ଇଣ୍ଡୋନେସିଆରେ ଦୂତିଙ୍କ ପରୀକ୍ଷା : ଏସୀୟ କ୍ରୀଡାରେ ଟ୍ରାକକୁ ଓହ୍ଲାଇବେ ଓଡିଆ ଝିଅ ଦୂତି ଚାନ୍ଦ

34

କନକ ବ୍ୟୁରୋ : ଆଜି ଇଣ୍ଡୋନେସିଆରେ ଦୂତିଙ୍କ ପରୀକ୍ଷା । ଏସୀୟ କ୍ରୀଡାରେ ଟ୍ରାକକୁ ଓହ୍ଲାଇବେ ଓଡିଆ ଆଥଲେଟ୍ ଦୂତି ଚାନ୍ଦ । ଭାରତୀୟ ସମୟ ଅନୁସାରେ ସଂଧ୍ୟାରେ ୧୦୦ ମିଟର ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଯୋଗିତାରେ ଦୂତୀ ଟ୍ରାକକୁ ଓହ୍ଲାଇବେ । ଏଥିପାଇଁ ଦୂତି ଯୋରଦାର ପ୍ରାକ୍ଟିସ୍ କରୁଥିବା ବେଳେ ପୂର୍ବ ରେକର୍ଡ ଅପେକ୍ଷା ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି । ଏସିୟ କ୍ରୀଡାରେ ଆଜିଠାରୁ ଦୌଡକୁଦ ପ୍ରତିଯୋଗିତା ଆରମ୍ଭ ହେବ । ୪ ବର୍ଷ ତଳେ ବିବାଦୀୟ ପରିସ୍ଥିତିରେ ଥିବା ଦୂତି ଏସୀୟ କ୍ରୀଡାରୁ ବଂଚିତ ହୋଇଥିଲେ । ତେବେ ଚଳିତ ବର୍ଷ ଟ୍ରାକକୁ ଫେରିଛନ୍ତି ଦୂତି ।

୪ ବର୍ଷ ତଳେ ବିବାଦୀୟ ପରିସ୍ଥିତିରେ ବଞ୍ଚିତ ହେବା ପରେ ଦୂତି ଏବେ ସବୁ ପ୍ରତିବଂଧକକୁ ପଛରେ ପକାଇଛନ୍ତି । ଦୂତିଙ୍କ ୧୦୦ ମିଟର ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ସମୟ ସଂଧ୍ୟା ୬ଟାରେ ଆୟୋଜିତ ହେବ । ଶନିବାରଠାରୁ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଥିବା ବେଳେ ଦୂତିଙ୍କ ସହିତ ଜାଭଲିନ୍ ତାରକା ନୀରଜ ଚୋପ୍ରା ଏବଂ ସଦ୍ୟ କନିଷ୍ଠ ବିଶ୍ୱକପ୍ ସ୍ୱର୍ଣ୍ଣ ପଦକ ବିଜୟିନୀ ହୀମା ଦାସଙ୍କ ଉପରେ ମଧ୍ୟ ନଜର ରହିବ। ଗତଥର ଭାରତ ୫୭ ପଦକ ଜିତିଥିବା ବେଳେ ଦୌଡ଼କୁଦର ଅବଦାନ ଥିଲା ୧୩ । ଭାରତ କେବେ ବି ଏସିଆଡ୍ରେ ଜାଭଲିନ୍ ସ୍ୱର୍ଣ୍ଣ ପଦକ ଜିତିନଥିବାରୁ ନୀରଜ ଇତିହାସ ରଚିବା ଆଶା ରହିଛି । କିନ୍ତୁ ଏହା ଏତେ ସହଜ ହେବ ନାହିଁ । ଅଗଷ୍ଟ ୨୭ ତାରିଖରେ ଫାଇନାଲ୍ ଖେଳାଯିବ । ଅନ୍ୟ ଖେଳାଳିଙ୍କ ମଧ୍ୟରୁ ମହମ୍ମଦ ଆନସ, ସୀମା ପୁନିଆ ଏବଂ ଜିନ୍ସନ୍ ଜନ୍ସନ୍ଙ୍କଠାରୁ ମଧ୍ୟ ଆଶା ରହିଛି ।