ରାଜ୍ୟରେ ସ୍ୱାଭାବିକ ମୌସୁମି ବର୍ଷା ସତ୍ୱେ ମହାନଦୀରେ ପାଣି ନାହିଁ !

25

କନକ ବ୍ୟୁରୋ : ରାଜ୍ୟରେ ମୌସୁମି ବର୍ଷା ସ୍ୱାଭାବିକ ହେଲା । ଏପରିକି ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେଲା । କିନ୍ତୁ ମହାନଦୀରେ ପାଣି ନାହିଁ । ମହାନଦୀର ତଳମୁଣ୍ଡ ଶୁଖିଗଲାଣି । ସ୍ଥିତି ଏପରି ହୋଇଛି ଯେ, ମହାନଦୀରେ ଡଙ୍ଗା ଚାଲିବାକୁ ପାଣି ନାହିଁ । ମହାନଦୀର ଯେଉଁଠି ଅକାତକାତ ପାଣି ରହୁଥିଲା ଏବେ ସେଠାରେ ବାଲି ଦେଖାଯାଉଛି । ସ୍ଥିତି ଏପରି ହୋଇଛି ଯେ, ଆଶ୍ୱିନ ସରିବାର ମାସେ ପୂରିନି ମହାନଦୀରେ ଡଙ୍ଗା ଚାଲିବା ଭଳି ପାଣି ଛାଡ଼ିବାକୁ ମୁଣ୍ଡୁଳି ଗେଟ୍‌ ଖୋଲିବାକୁ ପଡ଼ିବ ।

ପଞ୍ଚକ ଏବଂ ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାବେଳେ ଶହ ଶହ ଶ୍ରଦ୍ଧାଳୁ କଟକ ପାର୍ଶ୍ୱରୁ ଡଙ୍ଗାରେ ଧବଳେଶ୍ୱର ପୀଠକୁ ଯାଆନ୍ତି । ମହାନଦୀରେ ଏହି ସମୟରେ ପର୍ଯ୍ୟାପ୍ତ ପାଣି ରହୁଥିବାରୁ ଡଙ୍ଗା ଚଳାଚଳରେ କୌଣସି ଅସୁବିଧା ହୋଇନଥାଏ । ଏପରିକି ଡଙ୍ଗାରେ ଯାତାୟତ କରୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଯେଉଁ ସମୟରେ ପ୍ରଶାସନ ଘନଘନ ବୈଠକ ଡାକେ ଚଳିତବର୍ଷ ସେହି ସମୟରେ ଡଙ୍ଗା ଯାତାୟତ ପାଇଁ ମହାନଦୀରେ ପାଣି ଛାଡ଼ିବାକୁ ଜଳସମ୍ପଦ ବିଭାଗକୁ ଚିଠି ଲେଖିଛି ।

ଝୁଲା ପୋଲ ଉପରେ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ନିକଟସ୍ଥ ଲୋକଙ୍କୁ ସୁବିଧାରେ ଯାତାୟତ ସୁବିଧା ଯୋଗାଇବା ପାଇଁ ପ୍ରଶାସନ ଡଙ୍ଗା ଚଳାଚଳକୁ ବି ଗୁରୁତ୍ୱ ଦେଇଥାଏ । ହେଲେ ଚଳିତବର୍ଷ ମହାନଦୀରେ ପାଣି ନଥିବାରୁ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ତେଣୁ ପଞ୍ଚକ ଓ ବଡ଼ ଓଷାକୁ ନଜରରେ ରଖି ଆସନ୍ତା ଅକ୍ଟୋବର ୩୧ରୁ ନଭେମ୍ବର ୪ତାରିଖ ପର୍ଯ୍ୟନ୍ତ ମୁଣ୍ଡୁଳି ବ୍ୟାରେଜ୍‌ ଖୋଲିବାକୁ ଲୋୟର ମହାନଦୀ ବେସିନ୍‌ର ବନ୍ୟା ନିୟନ୍ତ୍ରଣ ଏବଂ ବେସିନ୍‌ ମ୍ୟାନେଜର, ମୁଖ୍ୟଯନ୍ତ୍ରୀ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି ।

ଜଳସମ୍ପଦ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ନରାଜରେ ୨୧.୯୫ମିଟର ପାଣି ଥିବାବେଳେ ବଡ଼ ଓଷା ପାଇଁ ଧବଳେଶ୍ୱରକୁ ଯେଉଁ ସ୍ଥାନରୁ ଡଙ୍ଗା ଯାତାୟତ କରେ ସେହି ଡଙ୍ଗା ଘାଟରେ ଏବେ ବହୁତ କମ୍‌ ପାଣି ଅଛି । ଅଧିକାଂଶ ସ୍ଥାନରେ ବାଲି ଜମି ରହି ଥିବାରୁ ଡଙ୍ଗା ଯାଇପାରିବନି । ପାଣି ଏତେ କମ୍‌ ନାହିଁ ଯେ ଲୋକ ବି ଚାଲି ଚାଲି ନଦୀ ପାର୍‌ ହୋଇଯିବେ । ତେଣୁ ଆମେ ୫ଦିନ ପାଇଁ ମୁଣ୍ଡୁଳି ବ୍ୟାରେଜ୍‌ ଖୋଲିବାକୁ ଯୋଜନା କରୁଛୁ । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ୍‌ ବନ୍ଦ କରିଦେବା ପରେ ମହାନଦୀରେ କିପରି ଜଳସଙ୍କଟ ଦେଖାଯାଉଛି ଏହା ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ।