ଦିନ କେଇଟା ପରେ ଧରାପୃଷ୍ଠକୁ ଆସିବେ ମା’ !  କୋଲକାତାରେ ଦୁର୍ଗାପୂଜା ପାଇଁ ସଜେଇ ହେଲାଣି ମଣ୍ଡପ, ଫିଲ୍ମ ପଦ୍ମାବତ ଷ୍ଟାଇଲରେ ନିର୍ମାଣ ହେଲା ତ୍ୱରଣ ।

62

କନକ ବ୍ୟୁରୋ : ଆସିଗଲାଣି ପାର୍ବଣଋତୁ । ଏବେ ମାଙ୍କ ମୁର୍ତ୍ତି ତିଆରିରେ ବ୍ୟସ୍ତ କାରିଗର । ପୂଜା ପେଣ୍ଡାଲ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ଲାଗି ପଡିଛନ୍ତି ପୂଜା କମିଟି । ଏମିତି ତ ଦେଶର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ହୋଇଥାଏ । ତେବେ ଆସନ୍ତୁ ନଜର ପକାଇନେବା କୋଲକାତାରେ କେମିତି ଚାଲିଛି ପୂଜା ପ୍ରସ୍ତୁତି ।

ପାର୍ବଣ ଋତୁରେ ମା’ଙ୍କ ଆଗମନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । କେଉଁଠି ପେଣ୍ଡାଲ ସଜା ଚାଲିଛି ତ ଅନ୍ୟ କେଉଁଠି ମା’ଙ୍କୁ ସଜାଯାଉଛି । ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ କୋଲକାତା ସହର ମଧ୍ୟ ମା’ଙ୍କ ଆଗମନ ନେଇ ହୋଇପଡ଼ିଛି ଚଳଚଂଚଳ । କୋଲକାତାର ମହମ୍ମଦ ଅଲ୍ଲୀ ଦୁର୍ଗା ପୂଜା ପେଣ୍ଡାଲରେ ଶେଷ ପର୍ଯ୍ୟାୟରେ ପହଂଚିଛି ପ୍ରସ୍ତୁତି । ପେଣ୍ଡାଲଟିକୁ ଦେଖିଲେ ଆପେ ଆପେ ପଦ୍ମାବତ ଫିଲ୍ମର କଥା ମନେ ପଡିଯାଉଛି । ପଦ୍ମାବତ ଫିଲ୍ମର ପୋର୍ଟ ଷ୍ଟାଇଲରେ ପ୍ରସ୍ତୁତ ହେଉଛି ଏହି ପେଣ୍ଡାଲ । କେବଳ ଏହି ପେଣ୍ଡାଲ ନୁହେଁ, କୋଲକାତାର ଅନ୍ୟ ପୂଜା ପେଣ୍ଡାଲ ଗୁଡ଼ିକ ମଧ୍ୟ ମାଙ୍କ ଆଗମନ ନେଇ ପ୍ରସ୍ତୁତ ହୋଇଗଲାଣି । ସୁସଜ୍ଜିତ ଆଲୋକ ମାଳାରେ ଝଲସୁଛି କୋଲକାତା ସହର । ପୂଜା କମିଟିମାନେ ପୂଜାକୁ ସରସ ସୁନ୍ଦର କରିବା ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ପୂଜାରେ ଗ୍ରାହକମାନଙ୍କୁ କେମିତି ଆକୃଷ୍ଟ କରିହେବ ସେନେଇ ମଧ୍ୟ ଯୋଜନା ହୋଇଛି । ପୂଜା ବଜାରକୁ ଆଖିରେ ରଖି ବିଭିନ୍ନ ଶୋରୁମ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ମଧ୍ୟ ରହିଛି । ଏହି ଅଫରକୁ ଏବେ ଶୁଭାରମ୍ଭ କରିଛନ୍ତି କୋଲକାତାର ଅତି ପରିଚିତ ଅଭିନେତା ଅଭିନେତ୍ରୀ । ଦଶହରାକୁ ଆଉ ଦିନ କେଇଟା ବାକି । ଧରାପୃଷ୍ଠକୁ ଆସିବେ ମା । ସେହି ମୁହୁର୍ତକୁ ଅପେକ୍ଷା କରିଛନ୍ତି ଖାଲି କୋଲକାତା କାହିଁକି ସମଗ୍ର ଦେଶବାସୀ ।