ପୂଜା ପଣ୍ଡାଲରେ ହକି ଫିଭର । କଳିଙ୍ଗ ଷ୍ଟାଡ଼ିୟମ ସଦୃଶ ତୋରଣ ଦେଖିବାକୁ ଦର୍ଶକଙ୍କ ଭିଡ଼ ।

40

କନକ ବ୍ୟୁରୋ: ଧରାପୃଷ୍ଠରେ ମା’ ଜଗତଜନନୀଙ୍କ ପୂଜାର୍ଚ୍ଚନା ଧୂମଧାମରେ ଚାଲିଛି । କେଉଁଠି ହଙ୍ଗେରୀର ପାର୍ଲିଆମେଣ୍ଟ ତ ଆଉ କେଉଁଠି ହୀରାକୁଦ ଡ଼୍ୟାମର ସୁଉଚ୍ଚ ତୋରଣ ଶ୍ରଦ୍ଧାଳୁଙ୍କ ମନ ମୋହୁଛି । ଅନ୍ୟ ସହରମାନଙ୍କ ପରି ଇସ୍ପାତ ନଗରୀ ରାଉରକେଲାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ଦୁର୍ଗା । ପୂଜାମଣ୍ଡପଗୁଡିକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଇ ଦିଆଯାଇଛି ।

ସହରର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସେକ୍ଟର-୭ ପୂଜା କମିଟି ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ଢ଼ାଂଚାରେ ନିର୍ମିତ ତୋରଣ । ବିଶ୍ୱକପ୍ ହକି ଓ ଭାରତୀୟ ଦଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପୂଜା କମିଟି ପକ୍ଷରୁ ହୋଇଛି ଏପରି ଅଭିନବ ପ୍ରୟାସ । କଳିଙ୍ଗ ଷ୍ଟାଡିୟମ ଓ ହକି ପଡିଆର ଅବିକଳ ଢ଼ାଂଚାରେ ତୋରଣ ସାଙ୍ଗକୁ ପୂର୍ବତନ ଏବଂ ବର୍ତମାନର ଆନ୍ତର୍ଜାତୀୟ ଖେଳାଳିଙ୍କୁ ଫଟୋ ଗ୍ୟାଲେରୀରେ ସ୍ଥାନ ଦିଆଯାଇଛି ।

ଅନ୍ୟପଟେ ମଣ୍ଡପ ଗୁଡିକ ମଧ୍ୟରୁ ସେକ୍ଟର-୧ ପୂଜା କମିଟି ପକ୍ଷରୁ ନିର୍ମିତ ହଙ୍ଗେରୀ ପାର୍ଲାମେଂଟ ଢ଼ାଂଚାରେ ତୋରଣକୁ ଦେଖିବାକୁ ଦର୍ଶକଙ୍କ ସୁଅ ଛୁଟିଛି । ଏହା ସହିତ ତୋରଣ ସମ୍ମୁଖରେ ବ୍ରାହ୍ମଣୀ ରେଲୱେ ବ୍ରିଜ୍ ଟ୍ରେନ୍ ଦୁର୍ଘଟଣାରେ କାଉଡିଆଙ୍କ ମୃତ୍ୟୁ ଘଟଣାର ପ୍ରତିକୃତି ନିର୍ମାଣ କରାଯାଇଛି । ଏହାକୁ ଦେଖିବା ଲାଗି ଦର୍ଶକଙ୍କ ଭିଡ ଜମୁଛି । ସେହିପରି ପୂଜା କମିଟିର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ହକି ବିଶ୍ୱକପରେ ଭାରତୀୟ ଖେଳାଳିଙ୍କୁ ଶୁଭେଛା ଜ୍ଞାପନ କରି ଦଳର ସଫଳତା କାମନା କରିଛନ୍ତି ଶ୍ରଦ୍ଧାଳୁ ।