କର୍ମଚାରୀଙ୍କ ଅନ୍ଦୋଳନ ଯୋଗୁଁ ସୁନ୍ଦରଗଡ ଜିଲ୍ଲାର ୪୪ ଲ୍ୟାମ୍ପସରେ ପଡିଛି ତାଲା ! ଅସୁବିଧା ଭୋଗୁଛନ୍ତି ଚାଷୀ

40

କନକ ବ୍ୟୁରୋ : ସରକାରୀ କର୍ମଚାରୀ ମାନ୍ୟତା ସମେତ ୫ ଦଫା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ସୁନ୍ଦରଗଡ ଜିଲ୍ଲା ଲ୍ୟାମ୍ପସ କର୍ମଚାରୀ ସଂଘ । ରାଜ୍ୟସ୍ତରୀୟ ଆନ୍ଦୋଳନରେ ସାମିଲ ହୋଇ ଜିଲ୍ଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି । ଜିଲ୍ଲାର ୪୪ଟି ବୃହତକାର ଆଦିବାସୀ ବହୂମୁଖୀ ସମବାୟ ସମିତି ଅଫିସରେ ତାଲା ପଡିଛି । ଫଳରେ ଏହା ଉପରେ ନିର୍ଭର କରୁଥିବା ଚାଷୀ ଓ ଜମାକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଥିବା ଏହି ସବୁ ଲ୍ୟାମ୍ପସ ଉପରେ ଜିଲ୍ଲାର ଆଦିବାସୀ ଚାଷୀ ନିର୍ଭର କରିଥାନ୍ତି । ଏଠାରୁ କୃଷିଋଣ, ବିହନ ଓ କିଟନାଶକ ନେଇଥାନ୍ତି ଚାଷୀ । ସବୁଠାରୁ ବଡ ସମସ୍ୟା ହେଉଛି ଏବେ ଫସଲ ଅମଳ ସମୟ ହୋଇଥିବା ବେଳେ ସମବାୟ ସମିତି ଅଫିସ ବନ୍ଦ ଚାଷୀଙ୍କୁ ଚିନ୍ତାରେ ପକାଇଛି । ତେଣେ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ କର୍ମଚାରୀ । ଆନ୍ଦୋଳନ ଭିତରେ କିନ୍ତୁ ଜିଲ୍ଲାରେ ଚାଲିଛି ନିଖିଳଭାରତ ସମବାୟ ସପ୍ତାହ ପାଳନ ।