ମଦ ନିଶାରେ ଥିବା ଯୁବକଙ୍କୁ କାମୁଡିଲା ସାପ ! ରାଗିଗଲେ ଯୁବକ, ଦାନ୍ତରେ କାମୁଡି ସାପକୁ କରିଦେଲେ ଚାରିଖଣ୍ଡ ।

1,212

କନକ ବ୍ୟୁରୋ : ସାଧାରଣତଃ ସାପକୁ ଦେଖିଲେ ଯେକେହି ବି ଡରି ଯାଇଥାନ୍ତି । ଅତି ନିକଟରେ ସାପକୁ ଦେଖିଦେଲେ ଛାତିରେ ଛନକା ପଶିଯାଏ । ପଶିବନି ବା କାହିଁକି, କାରଣ ସାପ କାମୁଡିଲେ, କ୍ଷଣିକ ସମୟ ମଧ୍ୟରେ ଜୀବନ ଚାଲିଯାଇପାରେ । ଅନେକ ସମୟରେ ଆପଣଙ୍କ ଟିଭିରେ ଦେଖିଥିବେ କିମ୍ବା ଖବରକାଗଜରେ ପଢିଥିବେ ଯେ, ସାପ କାମୁଡାରେ କାହାରି ମୃତ୍ୟୁ ହୋଇଥିବା ଖବର ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ଆପଣ ଶୁଣିଥିବେ, ମଣିଷକୁ ସାପ କାମୁଡିଥାଏ । କିନ୍ତୁ ଏମିତି କେବେ ଶୁଣିଛନ୍ତି କି ସାପକୁ ମଣିଷ କାମୁଡିଛି । କିଛି ଏହିଭଳି ହିଁ ଘଟଣା ଘଟିଛି ଉତ୍ତରପ୍ରଦେଶ ଏଟା ଠାରେ । ରବିବାର ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆସନ୍ତୁ ଜାଣିବା କ’ଣ ଥିଲା ପୁରା ଘଟଣା ।

ମଦ ନିଶାରେ ଥିବା ରାଜକୁମାର ନାମକ ଜଣେ ଯୁବକଙ୍କୁ ଏକ ସାପ କାମୁଡିଥିଲା । ଆଉ ରାଗରେ ସାପକୁ ନିଜ ଦାନ୍ତରେ କାମୁଡି ଖଣ୍ଡ ଖଣ୍ଡ କରିଦେଇଛି ସମ୍ପୃକ୍ତ ଯୁବକ । ସାପକୁ ଦାନ୍ତରେ କାମୁଡିବା ପରେ ସଙ୍ଗେ ସଙ୍ଗେ ବେହୋସ ହୋଇ ତଳେ ପଡିଯାଇଥିଲେ ଯୁବକ । ଏ ସମ୍ପର୍କରେ ପରିବାର ଲୋକ ଜାଣିବା ପରେ, ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

ଉତ୍ତରପ୍ରଦେଶ ଏଟାର ଅସରୋଲି ଗାଁରେ ରହୁଥିବା ରାଜକୁମାରଙ୍କ ଘରେ ରବିବାର ଏକ ଉତ୍ସବ ଥିଲା । ଆଉ ଯେଉଁଥିପାଇଁ ତାଙ୍କ ଘରକୁ ଅନେକ ଅତିଥି ମଧ୍ୟ ଆସିଥିଲେ । ଉତ୍ସବ ପାଇଁ ଅନେକ ଲୋକ ମଦ୍ୟପାନ ମଧ୍ୟ କରିଥିଲେ । ଆଉ କିଛି ସମୟ ପରେ ସେଠାରେ ଏକ ସାପ ଚାଲି ଆସିଥିଲା । ଯାହାକୁ ଦେଖି କିଛି ଲୋକ ଭୟରେ ଦୌଡିଥିଲେ ତ ଆଉ କିଛି ଲୋକ ସାପକୁ ମାରିବାକୁ ଆଗେଇ ଆସିଥିଲେ । ଆଉ ରାଜକୁମାର ମଧ୍ୟ ସାପକୁ ମାରିବାକୁ ଆସିଥିଲେ ।

ମଦ ନିଶାରେ ଥିବା ରାଜକୁମାର ସାପକୁ ମାରିବାକୁ ଆରମ୍ଭ କରିଥିଲେ । ଆଉ ଏହି ସମୟରେ ରାଜକୁମାରଙ୍କୁ କାମୁଡି ଦେଇଥିଲା ସାପ । ସାପ କାମୁଡିବା ପରେ ରାଗିଯାଇଥିଲେ ରାଜକୁମାର । ଏବଂ ସାପକୁ ହାତରେ ଉଠାଇ ଦାନ୍ତରେ କାମୁଡି ଚାରି ଖଣ୍ଡ କରିଦେଇଥିଲେ । ରାଜକୁମାରଙ୍କ ଏଭଳି କାଣ୍ଡ ଦେଖି ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ସମୟ ମଧ୍ୟରେ ରାଜକୁମାର ବେହୋସ ହୋଇ ତଳେ ପଡିଯାଇଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଏବେ ତାଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି ।