୪ ଗୁଣା ୧୦୦ ରିଲେରେ ଉଜ୍ଜଳ ହେଉଛି ଦୁତୀ ଓ ଶ୍ରାବଣୀଙ୍କ ଆଶା : ୧୧ରେ ଚୂଡାନ୍ତ ନିଷ୍ପତି

42

କନକ ବ୍ୟୁରୋ : ପୁଣି ଓଡିଆ ମହିଳା ଧାବିକାଙ୍କ କମାଲ । ୪ ଗୁଣା ୧୦୦ ରିଲେ ରେସରେ ଭାରତୀୟ ମହିଳା ଦଳ ଜାତୀୟ ରେକର୍ଡ କରିଛନ୍ତି । ଏହି ଦଳରେ ରହିଛନ୍ତି ଓଡିଶାର ଦୁଇ ମହିଳା ଧାବକ ଦୁତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ । ସେମାନଙ୍କ ଅନ୍ୟ ଦୁଇ ସାଥି ଥିଲେ ଏଚଏମ ଜ୍ୟୋତି ଓ ମର୍ଲିନ ଜୋସେଫ । କାଜାକସ୍ତାନ ଜାତୀୟ ଅଥଲେଟିକ୍ସ ମିଟରରେ ସେମାନେ ଏହି ସଫଳତା ଆଣିଛନ୍ତି । ସେମାନେ ୪୩ .୪୨ ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରି ରେକର୍ଡ କରିଛନ୍ତି । ଗତ ମେ ମାସରେ ବେଜିଂରେ ୪୪.୦୩ ସେକେଣ୍ଡର ରେକର୍ଡ ସେମାନଙ୍କ ନାଁରେ ଥିଲା । କାଜାକସ୍ଥାନ ମିଟରରେ ରୌପ୍ୟ ପଦକ ପାଇବା ସହ ଭାରତୀୟ ରିଲେ ଦଳ ଅଲିମ୍ପିକ୍ସ ପାଇଁ ଆଶା ସୃଷ୍ଟି କରିଛନ୍ତି ।

ଏହି ୪ ଗୁଣା ୧୦୦ ରିଲେରେ ଜୋସେଫ ଆରମ୍ଭ କରିଥିବା ବେଳେ ତାଙ୍କ ପଛରେ ରହିଥିଲେ ଜ୍ୟୋତି ଓ ଶ୍ରାବଣୀ ଏବଂ ଫାଇନାଲ ଲେଗରେ ରହିଥିଲେ ଦୂତୀ । ଘରୋଇ କାଜାକସ୍ତାନ ଏହି ଚାମ୍ପିଅନସିପରେ ୪୨.୯୨ ସେକେଣ୍ଡ ଟାଇମିଂ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛି । ସେପଟେ ଭାରତୀୟ ପୁରୁଷ ରିଲେ ଦଳ ଏହି ଚାମ୍ପିଅନସିପରେ ୩୯.୯୦ ସେକେଣ୍ଡ ଟାଇମିଂ ସହ ଚାମ୍ପିଅନ ହୋଇଛନ୍ତି । ଏହି ଭାରତୀୟ ଦଳରେ ଜ୍ୟୋତି ଶଙ୍କର, କୃଷ୍ଣକୁମାର ରାଣେ, ବିଦ୍ୟା ସାଗରଙ୍କ ସହ ଓଡିଆ ଧାବକ ଅମିୟ କୁମାର ମଲ୍ଲିକ ରହିଛନ୍ତି । ଜୁଲାଇ ୧୦ ଓ ୧୧ରେ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ଇଣ୍ଡିଆନ ଗ୍ରାଣ୍ଡ ପିକ୍ସରେ ମୁକାବିଲା କରିବେ । ଏହା ପରେ ହିଁ ରିଓ ଅଲିମ୍ପିକ୍ସ ନେଇ ଭାରତୀୟ ମହିଳା ଦଳର ଚୂଡାନ୍ତ ନିଷ୍ପତି ଜଣାପଡିବ ବୋଲି ସୂଚନା ମିଳିଛି ।