ପୂଜା ମଣ୍ଡପରେ ସପ୍ତମୀ,ଦେବୀପୀଠ ଗୁଡ଼ିକରେ ଆଜି ମହାଷ୍ଟମୀ : ମନମୋହୁଛି ତୋରଣ ଓ ଝଲସୁଛି ମେଢ଼

96

କନକ ବ୍ୟୁରୋ : ଧରାପୃଷ୍ଠରେ ମାଆଙ୍କ ଆବାହନ । ଆରମ୍ଭ ହୋଇଯାଇଛି ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା । ଆଜି ରୀତି ମୁତାବକ ପୀଠରେ ଦେବୀ ଦୁର୍ଗାଙ୍କ ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା ପାଳନ କରାଯାଉଛି । ମାଆଙ୍କ ଆଗମନରେ ସଜେଇ ହୋଇଛି ପୂଜା ମଣ୍ଡପ । ବଡ ବଡ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ମଣ୍ଡପ । ସେପଟେ ନବରାତ୍ରୀରେ ବିଭିନ୍ନ ପୀଠରେ ଚାଲିଛି ମାଙ୍କ ଷୋଡଶପୂଜା ଉପଚାର । ରାଜ୍ୟର ପ୍ରମୁଖ ଦେବୀପୀଠ ମାଆ ବିରଜା, ମାଆ ମଙ୍ଗଳା, ମାଆ ଶାରଳା, ମାଆ ତାରାତାରିଣୀ, ମାଆ କଟକ ଚଣ୍ଡୀ ଓ ମାଆ ତାରିଣୀଙ୍କ ନିକଟରେ ପାରମ୍ପରିକ ରୀତନୀତିିରେ ପୂଜାର୍ଚ୍ଚନା କରାଯାଉଛି । ଏଥିପାଇଁ ଦେବୀପୀଠଗୁଡ଼ିକରେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳିଛି ।

Visarjan ceremony of durga

ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ ବନଦୁର୍ଗା ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଏଥିପାଇଁ ମା’ଙ୍କୁ ସ୍ୱତନ୍ତ୍ର ଭାବେ ସଜାଇ ଦିଆଯାଇଛି । ମାଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ଶୃଙ୍ଖଳିତ ପୂଜାର୍ଚ୍ଚନା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସେହିପରି ଦଶହରା ଷୋଡ଼ଶପୂଜା ପାଇଁ ବନଦୁର୍ଗା ମନ୍ଦିରକୁ ଅତି ସୁନ୍ଦର ଭାବେ ସଜାଇ ଦିଆ ଯାଇଛି ।

ସେପଟେ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ଦେଖିବାକୁ ମିଳିଛି ପୂଜାର ଉତ୍ସାହ । ସମ୍ବଲପୁର ସହରରେ ମା’ଙ୍କ ଆଗମନରେ ସଜେଇ ହୋଇଛି ବିଭିନ୍ନ ପୂଜାମଣ୍ଡପ । ବଡ ବଡ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ମଣ୍ଡପ । ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚାଲିଛି ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ।