ଅମୃତସର ରେଳ ଦୁର୍ଘଟଣାରେ ନୂଆ ମୋଡ ! ରେଲୱେ ଟ୍ରାକ୍ ନିକଟରେ ରାବଣ ପୋଡି ପାଇଁ ପୋଲିସ ଦେଇଥିଲା ଅନୁମତି ।

49

ପଞ୍ଜାବର ଅମୃତସର ଠାରେ ହୋଇଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣାରେ ଆସିଛି ନୂଆ ମୋଡ । ଏହି ଘଟଣାରେ ରେଳ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ନିଜକୁ ନିର୍ଦ୍ଦୋଶ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ସତ କିନ୍ତୁ ସତ୍ୟତା ହେଉଛି କି, ଦଶହରା କମିଟି ପୋଲିସ ପ୍ରଶାସନକୁ ସୁରକ୍ଷା ବ୍ୟବସ୍ଥା ପାଇଁ ଚିଠି ଲେଖିଥିଲା । ଆଉ ସବୁଠାରୁ ବଡ କଥା ହେଉଛି ପୋଲିସ ମଧ୍ୟ ଦଶହରା କାର୍ଯ୍ୟକ୍ରମ କରିବା ପାଇଁ କମିଟିକୁ ଅନୁମତି ଦେଇଥିଲା । ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଦଲଜୀତ ସିଂହ ଦଶହରା କମିଟିକୁ ଦେଇଥିବା ଜବାବରେ କହିଥିଲେ ଯେ, ଦଶହରା କାର୍ଯ୍ୟକ୍ରମ ଆୟୋଜନ କରିବାରେ ପୋଲିସର କୌଣସି ଆପତ୍ତି ନାହିଁ ।

କମିଟି ପକ୍ଷରୁ ଦିଆଯାଇଥିବା ଚିଠି ସାମ୍ନାକୁ ଆସିବା ପରେ ଜଣାପଡିଛି ଯେ, ଦଶହରା କମିଟି ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ଉତ୍ସବର ଆୟୋଜନ ପାଇଁ ସୂଚନା ଦିଆଯାଇଥିଲା ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ଦାବି କରାଯାଇଥିଲା । କିନ୍ତୁ ଏନଓସି ଦେବା ପରେ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳରେ ଶୁକ୍ରବାର ପୋଲିସ ଉପସ୍ଥିତି ନଜର ଆସିନଥିଲା । ଆଉ ଏହାରି ମଧ୍ୟରେ ଘଟିଯାଇଥିଲା ଏକ ଛାତି ଥରା ଦୁର୍ଘଟଣା ।

ତେବେ ଅମୃତସର ନଗର ନିଗମ ପକ୍ଷରୁ ସେଠାରେ ରାବଣ ପୋଡି ଉତ୍ସବ ଆୟୋଜନ ପାଇଁ ଅନୁମତି ଦିଆଯାଇନଥିବା ଜଣାପଡିଛି । ତେବେ ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଧୁମଧାମରେ ସେଠାରେ ରାବଣ ପୋଡି ଉତ୍ସବର ଆୟୋଜନ କରାଯାଇଥିଲା । ଅମୃତସରର ଏହି ବଡ ଦୁର୍ଘଟଣାକୁ ନେଇ ଏପର୍ଯ୍ୟନ୍ତ ଏହି ସୂଚନା ସାମ୍ନାକୁ ଆସୁଥିଲା ଯେ, ପ୍ରଶାସନ ପକ୍ଷରୁ ସେଠାରେ ରାବଣ ପୋଡି ଉତ୍ସବ ଆୟୋଜନ ପାଇଁ ଅନୁମତି ଦିଆଯାଇନଥିଲା । ଏହା ପରେ ମଧ୍ୟ ରାବଣ ପୋଡି ଉତ୍ସବ ଆୟୋଜନ ହୋଇଥିଲା । କିନ୍ତୁ ଏହି ଖବର ଏବେ ମିଥ୍ୟା ବୋଲି ଜଣାପଡିଛି । ରାବଣ ପୋଡି ଉତ୍ସବ ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ଜଣାପଡିଛି ।