ଗୃହମନ୍ତ୍ରୀଙ୍କ ପାଇଁ ଅନ୍ଧାର ହେଲା ୨୦ଟି ଗାଁ । ରାଜନାଥ ସିଂଙ୍କ ହେଲିକପ୍ଟର ଅବତରଣ ପାଇଁ ୧୨ ଘଣ୍ଟା କଟାହେଲା ବିଜୁଳି ।

30

ଭିଆଇପି ପ୍ରଥା ଶେଷ କରିବା ପାଇଁ ଉପରସ୍ଥରରେ ଯେତେ ଚେଷ୍ଟା କରାଗଲେ ମଧ୍ୟ ବାସ୍ତବରେ ଏହାର କୌଣସି ଅର୍ଥ ନାହିଁ । ଆଉ ଏହାର ଏକ ବାସ୍ତବ ଚିତ୍ର ମଧ୍ୟପ୍ରଦେଶ ଜିଲ୍ଲାର ସତନା ଜିଲ୍ଲାରେ ଦେଖିବାକୁ ମିଳିଛି । ଯେଉଁଠି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କର ହେଲିକପ୍ଟରକୁ ସୁରକ୍ଷିତ ଭାବେ ଅବତରଣ କରିବା ପାଇଁ ବିଦ୍ୟୁତ ବିଭାଗ ୧୨ ଘଣ୍ଟା ପର୍ଯ୍ୟନ୍ତ ୨୦ଟି ଗାଁର ବିଜୁଳି କାଟିଦେଇଥିଲେ ।
କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ସତନା ଜିଲ୍ଲାକୁ ସହିଦ ଠାକୁର ରଣମନ ସିଂଙ୍କର ପ୍ରତିମା ଉନ୍ମୋଚନ କରିବା ପାଇଁ ଆସିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ । ରଣମନ ସିଂ ୧୮୫୭ ମସିହାର ଲଢେଇରେ ବ୍ରିଟିଶ ଶାସନ ବିରୋଧରେ ଲଢିବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସତନାର ତାପମାତ୍ରା କ୍ରମାଗତ ଭାବେ ୪୦ ଡିଗ୍ରୀ ଉପରେ ରହି ଆସୁଛି । ଏଭଳି ଭୀଷଣ ଗରମରେ ଗାଁ ଗୁଡିକର ବିଜୁଳି କାଟିବା ଦ୍ୱାରା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ପରେ ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗ ଅଫିସ ସାମ୍ନାରେ ହୋହାଲ୍ଲା କରିବା ପରେ ଗାଁକୁ ବିଜୁଳି ଛଡାଯାଇଥିଲା । ଯେତେବେଳେ ଗୃହମନ୍ତ୍ରୀ ଏ ବାବଦରେ ଜାଣିବାକୁ ପାଇଥିଲେ, ସେ ସଡକ ରାସ୍ତାରେ କୋଠୀନଗର ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ।ଏହା ସହ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ବିଜୁଳି ସପ୍ଲାଏ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।