ପ୍ରଧାନଶିକ୍ଷକ ମଦ ପିଇଲେ ବୋଲି ସ୍କୁଲକୁ ଆସୁ଼ୁନାହାଁନ୍ତି ଛାତ୍ରଛାତ୍ରୀ, ପ୍ରତିବାଦର ପାଠଶାଳା ଷ୍ଟାଇଲ୍

37

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନ ମାନଙ୍କରେ ଶୃଙ୍ଖଳିତ ପରିବେଶ ଏବଂ ଗୁରୁଶିଷ୍ୟଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ୱଳମୟ ହୋଇପାରିବ । ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆମ୍ବିଳିଗାଁ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି ବ୍ୟତିକ୍ରମ । ଜଣେ ଶିକ୍ଷକଙ୍କ ପାଇଁ ପିଲାମାନେ ସ୍କୁଲକୁ ଆସୁନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କ୍ଷୀରୋଦ ଚନ୍ଦ୍ର ନାୟକ ନାମକ ଏହି ସ୍କୁଲର ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଛନ୍ତି । ତେବେ କିଛି ଅସାମାଜିକ ଲୋକଙ୍କ ସହ ମଦ୍ୟପାନ କରି ଶିକ୍ଷାଦାନ ପାଇଁ ବିଦ୍ୟାଳୟକୁ ଆସୁଥିବା ବେଳେ ଏହାକୁ ବିରୋଧକରି ଅବିଭାବକ ମାନେ ବିଦ୍ୟାଳୟକୁ ନିଜ ପିଲାମାନଙ୍କୁ ଛାଡ଼ୁ ନାହଁନ୍ତି । ଦିନେ କି ଦୁଇ ଦିନ ନୁହେଁ ବରଂ ଦୀର୍ଘ ୧ ସପ୍ତାହ ହେବ ଆମ୍ବିଳିଗାଁ ପ୍ରାଥମିକ ବିଦ୍ୟାଳୟକୁ ଗାଁରେ କୈାଣସି ପିଲା ପାଠପଢ଼ିବାକୁ ଯାଉନଥିବା ଜଣାପଡ଼ିଛି ।

ତେବେ ବିଦ୍ୟାଳୟରେ ପ୍ରଥମରୁ ୫ମଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୦ଜଣ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି । ସେଥିପାଇଁ କ୍ଷୀରୋଦ ଚନ୍ଦ୍ର ନାୟକ ନାମକ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । କିଛି ମାସହେବ ଉକ୍ତ ଶିକ୍ଷକ ଜଣଙ୍କ କେତେକ ଅସାମାଜିକ ଲୋକଙ୍କ ସହ ମିଶି ବିଦ୍ୟାଳୟ ପରିସରରେ ମଦ୍ୟପାନ କରି ପିଲାମାନଙ୍କୁ ଗାଳିଗୁଲଜ କରିବା ସହ ଏବଂ ମାଡ଼ ମାରୁଥିବା ନେଇ ଅବିଭାବକ ମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଅବିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ଏକ ବୈଠକରେ ହୋଇଥିଲା । ଯେଉଁଥିରେ ଶିକ୍ଷକଙ୍କୁ ବଦଳି କରାଯିବା ନିଷ୍ପତି ହୋଇଥିଲା ।

ଏ ସମ୍ପର୍କରେ ଗତ ୧୮ତାରିଖରେ ମଧ୍ୟ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଛାଡ଼ିବାକୁ ବାରଣ କରିଥିଲେ । ଫଳରେ ବିଦ୍ୟାଳୟକୁ କୌଣସି ପିଲା ପାଠ ପଢ଼ିବା ପାଇଁ ଯାଉନଥିବା ଦେଖିବାକୁ ମିଳିଛି । ଅଭିଯୋଗର ୮ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ତଦନ୍ତ କିମ୍ବା ଶିକ୍ଷକଙ୍କ ବଦଳି ହୋଇନଥିବା ବେଳେ ଗତ ଶନିବାର ଅନ୍ୟଜଣେ ଶିକ୍ଷକଙ୍କୁ ନାମକୁ ମାତ୍ର ନିଯୁକ୍ତି ଦିଆଯାଇଥିବାରୁ ଅବିଭାବକ ମାନେ ତାଙ୍କ ପିଲାଙ୍କୁ ବିଦ୍ୟାଳୟକୁ ପାଠପଢ଼ିବା ପାଇଁ ଛାଡ଼ିଥିଲେ । ହେଲେ ନୁତନ ଶିକ୍ଷକଙ୍କ ବଦଳରେ କ୍ଷୀରୋଦ ଚନ୍ଦ୍ର ନାୟକଙ୍କୁ ପୁନଃ ବିଦ୍ୟାଳୟକୁ ଆସିଲେ ସମସ୍ତ ଅବିଭାବକ ପିଲାଙ୍କୁ ସ୍ମୁଲକୁ ପାଠ ପଢ଼ାଇବାକୁ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।