ଅସଲି ବ୍ରାଣ୍ଡ ନକଲି ମସଲା! ନାମିଦାମୀ ମସଲା ଗୁଣ୍ଡରେ ମିଶୁଛି କରତ ଗୁଣ୍ଡ, ଚିକ୍କଣ ବାଲି ଓ କୁଣ୍ଡା

2,181

କନକ ବ୍ୟୁରୋ : ଖାଦ୍ୟ ସାମଗ୍ରୀକୁ ଅଧିକ ସୁସ୍ୱାଦୁ ଏବଂ ତରକାରୀରେ ବାସ୍ନା ଆଣିବା ପାଇଁ ସମସ୍ତେ ବଜାରରୁ ନାମିଦାମୀ କଂପାନୀର ମସଲା ଗୁଣ୍ଡ, ହଳଦି ଗୁଣ୍ଡ ଏବଂ ଲଙ୍କା ଗୁଣ୍ଡ ସବୁ ଆଣି ନିସଙ୍କୋଚରେ ବ୍ୟବହାର କରୁଛନ୍ତି । ହେଲେ ଆପଣ ଜାଣନ୍ତି-ଏହି ଗୁଣ୍ଡ ମସଲା ଆଦିରେ ହେଉଛି ଅପମିଶ୍ରଣ । ଅପମିଶ୍ରଣରେ କୌଣସି ଖାଦ୍ୟ ସାମଗ୍ରୀ ମିଶୁନି, ବରଂ କରତ ଗୁଣ୍ଡ, ଚିକ୍କର ବାଲି ଏବଂ କୁଣ୍ଡା ଭଳି ଅପଦାର୍ଥ ମିଶୁଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ଜୟପୁରରୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର ।

ଏଭରେଷ୍ଟ ଏବଂ ଏମଡିଏଚ୍ ଭଳି ନାମିଦାମୀ ବ୍ରାଣ୍ଡର ନାଁକୁ ବ୍ୟବହାର କରି ଖୁଲମ୍ଖୁଲା ଚାଲିଛି କଳାବଜାରୀ । ଅଧିକ ମୁନାଫା ଲୋଭରେ କିଛି ଖଳପ୍ରକୃତିର ବ୍ୟବସାୟୀ ଲୋକଙ୍କ ଖାଇବାରେ ବିଷ ଦେବାକୁ ବି ପଛାଉ ନାହାଁନ୍ତି । ଯାହାର ଚିତ୍ର କ୍ୟାମେରାରେ କଏଦ କରିଛି କନକ ନ୍ୟୁଜ୍ ଟିମ୍ ।

ବ୍ରହ୍ମପୁର ଅଂଚଳରୁ ଆସୁଥିବା କଂଚାମାଲରେ ଜୟପୁରରେ ଅପମିଶ୍ରଣ ହୋଇ, ଖୋଲା ବଜାରରେ ବିକ୍ରି ହେଉଛି । ଆଶ୍ଚର୍ଯ୍ୟର କଥା ହେଉଛି- ମିଟ୍ ମସଲା, ଚିକେନ୍ ମସଲା, ଗୁଣ୍ଡ ହଳଦି ଆଦିରେ କରତ ଗୁଣ୍ଡ, ବାଲି ଏବଂ କୁଣ୍ଡ ଭଳି ଅପଦାର୍ଥ ମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଖବର ଆସିବା ପରେ ଜୟପର ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣକୁ ଧରିଥିବା ବେଳେ ୩ଜଣ ଫେରାର୍ ହୋଇଯାଇଛନ୍ତି ।

ଅପମିଶ୍ରିତ ଏହି ମସଲାର ନମୂନା ସଂଗ୍ରହ କରି ଖାଦ୍ୟ ସୁରକ୍ଷା ଅଧିକାରୀ ଯାଂଚ୍ ପାଇଁ ପଠାଇଥିବା ବେଳେ ଜାଣିଶୁଣି କଂପାନୀକୁ ବଦନାମ କରିବାକୁ ଏଭଳି ଅପଚେଷ୍ଟା କରାଯାଉଥିବା ଏଭେରେଷ୍ଟ କଂପାନୀର କର୍ମକର୍ତା କହିଛନ୍ତି ।