ଦୁର୍ଗା ବିସର୍ଜନ ବିବାଦରେ ହାଇକୋର୍ଟଙ୍କ ବୟାନ ! ହିନ୍ଦୁ-ମୁସଲିମ ମଧ୍ୟରେ ରେଖା ଟାଣନ୍ତୁ ନାହିଁ ମୁଖ୍ୟମନ୍ତ୍ରୀ

120

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ । ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା’ । କିନ୍ତୁ ଧରାପୃଷ୍ଠକୁ ଆସିବା ମା’ଙ୍କୁ ନେଇ ଆରମ୍ଭ ହେଲାଣି ରାଜନୀତି । ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ ପଶ୍ଚିମବଙ୍ଗରେ ଏହାର ଏକ ଝଲକ ଦେଖିବାକୁ ମିଳିଛି । ମା’ ଧରାପୃଷ୍ଠକୁ ଆସିବା ପୂର୍ବରୁ ତାଙ୍କ ବିସର୍ଜନ ନେଇ ଚିନ୍ତା କଲାଣି ରାଜ୍ୟ ସରକାର । ଚଳିତବର୍ଷ ଦୁର୍ଗା ଭସାଣି ଶୀଘ୍ର କରିବାକୁ ମମତା ସରକାର ନିଷ୍ପତି ନେଇଥିଲେ । ତେବେ ମମତାଙ୍କ ନିଷ୍ପତିକୁ ନେଇ ବିବାଦ ଉପୁଜିଥିଲା । ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା ।

mamata-banerjee-ଦୁର୍ଗା ବିସର୍ଜନକୁ ନେଇ ପଶ୍ଚିମବଙ୍ଗରେ ଲାଗି ରହିଥିବା ବିବାଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ବଡ ଝଟକା । ହାଇକୋର୍ଟ କହିଛନ୍ତି ହିନ୍ଦୁ – ମୁସଲିମ୍ ମଧ୍ୟରେ ଏକ ରେଖା ଟାଣନ୍ତୁ ନାହିଁ ମୁଖ୍ୟମନ୍ତ୍ରୀ । ଆଇନ ଶୃଙ୍ଖଳା ନାଁରେ ମୁର୍ତୀ ବିସର୍ଜନର ସମୟ ପରିବର୍ତନ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ଦୁର୍ଗା ପୂଜା ଏବଂ ମହରମକୁ ନେଇ ରାଜ୍ୟରେ କେବେବି ବିଶୃଙ୍ଖଳା ଦେଖା ଦେଇନି, ଉଭୟ ଧର୍ମକୁ ଏକାଠି ରହିବାକୁ ଦିଅନ୍ତୁ । ସେପ୍ଟେମ୍ବର ୩୦ରେ ଦୁର୍ଗା ଭସାଣି ପଡୁଛି ଏବଂ ମହରମ୍ ଅକ୍ଟୋବର ୧ ତାରିଖରେ । ସେଥିପାଇଁ ୩୦ ତାରିଖରେ ଭସାଣି ସମୟ ରାତି ୧୦ ପରିବର୍ତେ, ସନ୍ଧ୍ୟା ୭ଟା ଭାବେ ଧାର୍ଯ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ।

ତା ସହିତ ୧ ତାରିଖରେ କୌଣସି ଦୁର୍ଗା ପୂଜା ଭସାଣି ହେବ ନାହିଁ ବୋଲି ମମତା ନିଷ୍ପତି ନେଇଥିଲେ । ୧ ତାରିଖରେ ମହରମ ପଡୁଥିବାରୁ ୨ ତାରିଖରେ ଭସାଣି କରିବାକୁ ନିଦ୍ଦେðଶ ଦେଇଥିଲେ ମମତା ସରକାର । ଏନେଇ ମମତାଙ୍କ ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ।ମମତା ବାନାର୍ଜୀଙ୍କ ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ କୋର୍ଟ କହିଛନ୍ତି ଯେ, ଧାର୍ମିକ ଉତ୍ସବକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ରାଜ୍ୟ ସରକାର ଉଭୟ ଧର୍ମର ଉତ୍ସବ ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରିବା ଆବଶ୍ୟକ । ତେବେ ଏଭଳି ନିଷ୍ପତି ନେଇ ରାଜ୍ୟ ସରକାର ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରନ୍ତୁ ନାହିଁ ।