କନକ ବ୍ୟୁରୋ : ବେଦିରୁ ଉଠିଗଲା, ଥାନାରେ ବାହାହେଲା ମଦୁଆ ବର । ଥାନାରେ ମଙ୍ଗୁଳା କନ୍ୟାକୁ ବାହାହେବା ପାଇଁ ନେହୁରା ହେବାରୁ ପୋଲିସ ଉପସ୍ଥିତିରେ ପଡିଲା ବରଣମାଳା । ଆଜି କୋର୍ଟରେ ହେବ ରେଜିଷ୍ଟ୍ରି ମ୍ୟାରେଜ । ରାଉରକେଲା ସାରନଗରୀ ଜଗନ୍ନାଥ ମନ୍ଦିରକୁ ବିବାହ ପାଇଁ ଆସିଥିବା ବନ୍ଧମୁଣ୍ଡା ଚମ୍ପାଗଡର ବର ଶଙ୍କର ପଣ୍ଡା ମଦ ନିଶାରେ ବେଦୀରୁ ଉଠିଯିବା ସହ ଭାଇ ସାଙ୍ଗରେ ମିଶି କନ୍ୟାପକ୍ଷକୁ ମାରଧର କରଥିବା ଅଭିଯୋଗରେ ଥାନାରେ ଅଟକ ଥିଲା । ପୋଲିସ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବରର ଚେତା ପଶିବା ସହ ମଙ୍ଗୁଳା କନ୍ୟାକୁ ବିବାହ କରିବା ଲାଗି କନ୍ୟା ପକ୍ଷଙ୍କୁ କାକୁତି ମିନତି କରିଥିଲା ।

ଏଥିରେ କନ୍ୟାପକ୍ଷ ରାଜି ହେବାକୁ ଶେଷରେ କନ୍ୟା ବେକରେ ବରଣମାଳା ପକାଇ ଭୁଲ ମାଗିଥିଲା ବର । ଗତକାଲି ସଂଧ୍ୟାରେ ଟାଙ୍ଗରପାଲି ଥାନାରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ବିବାହ ନେଇ ଚୁକ୍ତିନାମା ହେବାରୁ କନ୍ୟାଘର ଲୋକେ ମାମଲା ଫେରାଇ ନେଇଥିଲେ । ତେବେ କନ୍ୟାର ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇସାରିଥିବାରୁ ପୋଲିସ ଚୁକ୍ତିପତ୍ରକୁ କୋର୍ଟରେ ଦାଖଲ କରିବ । ତେଣୁ ଆଜି କୋର୍ଟରେ ପୋଲିସ ଚୁକ୍ତପତ୍ର ଦାଖଲ କରିବା ପରେ ଆଇନ ଅନୁଯାୟୀ ଦୁହିଁଙ୍କର କୋର୍ଟ ମ୍ୟାରେଜ ହେବ । ମଦ ପିଇ ବର ଏଭଳି ହଚହଟା ହେବା ଓ ପରେ ଥାନାରେ ବିବାହ କରିବାକୁ ନେଇ ସାରା ସହରରେ ଚର୍ଚ୍ଚା ।

ଟାଙ୍ଗରପାଲୀ ଥାନା ଲେବର କଲୋନୀର ଅର୍ସୁଲ ପଣ୍ଡାଙ୍କ ଝିଅର ବିବାହ ଥିଲା ବନ୍ଧମୁଣ୍ଡା ଥାନା ଚମ୍ପାଗଡ ବସ୍ତିର ଶଙ୍କର ପଣ୍ଡାଙ୍କ ସହ । ତେବେ ବରଯାତ୍ରୀରେ ଆସିଥିବା ଲୋକେ ଅତ୍ୟଧିକ ମଦ୍ୟପାନ କରି ଗଣ୍ଡଗୋଳ କରିଥିଲେ । ଏପରିକି କନ୍ୟାପକ୍ଷ ଲୋକଙ୍କୁ ଅସଭ୍ୟ ବ୍ୟବହାର କରିବା ସହ ବରଯାତ୍ରୀ ମାରପିଟ କରିବାରୁ ରଣକ୍ଷେତ୍ର ପାଲଟିଲା ବିବାହ ମଣ୍ଡପ । ତେଣୁ ଅଧାରେ ବନ୍ଦ ହେଲା ବିବାହ । କ୍ଷତିପୂରଣ ଦାବିରେ ଝିଅ ଘର ଲୋକେ ଟାଙ୍ଗରପାଲି ଥାନା ଘେରାଉ କରିଥିଲେ ।