ରୋଗୀ ଓ ସମ୍ପର୍କୀୟ ସାବଧାନ ! ବଜାରରେ ବୁଲୁଛି ୧୦୮ ନକଲି ଆମ୍ବୁଲାନ୍ସ, ଶୋଷଣ କରୁଛନ୍ତି ଦଲାଲ, ଲୁଟିନେଉଛନ୍ତି ଟଙ୍କା, ଚୁପ୍ ବସିଛି ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ।

1,103

କନକ ବ୍ୟୁରୋ : ମାଲକାନଗିରି ବଜାରରେ ବୁଲୁଛି ନକଲି ୧୦୮ ଆମ୍ବୁଲାନ୍ସ । ଅବିକଳ ୧୦୮ ପରି ଦେଖାଯାଉ ଥିବା ଏହି ଆମ୍ବୁଲାନ୍ସ ଆପଣଙ୍କ ପକେଟରୁ ଲୁଟି ନେଇ ପାରେ ମୋଟା ଅଙ୍କର ଟଙ୍କା । ଜିଲ୍ଲାରେ ଏପରି ନକଲି ୧୦୮ ଆମ୍ବୁଲାନ୍ସର ଜାଲ ବିଛାଇଛନ୍ତି ଦଲାଲ । କିନ୍ତୁ ବିଡମ୍ବନାର କଥା, ସବୁ ଜାଣି ଚୁପ ବସିଛି ସ୍ୱାସ୍ଥ୍ୟ ବିଭାଗ ଏବଂ ଆଖି ବୁଜିଦେଇଛନ୍ତି ମେଡିକାଲ କର୍ତୃପକ୍ଷ ।

ରୋଗୀ ଓ ସମ୍ପର୍କୀୟ ସାବଧାନ! ବଜାରରେ ବୁଲୁଛି ନକଲି ଆମ୍ବୁଲାନ୍ସ । ମାଲକାନଗିରିରେ ରୋଗୀ ସଂପର୍କୀୟଙ୍କୁ ଲୁଟୁଛି ନକଲି ୧୦୮ ଆମ୍ବୁଲାନ୍ସ । ମୁଖ୍ୟ ଡାକ୍ତରଖାନା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନକଲି ୧୦୮ ଆମ୍ବୁଲାନ୍ସ ବୁଲୁଛି । ଯେଉଁଥିରେ ଓଡିଶା ସରକାର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ଲୋଗୋ ମଧ୍ୟ ଲାଗିଛି । ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮କୁ ଫୋନ କଲେ ଗାଡି ନ ମିଳିବା ମାତ୍ରେ ୧୦୮ ଲେଖାଥିବା ନକଲି ଆମ୍ବୁଲାନ୍ସ ରୋଗୀଙ୍କ ସମ୍ପର୍କୀୟ ନିକଟରେ ହାଜର ହୋଇ ଯାଉଛି । ଆଉ ରୋଗୀ ସ୍ଥାନାନ୍ତର ନାଁରେ ମୋଟା ଅଙ୍କର ଟଙ୍କା ଲୁଟି ନେଉଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ମାଲକାନଗିରିରେ ଏପରି ଏକ ସାଂଘାତିକ ତଥ୍ୟ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୩ ଝିଅ ନିଜ ବାପାଙ୍କ ଶବ କାନେ୍ଧଇ ଚର୍ଚ୍ଚା ସାଉଁଟି ଥିଲେ । ବାପା ଅସୁସ୍ଥ ଥିବାରୁ ତାଙ୍କୁ ମାଲକାନଗିରିରୁ କୋରାପୁଟ ନେବା ପାଇଁ ୧୦୮ ଆମ୍ବଲାନ୍ସକୁ ୪ ହଜାର ଟଙ୍କା ଦେବାକୁ ପଡିଥିଲା ବୋଲି କହିଥିଲେ ମୃତକ ସୁକାନ୍ତ ପଟ୍ଟନାୟକଙ୍କ ଝିଅ ।

୧୦୮ ଆମ୍ବୁଲାନ୍ସ ରୋଗୀ ସଂପର୍କୀୟଙ୍କ ଠାରୁ ଟଙ୍କା ନେବା ଅଭିଯୋଗର ସତ ଜାଣିବା ପାଇଁ ଚେଷ୍ଟା କରିଥିଲା କନକ ନ୍ୟୁଜ । ସତ ଖୋଜୁ ଖୋଜୁ ୧୦୮ ଲେଖା ଥିବା ଆମ୍ବୁଲାନ୍ସର ପ୍ରକୃତ ଠିକଣା ୧୦୨ ଜନନୀ ଏକ୍ସପ୍ରେସ ବୋଲି ଜଣାପଡିଛି । ଯାହା କେବଳ ଗର୍ଭବତୀ ଓ ନବଜାତଙ୍କୁ ଡାକ୍ତରଖାନା ପହଁଚାଇବା କାମରେ ନିୟୋଜିତ ହେବା କଥା । ଡାକ୍ତରଖାନାରୁ କୌଣସି ରୋଗୀଙ୍କୁ ଘର କିମ୍ବା ଅନ୍ୟ ଡାକ୍ତରଖାନାକୁ ନେଇ ପାରିବେ ନାହିଁ ୧୦୨ ଆମ୍ବୁଲାନ୍ସ । ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କ ଠାରୁ ଟଙ୍କା ନେଉଥିବା ଖବର ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ୧୦୮ ଆମ୍ବୁଲାନ୍ସ ପ୍ରକଳ୍ପ ମୁଖ୍ୟ ।

ତେବେ ଯଦି ପ୍ରକୃତରେ ଏହି ଆମ୍ବୁଲାନ୍ସ ୧୦୨ ସହ ପଂଜିକୃତ, ତେବେ କାହିଁକି ଏଥିରେ ୧୦୮ ଲେଖାଯାଇଛି ? ୧୦୨ ଜନନୀ ଏକ୍ସପ୍ରେସରେ ୧୦୮ ଲେଖିବା ପାଇଁ ଅନୁମତି ଦେଲା କିଏ ? ଆଦିବାସୀ ବହୁଳ ଅଂଚଳରେ ଲୋକଙ୍କୁ କାହିଁକି ବିଭ୍ରାନ୍ତି କରାଯାଉଛି ? ତାହା ଏବେ ସବୁ ଠାରୁ ବଡ ପ୍ରଶ୍ନ ।