ଦଶ’ରାରେ କମ୍ପୁଛି ପୁରପଲ୍ଲୀ ! ୨୫୦୦ରୁ ଅଧିକ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା

169

କନକ ବ୍ୟୁରୋ: ଅଧର୍ମ ଉପରେ ଧର୍ମର ବିଜୟ ବାର୍ତ୍ତା ନେଇ ଧରାପୃଷ୍ଠକୁ ଆସିଛନ୍ତି ମା’। ମହାପାର୍ବଣରେ ପୁରପଲ୍ଲୀଠୁ ନେଇ ସହର ବଜାର ସବୁଠି ଉତ୍ସାହ ଓ ଉଲ୍ଲାସ । ଝଲସୁଛି ପୂଜାମଣ୍ଡପ । କେଉଁଠି ଆଖିଝଲସା ତୋରଣର ସୁଦୃଶ୍ୟ ସମ୍ଭାର ତ ପୁଣି କେଉଁଠି ଚାନ୍ଦି ଓ ସୁନା ଅଳଙ୍କାର ଓ ମେଢ଼ର ଅଘୋଷିତ ପ୍ରତିଯୋଗିତା । ରାଜ୍ୟରେ ଏଥର ପ୍ରାୟ ୨୫୦୦ ସାର୍ବଜନୀନ ମଣ୍ଡପରେ ଚାଲିଛି ଶାରଦୀୟ ପୂଜା । କେଉଁଠି ମା’ ମହିଷାମର୍ଦ୍ଦିନୀଙ୍କ ପୂଜା ଚାଲିଛି ତ କେଉଁଠି କେଉଁଠି ହରପାର୍ବତୀ ପୂଜା ପାଉଛନ୍ତି ।

ତେବେ ଏହି ପାର୍ବଣ ପାଳନରେ ସର୍ବାଗ୍ରେ ରହିଛି ରାଜଧାନୀ ଭୁବନେଶ୍ୱର । ଚଳିତ ବର୍ଷ ଭୁବନେଶ୍ୱର ଓ ଏହାର ଆଖପାଖରେ ୧୭୨ଟି ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା । ଭୁବନେଶ୍ୱରରେ ସୁଦୃଶ୍ୟ ତୋରଣ ସାଙ୍ଗକୁ ଆଲୋକମାଳା ସହରକୁ ରଙ୍ଗିନ୍ କରିଛି । ନୟାପଲ୍ଲୀ, ରସୁଲଗଡ଼, ସହିଦନଗର, ଝାରପଡ଼ା, ପୁରୁଣା ଷ୍ଟେସନ୍ ବଜାର, ବମିଖାଲ, ବରମୁଣ୍ଡା ଭଳି ପୂଜା ମଣ୍ଡପର ସୁଦୃଶ୍ୟ ତୋରଣ ଏବଂ ସେଥିରେ ଉପସ୍ଥାପିତ କଳା ଚାତୁରୀ ଶ୍ରଦ୍ଧାଳୁଙ୍କୁ ଘଣ୍ଟାଘଣ୍ଟା ବାନ୍ଧି ରଖୁଛି ।

ଦ୍ୱିତୀୟ ସ୍ଥାନରେ ରହିଛି କଟକ । ଏଠାରେ ଚଳିତ ବର୍ଷ ୧୬୦ଟି ପୂଜା ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ତେବେ ୨୪ଟି ସ୍ଥାନରେ ଚାନ୍ଦି ମେଢ଼ ସାଙ୍ଗକୁ ୮ଟି ସ୍ଥାନରେ ସୁନା ଅଳଙ୍କାରରେ ସୁସଜ୍ଜିତ ଦେବୀଙ୍କୁ ଦର୍ଶନ ପାଇଁ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ରାଉରକେଲାରେ ମଧ୍ୟ ଏଥର ପୂର୍ବବର୍ଷ ଭଳି ୧୦୪ଟି ମେଢ଼ ଦେଖିବାକୁ ମିଳିଛି । ଜିଲ୍ଲା ଭିତ୍ତିରେ ବାଲେଶ୍ୱରରେ ସର୍ବାଧିକ ସ୍ଥାନରେ ପୂଜା ଅନୁଷ୍ଠିତ ହେଉଛି । ୨୯୦ରୁ ଅଧିକ ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି । ଗଂଜାମ ଓ ଭଂଜନଗରରେ ୧୯୩ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି । ତେବେ ଗଞ୍ଜାମର ଭୈରବୀ, ତାରାତାରିଣୀ, ନାରାୟଣୀ ଓ ସିଂହାସିନୀ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ ହେଉଛି । ଯାଜପୁର ଜିଲ୍ଲାରେ ୧୦୦ରୁ ଅଧିକ ସ୍ଥାନରେ ପୂଜା ହେଉଥିବା ବେଳେ କେନ୍ଦ୍ରାପଡ଼ାରେ ୯୦ରୁ ଅଧିକ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଛି ।

ପଟ୍ଟାମୁଣ୍ଡାଇରେ ପୂଜା ଆକର୍ଷଣ ସାଜୁଥିବା ବେଳେ ବଙ୍ଗାଳି ସାହିରେ ସଂପୂର୍ଣ୍ଣ ବଙ୍ଗୀୟ ରୀତିରେ ପୂଜାର୍ଚ୍ଚନା କରାଯାଉଛି । ନୟାଗଡ଼ରେ ୮୩ଟି ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି । ପୁରୀ ସହରରେ ଗୋସାଣୀଙ୍କୁ ମିଶାଇ ୧୫ଟି ସ୍ଥାନରେ ପୂଜା ହେଉଥିବା ବେଳେ ଜିଲ୍ଲାରେ ୫୫ରୁ ଅଧିକ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି । ବାଟ ମଙ୍ଗଳା, ଉତ୍ତରାୟଣୀ ପୀଠ ଆଦିରେ ଭକ୍ତଙ୍କ ସମାଗମ ହେଉଛି ।

କେଉଁଝରରେ ୫୬ଟି ମଣ୍ଡପରେ ମା’ଙ୍କ ଆବାହନ କରାଯାଇଛି । ଏଥିସହ ମା’ ତାରିଣୀଙ୍କ ଦର୍ଶନ ପାଇଁ ଭିଡ଼ ଲାଗୁଛି । ଢେଙ୍କାନାଳରେ ୪୫ଟି ସ୍ଥାନରେ ପୂଜା ହେଉଛି । ଭଦ୍ରକରେ ୬୦ରୁ ଅଧିକ ମଣ୍ଡପ, ଅନୁଗୁଳରେ ୨୭ରୁ ଅଧିକ, ଖୋର୍ଦ୍ଧା ସହରରେ ୭ଟି ସ୍ଥାନରେ ପୂଜା ହେଉଛି । ଜିଲ୍ଲାର ବାଣପୁରର ପ୍ରତ୍ୟକ୍ଷ ଠାକୁରାଣୀ ଭଗବତୀଙ୍କ ପୀଠକୁ ଭକ୍ତଙ୍କ ସୁଅ ଛୁଟୁଛି । ଜଗତସିଂହପୁରରେ ୭୭ ପୂଜା ମଣ୍ଡପରେ ପୂଜା ହେଉଥିବା ବେଳେ ଝଙ୍କଡ଼ ସାରଳା ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସୁନ୍ଦରଗଡ଼ରେ ୩୨, ଗଜପତିରେ ୨୯ଟି, ବଲାଙ୍ଗୀରରେ ୪୯ଟି, କନ୍ଧମାଳରେ ୧୫ଟି ପୂଜା ମଣ୍ଡପରେ ପୂଜା ହେଉଛି । ଗଜପତିରେ ନୀଳିମାମନ୍ଦିର, ବଲାଙ୍ଗୀରର ସମଲେଇ ଓ ପାଟଣେଶ୍ୱରୀ ପୀଠରେ ନବରାତ୍ରୀ ପର୍ବ ମହା ଆଡ଼ମ୍ବରରେ ପାଳିତ ହେଉଛି ।

ସମ୍ବଲପୁରରେ ୫୪ଟି ପୂଜା ମଣ୍ଡପ ସମେତ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ପୀଠରେ ଦର୍ଶନାର୍ଥୀଙ୍କ ସମାଗମ ହେଉଛି, ଝାରସୁଗୁଡ଼ା ସହରରେ ୨୫ରୁ ଅଧିକ ମେଢ଼ ହେଉଥିବା ବେଳେ ଜିଲ୍ଲାରେ ୫୦ରୁ ଅଧିକ ମଣ୍ଡପରେ ପୂଜା ହେଉଛି । ବରଗଡ଼ରେ ୫୦ରୁ ଊର୍ଧ୍ୱ ପୂଜା ମଣ୍ଡପରେ ପୂଜା ହେଉଥିବା ବେଳେ ନଦୀପଡ଼ାରେ ପୂଜା ୭୮ ବର୍ଷରେ ପଦାର୍ପଣ କରିଛି । ସୋନପୁରରେ ୩୨ଟି ମଣ୍ଡପ ସମେତ ସୁରେଶ୍ୱର, ଖମ୍ବେଶ୍ୱରୀ ଓ ସମଲେଶ୍ୱରୀ ପୀଠରେ ଭିଡ଼ ହେଉଛି । ବୌଦ୍ଧରେ ୨୨ଟି ମଣ୍ଡପରେ ମା’ଙ୍କୁ ଆବାହନ କରାଯାଇଥିବା ବେଳେ ଭେରବୀ ପୀଠରେ ୧୬ଦିନାତ୍ମକ ଗୁପ୍ତ ପୂଜା କରାଯାଉଛି । କଳାହାଣ୍ଡିରେ ୫୦ଟି ପୂଜା ମଣ୍ଡପ ସମେତ ମାଣିକେଶ୍ୱରୀ, ଲକ୍ଷେଶ୍ୱରୀ ଓ କନକଦୁର୍ଗା ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ।

ସେହିପରି ନବରଙ୍ଗପୁରରେ ୪୦ଟି ମେଢ଼ ସମେତ ମା ଭଣ୍ଡାରଘରଣୀ ପୀଠରେ ଜାକଜମକରେ ପୂଜା ହେଉଛି । କୋରାପୁଟରେ ୫୫, ରାୟଗଡ଼ାରେ ୨୫ରୁ ଅଧିକ, ମୟୂରଭଂଜରେ ୨୧ଟି, ଦେବଗଡ଼ରେ ୧୦, ମାଲକାନଗିରିରେ ୧୦ଟି ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଦେବୀ ପୀଠରେ ନବରାତ୍ରୀ ଉତ୍ସବ ସାରା ରାଜ୍ୟକୁ ଏକ ଆଧ୍ୟାତ୍ମିକ ପରିବେଶରେ ଆଚ୍ଛନ୍ନ କରି ରଖିଛି । ଗାଁ’ରୁ ସହର ଦେବୀମୟ ହୋଇଛି।

ଗତକାଲି ଏହିସବୁ ସାର୍ବଜନୀନ (ଅସ୍ଥାୟୀ) ମଣ୍ଡପରେ ଦେବୀଙ୍କ ମହାଷ୍ଟମୀ ପୂଜା ସଂପନ୍ନ ହୋଇଛି । ରାଜ୍ୟର ବିଭିନ୍ନ ଦେବୀପୀଠରେ ନବମୀ ପୂଜା କରାଯାଉଛି । ତେବେ ଶନିବାରର ବିଜୟା ଦଶମୀ ଓ ରାବଣପୋଡ଼ିକୁ ସମସ୍ତେ ଅତି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ।

ଅନ୍ୟପଟେ, ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ଲାଗି ସାରା ସମଗ୍ର ରାଜ୍ୟରେ ୨୪୪ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଛନ୍ତି । ଏଥିମଧ୍ୟରେ ୧୪୦ ପ୍ଲାଟୁନ ଓଏସଏପି, ୮୧ ପ୍ଲାଟୁନ୍ ଆଇଆରବି, ୨୩ ପ୍ଲାଟୁନ୍ ଓଆଇଏସଏଫ୍, ୩ ପ୍ଲାଟୁନ୍ ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ ଓ କେନ୍ଦ୍ରରୁ ୨ କମ୍ପାନି ସିଆରପିଏଫ୍ ଆସିଛନ୍ତି । କେବଳ କଟକ ଓ ଭୁବନେଶ୍ୱରରେ ୯୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଡିଜିଙ୍କ ସୂଚନା ମୁତାବକ, ଦୁର୍ଗାପୂଜା ଭସାଣ ଓ ମହରମ ସମୟ ଅଲଗା କରିବାକୁ ବ୍ୟବସ୍ଥା ହୋଇଛି । ପୂଜାବେଳେ ଅପରାଧ କାର୍ଯ୍ୟକଳାପ ରୋକିବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦୬୮ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି । ସେଥିରୁ ୧୧୨ ଅଭ୍ୟାସଗତ ଅପରାଧୀଙ୍କୁ ୧୧୦ ଧାରାରେ ଗିରଫ କରାଯାଇଛି । ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ସାରା ରାଜ୍ୟରେ ପାଖାପାଖି ୪୨ଟି ମାମଲା ରୁଜୁ ହୋଇ ୨୧ ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜାମ, କଟକ, ସମ୍ବଲପୁର, ବଲାଙ୍ଗୀର ଓ ଅନୁଗୁଳରେ ଅଭିଯାନ ଆରମ୍ଭ କରିଛି ପୁଲିସ।