ମା’ଙ୍କୁ ମେଲାଣି : ଟ୍ୱିନସିଟିରେ ସାରା ରାତି ଚାଲିଲା ଭସାଣି, ଅପେକ୍ଷା ଆରବର୍ଷକୁ

221

କନକ ବ୍ୟୁରୋ : ଶେଷ ହେଲା ଶାରଦୀୟ ଦୁର୍ଗାପୂଜା । ଅନ୍ତିମ ପର୍ଯ୍ୟାୟରେ ମାଆ ନେଇଛନ୍ତି ମେଲାଣି । ବାଜା ଓ ସୁନ୍ଦର ଆଲୋକ ସଜ୍ଜାରେ ଦୁଲୁକିଛି ପୁରା ଓଡିଶା । ପାରମ୍ପରିକ ନାଚ, ଗୀତ ସହ ରଂଗାରଙ୍ଗ ପରିବେଶରେ ଦେବୀ ଦୁର୍ଗାଙ୍କୁ ବିଦାୟ ଦିଆଯାଇଛି । ହେଲେ ଦୈତନଗରୀ ଭୁବନେଶ୍ୱରର ଓ କଟକରେ ରାତି ସାରା ଭସାଣି ଚାଲିଥିଲା । ବିଳମ୍ବିତ ରାତି ଯାଏ ମାଆଙ୍କୁ ବିଦାୟ ଦେବାକୁ ଭିଡ ଜମିଥିଲା । 

କଟକର ଦେବୀଗଡ଼ାରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇ ସେଠାରେ ମୂର୍ତି ମାନଙ୍କ ବିସର୍ଜନ କରାଯାଉଛି । ସହରର ବିଭିନ୍ନ ସ୍ଥାନରେ ପୁଲିସର ୪୦ଟି ଆଉଟପୋଷ୍ଟ କରାଯାଇଛି । ଏହାସହ ଭିଡ଼ ଭିତରେ ବିଶୃଙ୍ଖଳା ରୋକିବାକୁ ୨ଟି ରାପିଡ ଆକ୍ସନ ଫୋର୍ସ ସମେତ ୫୭ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । କଟକର ସମସ୍ତ ମେଢ଼ ବିଭିନ୍ନ ସାହି ପରିକ୍ରମା କରି ଗୌରୀଶଙ୍କର ପାର୍କ ସାମ୍ନା ରାସ୍ତା ଦେଇ ଦେବୀଗଡ଼ାକୁ ଯାଇ ସେଠାରେ ମୂର୍ତି ବିସର୍ଜ୍ଜନ କରୁଛନ୍ତି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଭସାଣ ଉତ୍ସବ ଏବେବି ଜାରି ରହିଛି । 

ସେପଟେ ରାଜଧାନୀରେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରଯାଇ ସେଥିରେ ମୂର୍ତ୍ତି ବିସର୍ଜନ କରାଯାଇଛି । ଭୁବନେଶ୍ୱରରେ ୩ଟି ସ୍ଥାନରେ ନୟାପଲ୍ଲୀ, ସହିଦନଗର ଏବଂ ଚନ୍ଦ୍ରଶେଖରପୁର ଆରଟିଓ ପଡିଆରେ ମୂର୍ତ୍ତି ଏକାଠି ହେବା ପରେ ଭସାଣ ଉତ୍ସବ ଆରମ୍ଭ ହୋଇଥିଲା । ପୁଣି ଆସନ୍ତା ବର୍ଷ ମାଆଙ୍କ ଅଗାମନକୁ ଅପେକ୍ଷା ରଖି ମୃଣ୍ମୟୀ ମୃର୍ତ୍ତିକୁ ବିସର୍ଜନ କରାଯାଇଛି ।