ଭାରତୀୟ କ୍ରିକେଟ ଟିମ୍ ପାଇଁ ରେଡ ଆଲର୍ଟ ! ୟୋ-ୟୋ ଫିଟନେସ ଟେଷ୍ଟରେ ଫେଲ୍ ହେଉଛନ୍ତି ଷ୍ଟାର ପ୍ଲେୟାର, ଦଳ ପାଇଁ ବଢ଼ୁଛି ଅଡୁଆ ।

68

ଭାରତୀୟ ଷ୍ଟାର ଖେଳାଳୀ ଏବଂ ପ୍ରଥମ ଶ୍ରେଣୀରେ ଉତ୍ତମ ପ୍ରଦର୍ଶନ କରୁଥିବା ଖେଳାଳୀମାନଙ୍କୁ ଦେବାକୁ ପଡିବ ୟୋ-ୟୋ ଫିଟନେସ ଟେଷ୍ଟ । ତେବେ ପୂର୍ବରୁ ବିସିସିଆଇ ଖେଳାଳୀଙ୍କର କେବଳ ଷ୍ଟାଣ୍ଡାର୍ଡ ବିପ୍ ଟେଷ୍ଟ କରୁଥିଲା । କିନ୍ତୁ ବର୍ତ୍ତମାନ ବିସିସିଆଇ ଏକ ନୂଆ ଟ୍ରେଣ୍ଡ ଯଥା ୟୋ-ୟୋ ଟେଷ୍ଟ ଆରମ୍ଭ କରିଛନ୍ତି । ଯାହାକି ଗତ ବର୍ଷ ଠାରୁ ଲାଗୁ ହୋଇଥିବାବେଳେ ଅନେକ ତାରକା ଖେଳାଳୀ ଏହି ଟେଷ୍ଟରେ ଫେଲ ହୋଇ ଟିମରୁ ବାହାର ମଧ୍ୟ ହୋଇଛନ୍ତି ।

ଚଳିତ ବର୍ଷ ମଧ୍ୟ ପ୍ରଥମ ଶ୍ରେଣୀ ଏବଂ ଆଇପିଏଲ ପ୍ରତିଯୋଗିତାରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ୟୋ-ୟୋ ଟେଷ୍ଟରେ ଫେଲ ହେବାରୁ ଟିମରେ ସ୍ଥାନ ମିଳିନାହିଁ । ସେଥି ମଧ୍ୟରେ ଅଛନ୍ତି ୩ ଭାରତୀୟ ଖେଳାଳୀ ଯଥା- ଇନଫର୍ମ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ, ସଂଜୁ ସାମସନ ଓ ଫାଷ୍ଟ ବୋଲର ମହମ୍ମଦ ଶାମି । ତେବେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମି ୟୋ-ୟୋ ଟେଷ୍ଟରେ ଫେଲ ହେବାରୁ ତାଙ୍କୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରୁ ବାଦ ହେବାକୁ ପଡିଛି । ସେହିପରି ଆଇପିଏଲରେ ନିଜ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିବା ଅମ୍ବାତି ରାଇଡୁ ଏବଂ ସଂଜୁ ସାମସନଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳି ନାହିଁ ।

ପୂର୍ବରୁ ମଧ୍ୟ ୨୦୧୭ରେ ଅମିତ ମିଶ୍ରା, ଯୁବରାଜ ସିଂ, ସୁରେଶ ରାଇନା ଏବଂ ୱାସିଂଟନ ସୁନ୍ଦର ମଧ୍ୟ ଏହି ୟୋ-ୟୋ ଟେଷ୍ଟରେ ଫେଲ ହୋଇଥିଲେ । କିନ୍ତୁ କିଛି ଦିନର ବ୍ୟବଧାନ ମଧ୍ୟରେ ପୁଣି ନିଜର ଫିଟନେସକୁ ସୁଧାରି ଟେଷ୍ଟରେ ପାସ କରି ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଏହି ଖେଳାଳୀ । ଚଳିତ ବର୍ଷ କିନ୍ତୁ ଅମ୍ବାତି ରାଇଡୁ, ମହମ୍ମଦ ଶାମି ଏବଂ ସଂଜୁ ସାମସନ ୟୋ-ୟୋ ଟେଷ୍ଟରେ ଫେଲ ହୋଇ ଇଂଲଣ୍ଡ ଗସ୍ତରେ ହେବାକୁଥିବା ମ୍ୟାଚରୁ ମଧ୍ୟ ବାଦ ପଡିଥିବା ସୂଚନା ମିଳିଛି । କିକ୍ରେଟ ବିଶେଷଜ୍ଞମାନେ କହୁଛନ୍ତି ଯେ, ପୂର୍ବରୁ ଭାରତୀୟ କ୍ରିକେଟ ଟିମରେ ହେଉଥିବା “ବିପ୍-ଟେଷ୍ଟ”ର ଏହା ଆଡଭାନ୍ସ ଭର୍ସନ ।

ୟୋ-ୟୋ ଟେଷ୍ଟ କ’ଣ ?

ବିଭିନ୍ନ ଦେଶର ସମସ୍ତ କ୍ରିକେଟ ଖେଳାଳୀଙ୍କୁ ୟୋ-ୟୋ ଟେଷ୍ଟ ଦେବା ପାଇଁ ବାଧ୍ୟତାମୂଳକ କରିଛନ୍ତି ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) । ସୂଚନା ମୁତାବକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳୀଙ୍କ ଫିଟନେସ ଏହି ୟୋ-ୟୋ ଟେଷ୍ଟରେ ଉନ୍ନତମାନର ରହିଛି । ୟୋ-ୟୋ ଟେଷ୍ଟରେ ୨୦ ମିଟର ଦୂରତା ମଧ୍ୟରେ ୩ଟି ଲାଇନ ରହିବ । ଉଦାହରଣ ସ୍ୱରୁପ ଏ-ବି-ସି, ଏ ରୁ ବି ୨୦ ମିଟର ଦୂରତା ହୋଇଥିବାବେଳେ ବି ରୁ ସି ମଧ୍ୟରେ ୫ ମିଟର ଦୂରତା ରହିବ । ଯାହାଦ୍ୱାରା ଏକ ତ୍ରିକୋଣୀୟ ଚିତ୍ର ଭଳି ପରିଲିକ୍ଷିତ ହୋଇଥାଏ ଏହି ଲାଇନ । ଏହାସହ ପ୍ରତିମିନିଟରେ ଖଳାଳୀଙ୍କୁ ଗତି ବଢ଼ାଇବାକୁ ପଡିଥାଏ ଏବଂ ଯଦି ଏହି ଟେଷ୍ଟରେ ସଠିକ ସମୟ ମଧ୍ୟରେ ଖେଳାଳୀ ଏହି ସବୁ ଟେଷ୍ଟକୁ ପୂରଣ ନ କରନ୍ତି ତେବେ ତାଙ୍କୁ ଫେଲ କରାଯାଇଥାଏ । ଯାହାଦ୍ୱାରା ସେମାନଙ୍କ ଫିଟନେସ ଟେଷ୍ଟକୁ ନେଇ ପ୍ରଶ୍ନବାଚୀ ଉଠିବା ନେଇ ତାଙ୍କୁ ଦଳରୁ ମଧ୍ୟ ବାଦ୍ କରିଦିଆଯାଏ ।

ଭାରତୀୟ କ୍ରିକେଟ ଦଳର ଫିଟନେସ ଟ୍ରେନର ବାସୁ ଶଙ୍କରଙ୍କ କହିବା ମୁତାବକ ୟୋ-ୟୋ ଟେଷ୍ଟରେ ଇଂଲଣ୍ଡ ଦଳର ଖେଳାଳୀମାନଙ୍କ ସ୍କୋର ୨୦ରୁ ୨୨ ରହିଥିବାବେଳେ ଭାରତୀୟ କ୍ରିକେଟ ଦଳର କିଛି ଖେଳାଳୀଙ୍କର ସ୍କୋର ୧୯.୫ ମଧ୍ୟରେ ରହିଛି । କିନ୍ତୁ ନିକଟରେ ୟୋ-ୟୋ ଟେଷ୍ଟରେ ରନ ମେସିନ୍ ବିରାଟ କୋହଲି ୨୧ ସ୍କୋର କରିଛନ୍ତି । ତେବେ ଆସନ୍ତା ଜୁନ ୨୩ ତାରିଖରୁ ବିଦେଶ ଗସ୍ତରେ ଯିବା ଭାରତୀୟ କ୍ରିକେଟ ଟିମ ପାଇଁ ଖୁସି ଖବର ଯେ, ହିଟ-ମ୍ୟାନ ରୋହିତ ଶର୍ମା ମଧ୍ୟ ଏହି ୟୋ-ୟୋ ଟେଷ୍ଟରେ ପାସ ହୋଇ ଦଳରେ ସ୍ଥାନ ପାଇଛନ୍ତି । ଜୁନ ୨୭ ଓ ୨୯ ତାରିଖରେ ଆର୍ୟଲାଣ୍ଡ ବିପକ୍ଷ ଦୁଇଟି ଟି-୨୦ ମ୍ୟାଚ ଖେଳିବ ଭାରତ । ଏହାପରେ ଜୁଲାଇ ୩ ତାରିଖରୁ ଇଂଲଣ୍ଡ ବିପକ୍ଷରେ ୩ଟି ଟି-୨୦, ୩ଟି ଦିନିକିଆ ଏବଂ ୫ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ ଭାରତୀୟ ଦଳ ।