ଅନୀଲ୍ କପୁରଙ୍କୁ ସହି ପାରୁନଥିଲେ ସନ୍ନି ଦେଓଲ୍ : ସୁଟିଂ ସମୟରେ ତଣ୍ଟି ଚିପିବାକୁ କରିଥିଲେ ଚେଷ୍ଟା !

87

ସନ୍ନି ଦେଓଲଙ୍କ ନାଁ ଶୁଣିବା ମାତ୍ରେ ହିଁ ଦର୍ଶକଙ୍କ ମନରେ ଆପେ ଆପେ ଅନେକ ପ୍ରକାର ଛବି ତିଆରି ହୋଇଯାଇଥାଏ । ଏହି ସବୁ ଛବି ହେଉଛି ସିନେମାରେ ତାଙ୍କଦ୍ୱାରା ଅଭିନୟ କରାଯାଇଥିବା ଭୂମିକା । ଘାୟଲ୍ ,ଘାତକ, ଦାମିନୀ, ଗଦର ଏବଂ ଇଣ୍ଡିଆନ୍ ଭଳି ଅନେକ ସିନେମାରେ ସନ୍ନିଙ୍କ ଦମଦାର ଡାଇଲଗ୍ ଆଜି ବି ପ୍ରଶଂସକଙ୍କ ମୁହଁରେ । ରୂପେଲି ପରଦାରେ ଯଦିଓ ସନ୍ନି ରାଗ ଚରିତ୍ରରେ ନଜର ଆସନ୍ତି କିନ୍ତୁ ରିୟଲ୍ ଲାଇଫରେ ଖୁବ୍ ଶାନ୍ତ ସ୍ୱଭାବର ।

ସୁଟିଂ ସେଟରେ ସନ୍ନି ନିଜ କାମ କରି ଚୁପ୍ ଚାପ୍ ଚାଲିଯାଆନ୍ତି । ଆରମ୍ଭରୁ ହିଁ ସନ୍ନି କାହା ସହ ବେଶୀ ମିଶା ମିଶି କରିବାକୁ ପସନ୍ଦ କରନ୍ତିନି । କିନ୍ତୁ ସନ୍ନିଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ସେ ନିଜ ସାଥୀ କଳାକାରଙ୍କ ଉପରେ ଖୁବ୍ ଜୋରରେ ରାଗିଯାଇଥିଲେ । ତେବେ ଏହି ଅଭିନେତା ଆଉ କେହି ନୁହେଁ ବରଂ ଝାକାସ୍ କହୁଥିବା ଅନୀଲ୍ କପୁର୍ । ଉଭୟ ରାମ – ଅବତାର ଏବଂ ଜୋସିଲେ ପରି ସିନେମାରେ ଏକାଠି ଅଭିନୟ କରିସାରିଛନ୍ତି ।

ତେବେ ଉଭୟଙ୍କ ଏହି ତିକ୍ତତାର କାହାଣୀ ଆରମ୍ଭ ହୋଇଥିଲା ୧୯୮୯ରେ ସିନେମା ‘ଜୋସିଲେ’ ସମୟରେ । ସେ ସମୟରେ ସନ୍ନିଙ୍କ ଠାରୁ ବଡ ଷ୍ଟାର୍ ଥିଲେ ଅନୀଲ୍ କପୁର୍ । ତେଣୁ ଏହି ସିନେମାର କ୍ରେଡିଟ୍ ସବୁବେଳେ ଅନୀଲଙ୍କୁ ଦିଆଯାଉଥିଲା , ଯାହା ସନ୍ନିଙ୍କୁ ଖୁବ୍ ବିଚଳିତ କରିଥିଲା । ଧୀରେ ଧୀରେ ଏହି କଥା ସନ୍ନିଙ୍କ ମନରେ ଘର କରିଯାଇଥିଲା ।

ସେହି ବର୍ଷ ହିଁ ଉଭୟଙ୍କ ସିନେମା ରାମ -ଅବତାର ସିନେମା ଆସିବାର ଥିଲା । କିନ୍ତୁ ରାଗରେ ଅନୀଲଙ୍କ ସହ ସୁଟିଂ କରିବାକୁ ରାଜି ହୋଇନଥିଲେ ସନ୍ନି । କିନ୍ତୁ ନିର୍ଦ୍ଦେଶକଙ୍କ ଅନୁରୋଧରେ ରାଜି ହୋଇଥିଲେ । ଷ୍ଟାରଡଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିନେମାର ଗୋଟିଏ ସିନର ସୁଟିଂ ସମୟରେ ଅନୀଲ୍ କପୁରଙ୍କ ତଣ୍ଟି ଜୋରରେ ଚିପିବାକୁ ଲାଗିଥିଲେ ସନ୍ନି । ଏପରିକି ଅନୀଲ କିଛି କ୍ଷଣ ପାଇଁ ଅଣ ନିଶ୍ୱାସୀ ହୋଇଯାଇଥିଲେ । ନିର୍ଦ୍ଦେଶକ ଅନେକ ଥର କଟ୍ କହିବା ପରେ ବି ଅନୀଲଙ୍କୁ ଛାଡି ନଥିଲେ ସନ୍ନି ଦେଓଲ୍ । ପରିସ୍ଥିତି ଏପରି ହୋଇଥିଲା ଯେ ପୁରା ୟୁନିଟ୍ ସନ୍ନିଙ୍କଠାରୁ ଅନୀଲଙ୍କୁ ଛଡାଇବା ପାଇଁ ଚେଷ୍ଟା କରିଥିଲେ । ଆଉ ସଫଳ ମଧ୍ୟ ହୋଇଥିଲେ ।