ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ମରୁଡିର ଚିତ୍ର । ପାଣି ବିନା ଶୁଖିଲା ପଡିଛି ଧାନ କ୍ଷେତ, ଦାଦନ ଖଟିବା ପାଇଁ ଚାଷୀଙ୍କ ପ୍ରସ୍ତୁତି

ଗତବର୍ଷ ଚାଷ ନଷ୍ଟ ହୋଇଥିବା ବେଳେ ଏବର୍ଷର ବର୍ଷା ଦୁଃଖରେ ସନ୍ତୁଳି ହେଉଛି ଚାଷୀ

86

କନକ ବ୍ୟୁରୋ: ପାଣି ଅଭାବରୁ ମରୁଡି ପରିସ୍ଥିତି । ଋଣ କରି ଫସଲ କରିଥିବା ଚାଷୀ ଏବେ କଣ କଣ କରିବ ବୁଝିପାରୁନି । ପାଖରେ ଟଙ୍କା ନାହିଁ ଋଣ ସୁଝିବାକୁ । ପୁଣି ଫସଲ ନଷ୍ଟ ବୋଝ । ଗତବର୍ଷ ଚାଷ ନଷ୍ଟ ହୋଇଥିବା ବେଳେ ଏବର୍ଷର ବର୍ଷା ଦୁଃଖରେ ସନ୍ତୁଳି ହେଉଛି ଚାଷୀ । ବହୁ କଷ୍ଟରେ ଧାର ଉଧାର ଫସଲ ବଂଚାଇବାକୁ ବିଲରେ ପାଣି ମଡାଉଛି ଚାଷୀ । କେମିତି ରହିଛି ଚାଷୀ ଓ ଚାଷର ଅବସ୍ଥା, ଗ୍ରାଉଣ୍ଡଜିରୋରେ ସ୍ଥିତି ଅନୁଧ୍ୟାନ କରିଥିଲେ ଆମର ପ୍ରତିନିଧି । ପଢନ୍ତୁ ବଲାଙ୍ଗିର ଏବଂ ନୂଆପଡାରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଏହି ଚିତ୍ର ମରୁଡି ପ୍ରଭାବିତ ଦୁଇଟି ଜିଲ୍ଲାର । ବଲାଙ୍ଗିର ଏବଂ ନୂଆପଡାରେ ଏବେ ମରୁଡି ପରିସ୍ଥିତି । ପାଣି ଅଭାବରୁ ଫସଲ ନଷ୍ଟ ହୋଇଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଯାହା ଋଣ କରି ଚାଷ କରିଥିଲା ସେ ସବୁ ମାଟିରେ ମିଶିଗଲା । ଏବେ କରିବେ ତ କଣ କରିବେ । କିଏ ବୁଝିବ ଦୁଃଖ । ବଲାଙ୍ଗିରରେ ଗତବର୍ଷ ମରୁଡିରେ ଭାଙ୍ଗି ପଡିଥିବା ଚାଷୀ ଆଶା କରିଥିଲା ଏଥର ସୁନାର ଫସଲ ହେବ ।

ହେଲେ ଧାନ କ୍ଷୀର ଧରିବା ସମୟରେ ପୋକ ଲାଗି ଧାନ ଗଛ ନଷ୍ଟ ହୋଇଯାଇଛି । ଆଉ ଯାହାର ଫସଲ ବଂଚିଛି, ମୋଟର ସାହାଯ୍ୟରେ ପାଣି ମଡାଇ ଚାଷ ବଂଚାଇବାକୁ ସଂଘର୍ଷ କରୁଛି । ରାଜ୍ୟ ସରକାର ବଲାଙ୍ଗିର ଜିଲ୍ଲାର ୪ଟି ବ୍ଲକରେ ମରୁଡି ଘୋଷଣା କରିଛନ୍ତି । କିନ୍ତୁ ଏହା ଛଡା ଅନ୍ୟ କେତେକ ବ୍ଲକରେ ମଧ୍ୟ ମରୁଡି ପରିସ୍ଥିତି ରହିଛି ।

ସେହିପରି ନୂଆପଡାରେ ମରୁଡିର ମାଡରେ ଚାଷୀ ବେହାଲ । ଜିଲ୍ଲାର ୫ଟି ବ୍ଲକରେ ଥିବା ୨୨,୨୪୨ ହେକ୍ଟର ଚାଷ ଜମି ମରୁଡି ପ୍ରଭାବିତ । ଯେଉଁଥିରେ ୩୩ରୁ୫୦ ପ୍ରତିଶତ ଫସଲ ନଷ୍ଟ ହୋଇଛି । ୩ବର୍ଷ ଧରି ସମାନ ପରିସ୍ଥିତିର ସାମନା କରୁଛନ୍ତି ଚାଷୀ । ପାଣି ଅଭାବରୁ ଫସଲ ଅମଳ ହୋଇପାରିନଥିବାରୁ ଚାଷୀ ଦାଦନ ଖଟିବାକୁ ପ୍ରସ୍ତୁତ ହେଲେଣି ।

ତେବେ ରାଜ୍ୟ ସରକାର ୯ଟି ଜିଲ୍ଲାକୁ ମରୁଡି ପ୍ରଭାବିତ ବୋଲି ଘୋଷଣା କରିଛନ୍ତି ସତ । କିନ୍ତୁ ଏପରି ଅନେକ ସ୍ଥାନ ରହିଛି ଯାହା ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ତେଣୁ ଏବେ ଚାଷୀ ଅପେକ୍ଷା କରିଛି ସରକାରଙ୍କ କେବେ ଦୃଷ୍ଟି ପଡିବ । କେବେ ମିଳିବ ସରକାରୀ ସହାୟତା ?