ଆମେରିକାରେ ମାଦୁର୍ଗା: ମହାଷ୍ଟମୀ ପାଳିଲେ ପ୍ରବାସୀ ଓଡ଼ିଆ, ମାଆଙ୍କ ପୂଜା ସହ ମୀନାବଜାର ମଜା ନେଲେ

508

କନକ ବ୍ୟୁରୋ: ରାଜ୍ୟ ତଥା ଦେଶ ଏବେ ଉତ୍ସବମୁଖର ଶାରଦୀୟ ଦୁର୍ଗାପୂଜାକୁ ନେଇ । ମାଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଚାଲିଛି ବୁଲାବୁଲି । ତେବେ ଖାଲି ଆମ ଦେଶ କାହିଁକି ଦେଶ ବାହାରେ ମଧ୍ୟ ଚାଲିଛି ପୂଜା ସେଲିବ୍ରେସନ । ତେବେ ଆମେରିକାର ପ୍ରବାସୀ ଓଡିଆମାନେ ମଧ୍ୟ ପାଳୁଛନ୍ତି ଦୁର୍ଗାପୂଜା ।

ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟରେ ଥିବା ସାଂଟା କ୍ଲାରା ସିଟିରେ ଶୋଭାପାଉଛନ୍ତି ମା ଦୁର୍ଗା । ପରମ୍ପରା ମୁତାବକ ମାଙ୍କ ପୂଜାର୍ଚ୍ଚନା କରାଯାଉଛି । ଆଉ ସାଜସଜା ବି ଭାରତୀୟ ଢଙ୍ଗରେ ହୋଇଛି । ଘର ଠାରୁ ଦୂରରେ ରହିଲେ ମଧ୍ୟ ଶାରଦୀୟ ଦୁର୍ଗାପୂଜାର ଆନନ୍ଦ ଉଠାଇ ପାରୁଛନ୍ତି ଏଠାରେ ରହୁଥିବା ପ୍ରବାସୀ ଭାରତୀୟମାନେ ।

ଭାରତରେ ଦୁର୍ଗା ମଣ୍ଡପ ପାଖେ ପାଖେ ଯେପରି ଷ୍ଟଲ ଲାଗେ ଏଠାରେ ମଧ୍ୟ ସମାନ ଧରଣର ଷ୍ଟଲ ଲାଗିଛି । ଲୋକେ ମାଙ୍କ ଦର୍ଶନ କରିବା ସହିତ ଷ୍ଟଲ ବୁଲି ଜିନିଷ କିଣୁଛନ୍ତି । ପୁଣି ତା ସାଙ୍ଗକୁ ରହିଛି ଭଳି କି ଭଲି ସୁଆଦିଆ ଖାଦ୍ୟ । ଏସବୁ ଖାଦ୍ୟର ପସରା ପାଖରେ ଜମୁଛି ଲୋକଙ୍କ ଭିଡ । ମାଟି ମା ଠାରୁ ଦୂରରେ ଦୁର୍ଗା ମା ଙ୍କ ନିକଟତର ହେବାର ମୌକାକୁ କେହି ହାତ ଛଡା କରୁନାହାନ୍ତି । ଶାରଦୀୟ ଦୁର୍ଗାପୂଜା ଆସିଗଲା ମାନେ ଏଠାରେ ରହୁଥିବା ସମସ୍ତ ପ୍ରବାସୀ ଭାରତୀୟ ଏକତ୍ର ହୁଅନ୍ତି । ପୂରା ପରିବାର ସହିତ ମାଙ୍କ ଆରାଧନା କରନ୍ତି । ଆଉ ଦେଶି ଖାଦ୍ୟର ମଜା ଉଠାନ୍ତି ।