ରାଜ୍ୟର ୫ଟି ଜିଲ୍ଲାରେ ଗଜା ମରୁଡି ସ୍ଥିତି : ବିଧାନସଭାରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ, ୫ଜିଲ୍ଲାକୁ ମରୁଡି ପ୍ରବଣ ଜିଲ୍ଳା ଘୋଷଣା କରିବାକୁ ଦାବି

208

କନକ ବ୍ୟୁରୋ : ରାଜ୍ୟର ୫ଟି ଜିଲ୍ଳାରେ ଗଜା ମରୁଡି ସ୍ଥିତି । ଚଳିତ ବର୍ଷ ନିୟମିତ ବର୍ଷା ହେଉନାହିଁ । ବର୍ଷା ଅଭାବରୁ ଚାଷୀ ହତାଶ । ଧାନ ଅମଳ କରିବାର ସ୍ଥିତି କ୍ଷୀଣ । ମୌସୁମୀ ବର୍ଷା ଲୁଚକାଳି ଖେଳୁଛି । ସ୍ୱାଭାବିକ ବର୍ଷା ହେଉନଥିବାରୁ ଚାଷ କାର୍ଯ୍ୟ ବ୍ୟାହତ ହେଉଛି । ଜଳାଭାବ ଯୋଗୁଁ ବହୁ ଜମି ପଡ଼ିଆ ପଡ଼ିଛି । ଯେଉଁ ଜମିରେ ତଳି ପଡ଼ିଥିଲା ତାହା ବର୍ଷା ଅଭାବରୁ ଗଜା ମରୁଡ଼ି ହୋଇଛି । ବୁଣା, ରୁଆ ଯାଇଥିବା ଜମି ଓ ତଳି ପଡ଼ିଥିବା ଜମିରେ ବର୍ଷା ଅଭାବରୁ ଗଛ ମରିବାକୁ ବସିଛି । ରାଜ୍ୟର ଅନେକ ସ୍ଥାନରେ ଚାଷ ଜମି ଫାଟି ଆଁ କଲାଣି । ହତାଶ ହୋଇ ବର୍ଷାକୁ ଅନେଇ ବସିବା ଅପେକ୍ଷା ଚାଷୀ ପାଖରେ ଅନ୍ୟଉପାୟ ନାହିଁ । ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ।

ସମ୍ପ୍ରତି ରାଜ୍ୟରେ ଚାଷୀକୂଳଙ୍କ ଦୟନୀୟ ସ୍ଥିତି ନେଇ ଗୃହରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ । ବିଧାୟକ ସନ୍ତୋଷ ସିଂହ ସାଲୁଜା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ବଲାଙ୍ଗୀର, ବରଗଡ, ବାଲେଶ୍ୱର ସମେତ ୫ଟି ଜିଲ୍ଳାରେ ଚଳିତ ବର୍ଷ ୪୦ ପ୍ରତିଶତରୁ କମ୍ ବୃଷ୍ଟିପାତ ହୋଇଛି । ତେଣୁ ଏହିସବୁ ଜିଲ୍ଲାକୁ ମରୁଡି ପ୍ରବଣ ଜିଲ୍ଳା ଭାବେ ଘୋଷଣା କରିବାକୁ ସେ ଦାବି କରିଛନ୍ତି । ମରୁଡି ସମସ୍ୟା ନେଇ ମନ୍ତ୍ରୀଙ୍କ ଉତ୍ତର ଦାବି କରିବା ସହ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଚଳିତ ବର୍ଷ ଦୁଇ ସପ୍ତାହ ବିଳମ୍ବରେ ମୌସୁମୀ ଆସିଥିଲା । ତାପରେ ପୁଣି ଗାଏବ ହୋଇଯାଇଥିଲା । ତେଣୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗଜା ମରୁଡି ସ୍ଥିତି ସୃଷ୍ଟି ହୋଇଛି ।

ଏଭଳି ସ୍ଥିତରେ ଚାଷୀକୂଳ କ’ଣ କରିବେ ? ସାମାନ୍ୟ ବର୍ଷାର ବ୍ୟତିକ୍ରମ ହେଲେ ଚାଷୀମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ସରକାରଙ୍କ ଫସଲ ବୀମା ଯୋଜନା କାମ ଦେଉନି । ସରକାର ଏଦିଗରେ ତୁରନ୍ତ ଆଲୋଚନା କରି ପଦକ୍ଷେପ ନିଅନ୍ତୁ ବୋଲି ଗୃହରେ ଦାବି ହୋଇଛି ।