାବିତ୍‌ ବିବେଚିତ ହୋଇଛନ୍ତି । ପୁରୁଷ ବିଭାଗରେ ସର୍ଭିସେସ୍‌ ୧୭୪ ପଏଣ୍ଟ, ମହିଳାରେ ରେଳବାଇ ୨୧୯.୫ ପଏଣ୍ଟ ପାଇ ବିଜେତା ହୋଇଥିଲେ । ରେଳବାଇ ଦଳଗତ ଭାବେ ମୋଟ ୨୬୪.୫ ପଏଣ୍ଟ ପାଇ ଶୀର୍ଷରେ ରହିଥିଲା ।