ଆଜି ମଣ୍ଡପରେ ଧୁମଧାମରେ ପାଳନ ହେଉଛି ଅଷ୍ଟମୀ ପୂଜା ! ଦେବୀପୀଠରେ ଜମୁଛି ମହାନବମୀ, ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ

70

କନକ ବ୍ୟୁରୋ : ଆଜି ମହାଶକ୍ତିମୟୀ ମା ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା । ଉତ୍ସବ ଓ ଉତ୍ସାହର ନେଇ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମା । ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ । ପାରମ୍ପରିକ ରୀତିନୀତି ଅନୁସାରେ ପୂଜାମଣ୍ଡପ ଗୁଡିକରେ ଚାଲିଛି ପୂଜାର୍ଚ୍ଚନା । ଆଜି ମଣ୍ଡପରେ ଚଣ୍ଡୀପାଠ, ଦେବୀଙ୍କ ଷୋଡଶ ଉପଚାର ପୂଜା, ଚଣ୍ଡୀଚାମୁଣ୍ଡା ପୂଜା, ସନ୍ଧି ପୂଜା, ବଳିଦାନ, ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ଆଜି ମାନସିକଧାରୀମାନେ ମା’ ଦୁର୍ଗାଙ୍କ ଅଷ୍ଟମୀ ବ୍ରତ ରଖିଥାନ୍ତି । ସେପଟେ ଆଖି ଝଲସା ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ବିଭିନ୍ନ ପୂଜାମଣ୍ଡପ । ସେହିପରି କେତେକ ସ୍ଥାନରେ ଚାନ୍ଦି ଓ ସୁନାରେ ସଜେଇ ହୋଇଛି ମାଙ୍କ ମେଢ଼ । ଏହାକୁ ଦେଖିବାକୁ ଗାଁଠୁ ସହର ସବୁଠି ଉତ୍ସାହ ଦେଖିବାକୁ ମିଳିଛି ।

ମାଆ ଦୁର୍ଗାଙ୍କ ପୂଜା ପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମୁଖର । ଆଜି ମହାଶକ୍ତିମୟୀ ମା ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା ପାଳିତ ହେଉଛି । ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକାତା ସହରରେ ରଙ୍ଗ ବେରଙ୍ଗର ଆଲୋକ ସଜା ସାଙ୍ଗକୁ ସୁଦୃଶ୍ୟ ତୋରଣ ଆକର୍ଷଣର କେନ୍ଦ୍ର ପାଳଟିଛି ପାରମ୍ପରିକ ବଙ୍ଗୀୟ ରୀତିରେ ଅନୁଷ୍ଠିତ ହେଉଛି ମାଆଙ୍କ ଆରାଧନା । ସେପଟେ ରାଂଚିରେ ମହାଷ୍ଟମୀରେ ଅନୁଷ୍ଟିତ ହେଉଛି କୁମାରୀ ପୁଜା ଉତ୍ସବ । ମଣ୍ଡପରେ କୁଆରି କନ୍ୟାଙ୍କୁ ମାଆଙ୍କ ଅବତାର ଭାବେ ପୂଜା କରୁଛନ୍ତି ଶ୍ରଦ୍ଧାଳୁ ।

ମୁମ୍ବାଇ ସହରରେ ମଧ୍ୟ ବେଶ ଜାକଜମକରେ ପାଳିତ ହେଉଛି ଜଗତ୍ଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା । ବିଶାଳ ଓ ସୁସଜିତ ମେଢ ଭିତରେ ସଜେଇ ହୋଇଛନ୍ତି ମା ଦୁର୍ଗତୀ ନାଶିନୀ । ମାଆଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ବଲିଉଡ୍ ଓ ଟିଭି ଜଗତ ବହୁ କଳାକାର ମଧ୍ୟ ମାଆଙ୍କ ଆଶିର୍ବାଦ ପାଇଁ ମଣ୍ଡପକୁ ଆସୁଥିବା ଦେଖିବାକୁ ମିଳିଛି ।

India.com

ଶକ୍ତି ପୀଠଗୁଡିକରେ ମଧ୍ୟ ଦେଖିବାକୁ ମିଳୁଛି ଗହଳିଚହଳି । ଗୌହାଟି ସ୍ଥିତ ପ୍ରସିଦ୍ଧ ତନ୍ତ୍ର ପୀଠ କାମାକ୍ଷାମନ୍ଦିରରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଭୋରରୁ ଲମ୍ବା ଧାଡିରେ ଭକ୍ତ ଠିଆ ହୋଇଥିବା ଦେଖିବାକୁ ମିଳିଛି । ନବରାତ୍ରୀ ପୂଜା ଅବସରରେ ଅନ୍ୟ ଏକ ମୁଖ୍ୟ ଆକର୍ଷଣ ହେଉଛି ଦାଣ୍ଡିଆ । ଦେଶର ବିଭିନ୍ନ ସ୍ଥାନରେ ଦାଣ୍ଡିଆ ନାଚ ହେଉଥିବା ବେଳେ ତ୍ରିପୁରା, ସିଲିଗୁଡି ଆଦି ସ୍ଥାନରେ ଏହାର ମଜା ନେଉଛନ୍ତି ଲୋକେ ।