ସ୍କୁଲରେ ନାହାନ୍ତି ସ୍ଥାୟୀ ଶିକ୍ଷକ ! ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ପୋଲିସ କର୍ମଚାରୀ ।

279

କନକ ବ୍ୟୁରୋ : ନାହାନ୍ତି ଶିକ୍ଷକ, ପିଲାଙ୍କୁ ପାଠ ପଢାଉଛନ୍ତି ପୋଲିସ କର୍ମଚାରୀ । ସମ୍ବଲପୁର ଜିଲ୍ଲା ରିଜର୍ଭ ପୋଲିସ ଭିତରେ ଥିବା ପୋଲିସ ହାଇସ୍କୁଲରେ ୪ଜଣ ପୋଲିସ କର୍ମଚାରୀ ଶିକ୍ଷାଦାନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଛି । ଯେଉଁଥିପାଇଁ ଏହି ୪ଜଣ ପୋଲିସ କର୍ମଚାରୀ ନିରଞ୍ଜନ ତ୍ରିପାଠୀ, ମଞ୍ଜୁଲତା ପଟ୍ଟନାୟକ, ପ୍ରକାଶ ପରିଡା, ବିଦ୍ୟାଧର ନାୟକ ଶିକ୍ଷକଙ୍କ ସ୍ଥାନରେ ପାଠ ପଢାଉଛନ୍ତି ।

ଏହି ୪ଜଣ ପୋଲିସ କର୍ମଚାରୀ ଦୀର୍ଘ ବର୍ଷ ହେଲା ନିରବଚ୍ଛିନ ଭାବେ ପାଠ ପଢାଇବା ସହ ନିଜେ ପ୍ରସ୍ତୁତ ହୋଇ ପ୍ରତ୍ୟେକ ଦିନ ସ୍କୁଲକୁ ଆସି ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଥାନ୍ତି । ଆଉ ସେମାନେ ଭଲ ପାଠ ମଧ୍ୟ ପଢାଉଥିବା କହିଛନ୍ତି ଛାତ୍ରଛାତ୍ରୀ । ୨୦୦୭ ମସିହାରେ ଏହି ସ୍କୁଲରେ ଶିକ୍ଷକ ଅଭାବ ହେବାରୁ, ତତ୍କାଳୀନ ଏସପି ଶିକ୍ଷା ବାଧାପ୍ରାପ୍ତ ନହେବା ପାଇଁ ଏହି ୪ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିଥିଲେ ।

କିନ୍ତୁ ଶିକ୍ଷା ବିଭାଗ ଏଯାଏଁ ସ୍ଥାୟୀ ଶିକ୍ଷକ ନଦେବା ଶିକ୍ଷା ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କହିବା କଥା ୨୦୦୦ ମସିହାଠାରୁ ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡିକ ପାଇଁ ଶିକ୍ଷକ ନିଯୁକ୍ତି କରାଯାଉନଥିବାବେଳେ ଖୁବ ଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ । ତେବେ ପ୍ରଶ୍ନ ଉଠୁଛି ଦୀର୍ଘ ୨୦୦୭ ମସିହାରୁ କାହିଁକି ଶିକ୍ଷା ବିଭାଗ ଏଥି ପ୍ରତି ଧ୍ୟାନ ଦେଉନି । ଆଉ ଦେଖିବାକୁ ରହିଲା ଏହି ସ୍କୁଲରେ କେବେ ଶିକ୍ଷକ ନିଯୁକ୍ତ ହେଉଛନ୍ତି ।