ନକଲି ଗୁଇନ୍ଦା ରିପୋର୍ଟ ରାଜନୀତି । ବିଜେଡି-ବିଜେପି ଗୋଡ଼ ଟଣାଟଣି।

92

କନକ ବ୍ୟୁରୋ: ନକଲି ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗ ନେଇ ଜୋର ଧରିଲା ରାଜନୀତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । ମୁଖପାତ୍ର ସସ୍ମିତ ପାତ୍ରଙ୍କ କହିବା ଅନୁସାରେ, ନକଲି ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବା ୪୮ଘଂଟା ବିତିଯାଇଥିଲେ ମଧ୍ୟ ଏଯାବତ୍ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲାନି । ଯାହା ଦର୍ଶାଉଛି ଯେ, ସିଇଓ କେଉଁଠି ନା କେଉଁଠି ଚାପ ବସବର୍ତ୍ତୀ ରହିଛନ୍ତି । ଏହାର କାରଣ କେନ୍ଦ୍ରରେ ବିଜେପି ସରକାର କ୍ଷମତାସୀନ ଥିବାରୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଚୁପ ବସିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବୋଲି ଅଭିଯୋଗ କରିଛନ୍ତି ସସ୍ମିତ । ପୋଲିସ ତା କାମ କରୁଛି କିନ୍ତୁ ସିଇଓ କାହିଁକି ଚୁପ୍ ବସିଛନ୍ତି ଏନେଇ ପୁଣି ସିଇଓଙ୍କ ନିକଟରେ ଫେରାଦ ହେବୁ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ସେପଟେ ଏହାକୁ କାଉଣ୍ଟର କରିଛି ବିଜେପି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ କହିବା ମୁତାବକ, ବିଜେପି ମଧ୍ୟ ସିଇଓଙ୍କ ନିକଟରେ ଦାବି କରିଛି ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଉ । ନକଲି ଗୁଇନ୍ଦା ରିପୋର୍ଟ କେଉଁଠୁ ଆସିଲା କେମିତି ଆସିଲା ତାହାର ତଦନ୍ତ ଓଡିଶା ପୁଲିସ ନକରିବାକୁ ମଧ୍ୟ ଦାବି କରୁଛୁ । ତେବେ ବିଜେଡି ନିର୍ବାଚନ ହାରିଯିବା ଭୟରେ ନାଟକ କରୁଛି ବୋଲି ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।