ମରୁଡ଼ି ଆସୁଛି ଚିନ୍ତା ବଢୁଛି ! ପାଂଚ ଜିଲ୍ଲାରେ ସଂଗୀନ ସ୍ଥିତି, ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ

26

କନକ ବ୍ୟୁରୋ : ମରୁଡି ଆଡକୁ ମୁହାଁଇଛି ଓଡିଶା । ଗୋଟିଏ ପଟେ ଅତ୍ୟାଧୁନିକ ଜ୍ଞାନକୌଶଳ ବିଶିଷ୍ଟ ବୁଲେଟ୍ ଟ୍ରେନ ପାଇଁ ଶିଳାନ୍ୟାସ ପଡୁଥିବା ବେଳେ ଏପଟେ ଓଡିଶାର ଚାଷୀ ମରୁଡି ଆଶଙ୍କା କରି ଭୟଭୀତ ହୋଇଗଲାଣି । ରାଜ୍ୟର ୫ଟି ଜିଲ୍ଲାରେ ମରୁଡି ପରିସ୍ଥିତି ସଂଗୀନ ହେବାକୁ ବସିଥିବା ବେଳେ ୧୦ଟି ଜିଲ୍ଲାରେ ବୃଷ୍ଟିପାତ ପରିମାଣ କମିଯାଇଛି ।

ବଲାଙ୍ଗୀରର ଜମି ଫାଟି ଆଁ କରିଛି । ସୋନପୁରରେ ବି ସମାନ ଅବସ୍ଥା । ବୌଦ, ନୂଆପଡା, ବରଗଡ, ଝାରସୁଗୁଡା ଭଳି ଜିଲ୍ଲାରେ ବି ସ୍ଥିତି ସଙ୍ଗୀନ୍ ହେବାକୁ ଯାଉଛି । କାରଣ ଚାଷ ପାଇଁ ଯେତିକି ପରିମାଣର ବର୍ଷା ଦରକାର ସେ ବର୍ଷାର ଦେଖା ନାହିଁ ।

ଅଗଷ୍ଟ ଶେଷ ସପ୍ତାହ ଓ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ସ୍ୱାଭାବିକ୍ ଠାରୁ ବେଶ୍ କମିଯାଇଛି । ଫଳରେ ୨୦୧୭ ଖରିଫ ଋତୁରେ ୬୧.୫୨ଲକ୍ଷ ହେକ୍ଟର ଜମିରେ ଚାଷ କରିବା ପରିବର୍ତ୍ତେ ୫୭.୬୪ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଛି ।

ବିଧାନସଭାରେ ଶାସକ – ବିଧାୟକଙ୍କ ଆରୋପ ପ୍ରତ୍ୟାରୋପ ଭିତରେ କିନ୍ତୁ ପୁଣି ଥରେ ମରୁଡିର ବିପଦ ଘନେଇ ଆସୁଛି । ଏବଂ ପୁଣି ଥରେ ଓଡ଼ିଶାର ଚାଷୀକୂଳ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।