ଜନତାଙ୍କ ଉପରେ ତେଲ ପାହାର ଦେଉଛି କିଏ ? ତେଲକୁ ନେଇ ରାଜ୍ୟ ରାଜନୀତିରେ ଲାଗିଛି ନିଆଁ ।

37

ବେଲଗାମ ହେଉଛି ତେଲ ଦର । ଅହେତୁକ ଭାବେ ବୃଦ୍ଧି ପାଉଥିବା ତେଲ ଦରକୁ ନେଇ ରାଜ୍ୟ ରାଜନୀତି ଏବେ ଜୋର ଧରିଛି । ପେଟ୍ରୋଲ ଓ ଡିଜେଲ୍ ଦରକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି ଉଭୟ ବିଜେଡି ଓ ବିଜେପି । ଗତକାଲି ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଆସନ୍ତା ୨୮ ତାରିଖରୁ ୩ ଦିନିଆ ଆନ୍ଦୋଳନର ଡାକରା ଦେଇଛି ବିଜେଡି । ସେହିପରି ସେପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ସରକାରଙ୍କୁ ତୈଳ ଉପରେ ନେଉଥିବା ଭାଟ୍ ହାରକୁ କମାଇବାକୁ ପରାମର୍ଶ ଦେଇଛନ୍ତି । ଏବଂ ଅହେତୁକ ଭାବେ ବୃଦ୍ଧି ପାଉଥିବା ତୈଳ ଦରକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେ ଦିଗରେ କେନ୍ଦ୍ର ସରକାର ଚିନ୍ତା କରୁଥିବା ଯୁକ୍ତି ବାଢ଼ିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

କିନ୍ତୁ ତୈଳ ଦର ଉପରେ ଯଦି ଲଗାମ ଲଗାଇବାକୁ ହେବ ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଗତବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର ତୈଳ ଦର ଉପରୁ ୨ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ  । କିନ୍ତୁ ଦୁଃଖର କଥା ଯେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ତୈଳ ଉପରେ ଭାଟ୍ ହ୍ରାସ ନ କରି ଓଲଟି ୨୬ ପ୍ରତିଶତ ଭାଟ୍ ଦର ନେଉଥିବା କହିଛନ୍ତି ଧର୍ମେନ୍ଦ୍ର । ତେବେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ସ୍ଥିରତା ନଥିବାରୁ ଏଭଳି ତୈଳ ଦର ବୃଦ୍ଧି ହେଉଛି । ଏହାସହ ଡଲାର ମୂଲ୍ୟ ବୃଦ୍ଧି ତୈଳ ଦର ବଢ଼ାଇବାର ଅନ୍ୟ ଏକ କାରଣ ବୋଲି ମଧ୍ୟ ଧର୍ମେନ୍ଦ୍ର ଉକ୍ତି ରଖିଛନ୍ତି ।

 ସେହିପରି ବିଜେଡି ମଧ୍ୟ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ପାଲଟା ଜବାବ ରଖିଛି । ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶା କମ୍ ପ୍ରତିଶତ ଭାଟ୍ ଦର ନେଉଛି । କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ତୁଳନାରେ ଓଡିଶାର ଭାଟ୍ ଯଥେଷ୍ଟ କମ୍ ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ଏବଂ ତେଲ ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ ନିଜ ଦାୟିତ୍ୱ ଲୁଚାଇବା ପାଇଁ ଧର୍ମେନ୍ଦ୍ର ରାଜ୍ୟସରକାରଙ୍କୁ ଦୋଷ ଦେଉଛନ୍ତି ।  ତେବେ ତୈଳ ଦରକୁ ଜିଏସଟି ଅନ୍ତର୍ଭୁକ୍ତ କରିବା ନେଇ ଜିଏସଟି କାଉନସିଲ ବୈଠକରେ ପ୍ରସ୍ତାବ ଆସିଲେ ଆମେ ବିଚାର କରିବୁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

 ତେବେ ରାଜ୍ୟରେ ତେଲ ରାଜନୀତିକୁ ଜୋର କରିବା ପାଇଁ ବିଜେଡି ଆସନ୍ତା ୨୮ତାରିଖରୁ ରାଜ୍ୟର ୩୧୪ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ । ଏବଂ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ପ୍ରତିବାଦ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ମଧ୍ୟ ଦିଆଯିବ । କିନ୍ତୁ ପ୍ରକୃତରେ ଜନତାଙ୍କ ସ୍ୱାର୍ଥ ପାଇଁ କିଏ ଲଢ଼ୁଛି ଆଉ କାହାର ଆନ୍ତରିକତା ଅଛି ତାହା ଆଗାମୀ ଦିନରେ ହିଁ ଜଣା ପଡିବ । କାରଣ ତେଲ ଦର ବୃଦ୍ଧିରେ ରାଜନେତା କି ସରକାରୀ ବାବୁଙ୍କ ପକେଟରେ କିଛି ପ୍ରଭାବ ନ ପଡିପାରେ କିନ୍ତୁ ଜଣେ ଖଟିଖିଆ ଦିନ ମଜୁରିଆ, ଚାଷୀ  ଓ ସାଧାରଣ ଜନତାଙ୍କ ଉପରେ ଏହା ଚାବୁକ ପାହାର ସଦୃଶ ବୋଲି ଅନୁଭବ କରୁଛନ୍ତି ଜନତା ।