ମା’ଙ୍କୁ ଆବାହନ ! ଜାଣନ୍ତୁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପର କଣ ରହିଛି ମୁଖ୍ୟ ଆକର୍ଷଣ

253

କନକ ବ୍ୟୁରୋ: ଅପେକ୍ଷାରେ ପୂର୍ଣ୍ଣଛେଦ ପଡ଼ିଛି । ମା’ ଓ ଭକ୍ତଙ୍କ ମିଳନ ହୋଇଛି । ଏବେ ଚାରି ଆଡ଼େ ଖାଲି କୋଳାହଳ । ଯାହାଙ୍କ ଆଗମନ ପାଇଁ କୋଟିକୋଟି ଉତ୍ସୁକ ନେତ୍ର ଚାହିଁ ରହିଥିଲା, ମା’ ଓହ୍ଲାଇଛନ୍ତି ଧରାକୁ । ସୁସଜ୍ଜିତ ପୂଜା ମଣ୍ଡପରେ ବିରାଜିଛନ୍ତି ମା’ ଦୁର୍ଗତିନାଶିନୀ । ମା’ଙ୍କ ମୃଣ୍ମୟୀ ପୂଜାର ଆଦ୍ୟ ଲଗ୍ନକୁ ବେଶ୍ ଉତ୍ସୁକତାର ସହ ପ୍ରତ୍ୟକ୍ଷ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଗତକାଲି ସନ୍ଧ୍ୟାରୁ ସହରରେ ଯେମିତି କିଏ ରଙ୍ଗ ମାଖି ଦେଇଥିଲା । ସାରା ସହର ହୋଇଯାଇଥିଲା ପାର୍ବଣ ମୁଖର । ଝଲମଲ ଆଲୁଅକୁ ସୁଦୃଶ୍ୟ ତୋରଣ ଦେଖିବାକୁ ଆଖି ପାଉନି । ପୁଣି ଦେଖିଲେ ଲେଉଟି ଯିବାକୁ ମନ ଲୋଡ଼ୁନି । କେଉଁଠି ସୁଦୃଶ୍ୟ ରାଜପ୍ରାସାଦର ତୋରଣ ତ ପୁଣି କେଉଁଠି ରେଳ ଜଙ୍କସନଠୁ ନେଇ ପାର୍ବତ୍ୟ ଭୂମିର ଥିମ୍ ସାଜସଜା । ଯିଏ ଦେଖୁଛି ପାଟିରୁ ସ୍ୱତଃ ବାହାରି ଆସୁଛି ଓ୍ଵାଃ… ।

ପୂଜା ମଣ୍ଡପମାନଙ୍କରେ ପାଞ୍ଜିକୁ ଆଧାର କରି ଚର ଲଗ୍ନେ ଦେବୀଙ୍କ ବିଲ୍ଵାଧିବାସ ଓ ବିଲ୍ଵବରଣ କରାଯାଇ ପୂଜାର୍ଚନା କରାଯାଇଛି । ମା’ଙ୍କୁ ଆବାହନ ବେଳେ ଉଚ୍ଚାରିତ ବୈଦିକ ମନ୍ତ୍ରରେ ଯେମିତି ସତେଜ ହୋଇଯାଇଛି ସହରର ପରିବେଶ । ଦୀର୍ଘ ଦିନର ପ୍ରତୀକ୍ଷା ପରେ କେବଳ ମା’ ନୁହନ୍ତି ଅନେକ ଦେବଦେବୀଙ୍କୁ ଦେଖିବାକୁ ମିଳିଛି ବିଭିନ୍ନ ପୂଜା ମଣ୍ଡପରେ । କେଉଁଠି ହର ପାର୍ବତୀ ତ ପୁଣି କେଉଁଠି ମହାବୀର । ବିଭିନ୍ନ ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ପୂଜାର ଏହି ଚାକଚକ୍ୟ ପରିବେଶ ଗତକାଲି ସହରବାସୀଙ୍କୁ ଆଚ୍ଛନ୍ନ କରି ରଖିଥିଲା । ଘରୁ ଗୋଡ଼ କାଢ଼ି ସପରିବାରେ ଭିଡ଼ ଜମେଇଥିଲେ ପୂଜା ମଣ୍ଡପରେ । ଶ୍ରଦ୍ଧାଳୁଙ୍କୁ ଭକ୍ତିପୂତ ମନୋରଂଜନ ଦେବାକୁ ଆଜି ବିଭିନ୍ନ ପୂଜା ମଣ୍ଡପ ଆନୁକୂଲ୍ୟରେ ଆୟୋଜିତ ହୋଇଛି ଭଜନ ସନ୍ଧ୍ୟା ତ ପୁଣି କେଉଁଠି ସଂକୀର୍ତନ । ଖାଲି ସେତିକି ନୁହେଁ କେଉଁଠି ପାରମ୍ପରିକଳା କଳା ଉପସ୍ଥାପିତ ହୋଇଛି ତ କେଉଁଠି ମେଲୋଡି ଆୟୋଜିତ ହୋଇଛି। ଅଧିକାଂଶ ପୂଜାମଣ୍ଡପରେ ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ନେଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ବୁଧବାରଠୁ ପୂଜା ବିଧି

ବୁଧବାରଠାରୁ ନବପତ୍ରିକା ପ୍ରବେଶ, ଚକ୍ଷୁଦାନ ପରେ ଘଟ ଆମନ୍ତ୍ରଣ କରାଯିବ । ଅଷ୍ଟମୀଦିନ ସକାଳୁ ପୂଜା ପାଠ ଆରମ୍ଭ ହେବ । ଚଣ୍ଡୀପାଠ, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀଚାମୁଣ୍ଡା ପୂଜା, ସନ୍ଧି ପୂଜା, ବଳିଦାନ (କୁଷ୍ମାଣ୍ଡ ବଳି) ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ନବମୀରେ ଷୋଡ଼ଶ ଉପଚାର ପୂଜା ଓ ଚଣ୍ଡୀ ମନ୍ତ୍ରରେ ଆହୁତି ଓ ପୂର୍ଣ୍ଣାହୁତି ଦିଆଯିବ । ଦଶମୀରେ ଘଟ ବିସର୍ଜନ ଓ ସନ୍ଧ୍ୟାରେ ରାବଣ ପୋଡ଼ି ଅନୁଷ୍ଠିତ ହେବ । ୧ ତାରିଖରେ ମୃଣ୍ମୟୀ ମୂର୍ତିଙ୍କ ଭସାଣି ଉତ୍ସବ ଓ ବିସର୍ଜନ ପର୍ବ ଅନୁଷ୍ଠିତ ହେବ ।

ତେବେ ଆସନ୍ତୁ ନଜର ପକାଇବା ଚଳିତ ବର୍ଷ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ କଣ ରହିଛି ମୁଖ୍ୟ ଆକର୍ଷଣ

ବିଡିଏ କଲୋନି ଦୁର୍ଗାପୂଜା କମିଟି: ଅଖାରେ ନିର୍ମିତ ତୋରଣ ସାଜିବ ଆକର୍ଷଣ

ଚନ୍ଦ୍ରଶେଖରପୁର ଅଞ୍ଚଳର ପୂରାତନ ପୂଜା ମଣ୍ଡପ ହେଉଛି ବିଡିଏ କଲୋନି ଦୁର୍ଗାପୂଜା କମିଟି । ଚଳିତ ବର୍ଷ ୨୬ ବର୍ଷରେ ପାଦ ଦେଇଥିବା ଏହି କମିଟି ଗତବର୍ଷ ତା’ର ରୌପ୍ୟ ଜୟନ୍ତୀ ପାଳନ କରିଛି । ସମ୍ପୂର୍ଣ୍ଣ ଭାବରେ ଅଖାରେ ନିର୍ମିତ ତୋରଣ ଚଳିତ ବର୍ଷ ପୂଜାର ମୁଖ୍ୟ ଆକର୍ଷଣ ସାଜିଛି । ମୂର୍ତ୍ତିର ଉଚ୍ଚତା ୧୨ ଫୁଟ୍ ହୋଇଥିବା ବେଳେ ୧୫ ଫୁଟର ମେଢ଼ରେ ମା’ ବିରାଜମାନ କରିଛନ୍ତି । ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ୬୦ଫୁଟ୍ ଉଚ୍ଚତା ବିଶିଷ୍ଟ ଗେଟ୍ ମଧ୍ୟ ସାଜିଛି ପ୍ରମୁଖ ଆକର୍ଷଣ । ନବମୀରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବା ବେଳେ ଦଶହରାରେ ଦହିପଖାଳ ଓ ଶାଗଭଜା ମା’ଙ୍କୁ ଲାଗି କରାଯିବ । ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାତ୍ର ଅନ୍ଧ,ମୂକ, ବଧିର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ କେନ୍ଦ୍ରରେ ରହିବ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବରେ ପାଳନ କରାଯାଇଛି । ମଣ୍ଡପରେ ସିସିଟିଭି କ୍ୟାମେରା ସଂଯୋଗ କରାଯିବା ସହିତ ଅଗ୍ନିନିର୍ବାପନ ବ୍ୟବସ୍ଥା ମଧ୍ୟ କରାଯାଇଥିବା କମିଟିର ସଭାପତି ଗୟାଧର ମଲ୍ଲିକ ସୂଚନା ଦେଇଛନ୍ତି ।

ଟୁଇନ୍ ସିଟିରେ ୨୪୦ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା

ଦଶହରା ଅବସରରେ ଜଗତ ଜନନୀ ମା’ଦୁର୍ଗାଙ୍କ ପୂଜା ପାଇଁ ଟୁଇନ୍ ସିଟି ଚଳଚଞ୍ଚଳ ଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । କଟକର ୧୭୧ ପେଣ୍ଡାଲରେ ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ, ଭୁବନେଶ୍ୱରରେ ୧୬୯ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି । ଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ ତିଥି ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ମା’ଙ୍କ ପୂଜା ଆରମ୍ଭ ହେବ। ଅଷ୍ଟମୀ ଅବସରରେ ଗୁରୁବାର ଠାରୁ ପୂଜା ମଣ୍ଡପମାନଙ୍କରେ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ ।

କଟକରେ ୫୪ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥାରେ ୪ଜଣ ଅଫିସର ନିଯୁକ୍ତି ହେବେ। ୨ କମ୍ପାନୀ ସିଆରପିଏଫ୍ ଓ ଏସ୍ଓଜି ମୁତୟନ ହେବେ । ସେହିଭଳି ଭୁବନେଶ୍ୱରରେ ୨୫ ପ୍ଲାଟୁନ ଫୋର୍ସ ଓ ୨୦୦ ଅଫିସର ଦୁର୍ଗା ପୂଜା ଉପରେ ନଜର ରଖିବେ । ଏଥି ସହିତ ପ୍ରତି ପୂଜା ପେଣ୍ଡାଲରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବ।

ଟଙ୍କପାଣିରେ ଲାଲକିଲ୍ଲା

ରାଜଧାନୀରେ ଦୃଶ୍ୟମାନ ହୋଇଛି ଲାଲକିଲ୍ଲା । ଟଙ୍କପାଣି ରୋଡ୍ ସାର୍ବଜନୀନ ଦୁର୍ଗାପୂଜା କମିଟି ଚଳିତ ବର୍ଷ ତୋରଣରେ ଏହିଭଳି ଆଖିଖୋସା ଅନୁଭବ ଭେଟି ଦେଇଛନ୍ତି । କୋଲକାତାର କାରିଗର ତାପସ ହାଲଦାର ଓ ସାଥୀ କାରିଗରଙ୍କ ସହଯୋଗରେ ତୋରଣ ନିର୍ମାଣ ଶେଷ ହୋଇଛି । ୫୮ଫୁଟ୍ ଉଚ୍ଚତା ଓ ୫୮ଫୁଟ୍ ଓସାରର ଏହି ତୋରଣରେ ଶ୍ରଦ୍ଧାଳୁଙ୍କୁ ସର୍ବଧର୍ମ ସମନ୍ଵୟର ବାର୍ତ୍ତା ସହ ଦେଶାତ୍ମବୋଧକର ଉପଲବ୍ଧି ମିଳିବ । ସେହିପରି ଲକ୍ଷ୍ମୀକାନ୍ତ ଗିରିଙ୍କ ଦ୍ଵରା ନିର୍ମିତ ୧୩ଫୁଟର ମୂର୍ତ୍ତି ସାଙ୍ଗକୁ ୧୬ଫୁଟର ମେଢ଼ ଶୋଭା ପାଇଛି । ଚଳିତ ବର୍ଷ ପୂଜା ୮ମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଠାରେ ସବୁବର୍ଷ ଭଳି ଏଥର ବି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ବ୍ରହ୍ମେଶ୍ୱର କୁମାର ଆକର୍ଷଣ ସାଜିବ । ରବିଟକିଜ୍ ଛକଠାରୁ ମେଘେଶ୍ୱର ମନ୍ଦିର ପର୍ୟ୍ୟନ୍ତ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ମହାଷ୍ଟମୀରେ ବିହିତ ପୂଜା, ସନ୍ଧି ପୂଜା ହେବା ସହ ରାତି ୯ଟା ୩୯ମିନିଟରେ ପାଣିକଖାରୁ ବଳି ଦିଆଯିବ ।

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ

ଚଳିତ ବର୍ଷ ମହାସପ୍ତମୀ ସନ୍ଧ୍ୟାରେ ପୂଜା କମିଟି ପକ୍ଷରୁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆକର୍ଷଣ ସାଜିବ । ଏଥିରେ ପ୍ରାୟ ୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଶ୍ରେଷ୍ଠ ୫ଜଣଙ୍କୁ ବ୍ରହ୍ମେଶ୍ୱର କୁମାର ସମ୍ମାନରେ ସମ୍ମାନିତ କରାଯିବ । ପୁରସ୍କାର ସ୍ୱରୂପ ସେମାନଙ୍କୁ ଆର୍ଥକ ରାଶି ପ୍ରଦାନ କରାଯିବ । ଚଳିତ ବର୍ଷ ସମୁଦାୟ ୧୦ଲକ୍ଷ ବଜେଟ୍ ରହିଥିବା ବେଳେ ସାଜସଜା ପାଇଁ ୪ଲକ୍ଷ, ଲାଇଟ୍ ପାଇଁ ୨ଲକ୍ଷ ୨୦ହଜାର, ଭସାଣୀ ପାଇଁ ୧ଲକ୍ଷ ୪୫ହଜାର ଟଙ୍କା ବଜେଟ୍ କରାଯାଇଛି ।

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି । ଅଷ୍ଟମୀ ଓ ନବମୀରେ ମେଲୋଡି ପରିବେଷଣ କରାଯିବ । ସୁରକ୍ଷା ପାଇଁ ପୁଲିସଙ୍କ ସମେତ ୩୦ଜଣ ସେଚ୍ଛାସେବୀ ନିୟୋଜିତ ହେବେ । ଦିବ୍ୟାଙ୍ଗ ଓ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ । ପାରମ୍ପରିକ ବାଦ୍ୟ ଓ ନୃତ୍ୟ ମେଳରେ ଭସାଣି ପର୍ବ ଅନୁଷ୍ଠିତ ହେବ। ଘଣ୍ଟ, ଶଙ୍ଖ, ଘୋଡ଼ା ନାଚ, ଦୁଲ୍ଦୁଲି ସହ ଡିଜେ ବାଜାରେ ବ୍ରହ୍ମେଶ୍ୱର ଗ୍ରାମ, ରବିଟକିଜ୍ ଛକ ପରିଭ୍ରମଣ କରି ମା’ଙ୍କୁ କୁଆଖାଇରେ ବିସର୍ଜନ କରାଯିବ ।

ପ୍ରଶାନ୍ତିବିହାର ଦୁର୍ଗାପୂଜା କମିଟି : ୪୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଗୋଲ୍ ଗମ୍ବୁଜ ମୁଖ୍ୟ ଆକର୍ଷଣ

ଉତ୍ତର ଭୁବନେଶ୍ୱରର ଏକ ପ୍ରମୁଖ ପୂଜା କମିଟି ପ୍ରଶାନ୍ତିବିହାର ଦୁର୍ଗାପୂଜା କମିଟି ଚଳିତ ବର୍ଷ ୧୭ବର୍ଷରେ ପଦାର୍ପଣ କରିଛି । ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ୧୨ ଫୁଟ୍ ହୋଇଥିବାବେଳେ ଇଲେକ୍ଟ୍ରୋନିକ୍ ଗେଟ୍ ସାଜସଜ୍ଜା ପୂଜାର ଆକର୍ଷଣକୁ ବଢ଼ାଇଛି । ୪୦ଫୁଟ୍ ଉଚ୍ଚତା ବିଶିଷ୍ଟ ଗୋଲ୍ ଗଗ୍ଵୁଜ ଆକୃତିର ତୋରଣ ଚଳିତ ବର୍ଷ ସାଜିଛି ମୁଖ୍ୟ ଆକର୍ଷଣ। ଷଷ୍ଠୀଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା ଅନୁଷ୍ଠିତ ହେବ । ଅଷ୍ଟମୀରେ ମା’ଙ୍କୁ ଖେଚୁଡ଼ି ଭୋଗ ଅର୍ପଣ କରାଯିବ । ଦଶମୀରେ ଦହିପଖାଳ ସହିତ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ମା’ଦକ୍ଷିଣ ଚଣ୍ଡୀଙ୍କ ଷୋଳପୂଜା

ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ଦେବୀ ପୀଠ ମା’ ଦକ୍ଷିଣ ଚଣ୍ଡୀଙ୍କ ପୀଠରେ ୧୬ପୂଜା ନୀତି ଆରମ୍ଭ ହୋଇଛି । ଏହି ଅବସରରେ ମା’ଙ୍କ ପାଖରେ ଦୈନିକ କାକେରା ଓ ଖିରି ଭୋଗ କରାଯାଉଛି । ଷଷ୍ଠୀ ତିଥିରେ ମା’ଙ୍କ ସରସ୍ୱତୀ ବେଶ, ସପ୍ତମୀରେ ମହାକାଳୀ, ମହାଷ୍ଟମୀରେ ଲକ୍ଷ୍ମୀ ବେଶ ଓ ଦଶମୀରେ ଦୁର୍ଗତୀ ନାଶିନୀ ବେଶ ହେବ। ତେବେ ମହାଷ୍ଟମୀ ତିଥିରେ ବିଶେଷ ପୂଜା କରାଯାଏ । ମା’ଙ୍କ ପୂଜା ଓ ବେଶ ଦର୍ଶନ କରିବାକୁ ଶହଶହ ଭକ୍ତଙ୍କ ସୁଅ ଛୁଟେ ।

ବିସର୍ଜନ ପାଇଁ ୪ ଅସ୍ଥାୟୀ ପୋଖରୀ

ଆସନ୍ତା ଦୁର୍ଗା ପୂଜା ପରେ ସମସ୍ତ ମୂର୍ତ୍ତି ଯେପରି ଶୃଙ୍ଖଳିତ ଭାବେ ବିସର୍ଜନ ହେବ ସେଥିପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜଧାନୀର ତିନି ପାର୍ଶ୍ୱରେ ଥିବା ତିନିଟି ନଦୀରେ ୪ଟି ଅସ୍ଥାୟୀ ପୋଖରୀ ଖୋଳା ଯାଇଛି । ଏହି ଠାରେ ହିଁ ସମସ୍ତ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ହେବ। ବିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ରାଜଧାନୀ ଏବଂ ଏହା ଉପକଣ୍ଠରେ କମିସନରେଟ୍ ପୁଲିସ ଅଞ୍ଚଳରେ ପ୍ରାୟ ୧୭୨ଟି ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଁ ଅନୁମତି ନେଇଥିବାବେଳେ କେତେକ ସ୍ଥାନରେ ବିନା ଅନୁମତିରେ ବି ପୂଜା ହେଉଛି । ତେଣୁ ଆମେ ପ୍ରାୟ ୨୦୦ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରିଛୁ । ଏଥିରେ କୁଆଖାଇରେ ଦୁଇଟି, ଦୟାରେ ଗୋଟିଏ ଏବଂ ଭାର୍ଗବୀ ନଦୀରେ ଗୋଟିଏ ଅସ୍ଥାୟୀ ପୋଖରୀ ଖୋଳା ଯାଇଛି । ନଦୀ ପଠାରେ ଯେଉଁ ଅସ୍ଥାୟୀ ପୋଖରୀ ଖୋଳା ହୋଇଛି ସେଥିରେ ପଲିଥିନ୍ ଓ ବ୍ଲିଚିଂ ପକାଯିବା ସହ ପାଣି ଭର୍ତ୍ତି କରାଯାଇଛି । ଏଠାରେ ମୂର୍ତ୍ତି ବିସର୍ଜନ ପରେ ଏହାକୁ ଜେସିବି ମାଧ୍ୟମରେ ବାହାରକୁ କଢ଼ା ଯିବ । ଏହାପରେ ଏହାକୁ ବିଏମ୍ସି ଡମ୍ପିଂୟାର୍ଡରେ ପକାଇବାକୁ ଯୋଜନା ହୋଇଛି ।

ସେହିପରି ବିସର୍ଜନ ସ୍ଥାନରେ ବ୍ୟାପକ ଆଲୋକ ବନ୍ଦୋବସ୍ତ କରାଯିବାକୁ ଥିବାବେଳେ ଆବଶ୍ୟକୀୟ ପୁଲିସ ମୁତୟନ କରାଯିବ । ନଦୀ ବ୍ରିଜ୍ ଉପରୁ ଯେପରି କେହି ମୂର୍ତ୍ତି ତଳକୁ ନ ପକାଇବେ ସେଥିପାଇଁ ବ୍ରିଜ୍ ଉପରେ ପୁଲିସ ମୁତୟନ କରିବାକୁ କମିସନରେଟ୍ ପୁଲିସ କୁହାଯାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି ।