ଭୁବନେଶ୍ୱର କଟକ ପରେ କୋରାପୁଟରେ ବେଆଇନ ଗୁଟଖା କାରଖାନା ଠାବ ! କୋଟିଏ ଟଙ୍କାର ମେସିନ ଓ ଗୁଟଖା ଜବତ, ୫ ଅଟକ

39

କନକ ବ୍ୟରୋ : ବେଆଇନ ଗୁଟଖା କାରଖାନରେ ଚଢ଼ାଉ । ଜୟପୁର ଦୋଳମଣ୍ଡପ ସାହିରେ ଏକ ଭଡ଼ା ଘରେ ଚଢ଼ାଉ ହୋଇଛି । କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌରପାଳିକା, ଆୟକର ବିଭାଗ ଏବଂ ସେଲ୍ସଟ୍ୟାକ୍ସ ବିଭାଗର ମିଳିତ ଉଦ୍ୟମରେ ଏହି ଚଢ଼ାଉ ହୋଇଥିଲା । କୋଟିଏରୁ ଅଧିକ ଟଙ୍କାର ମେସିନ୍. ଗୁଟଖା ମଧ୍ୟ ଜବତ କରାଯାଇଛି । ଚାରୋଟି ଭିନ୍ନ ଭିନ୍ନ କମ୍ପାନୀର ଗୁଟଖା ଜବତ କରାଯାଇଛି । ତିନି ମାସ ଧରି ଗୁଟଖା ଫ୍ୟାକ୍ଟିକୁ ଚଳାଉଥିବା ପାଂଚ ଜଣଙ୍କୁ ଘଟଣାସ୍ତଳରୁ ମଧ୍ୟ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ର ଶେଖର ପଟ୍ଟନାୟକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ସୂଚନାଯୋଗ୍ୟ ଗତ ମାସରେ କଟକ ବାଦାମବାଡି ଅଂଚଳରୁ ନକଲି କାରଖାନା ଠାବ ହୋଇଥିଲା । ବିଭିନ୍ନ ନାମୀଦାମୀ କମ୍ପାନୀର ତେଲ , ଘିଅ, ଗୁଟଖା ଆଦି କାରଖାନାରେ ପ୍ରସ୍ତୁତ ହେଉଥିବା ଖବର ସାମ୍ନାକୁ ଆସିଥିଲା । ବାଦାମବାଡି ପୁଲିସ ଚଢାଉ କରି ଜବତ କରିବା ସହ ପୁଲିସ ଛାନଭିନ ଆରମ୍ଭ କରିଥିଲା । ପୂର୍ବରୁ ମଧ୍ୟ କଟକ ଓ ଭୁବନେଶ୍ୱରରେ ନକଲି ସାମଗ୍ରୀ ତିଆରି ହେଉଥିବା କାରଖାନା ଉପରେ ଚଢାଉ କରିଥିଲା ପୁଲିସ । ଧୀରେ ଧୀରେ ନକଲି କାରବାର ରାଜ୍ୟରେ ବଢ଼ିବାରେ ଲାଗିଛି ।