ଚାଷକୁ ମାରିଦେଲା ମରୁଡି ! ଧାନ କେଣ୍ଡା ବଦଳରେ ଅଗାଡିର ଚିତ୍ର, ଚାଷୀ ମୁଣ୍ଡରେ ଚଡକ ।

144

କନକ ବ୍ୟୁରୋ : ଚାଷ ମାରିଦେଲା ମରୁଡି  । ଧାନ ବୁଣିବା ସମୟରେ ଭଲ ବର୍ଷା ହୋଇଥିବାବେଳେ ଶସ୍ୟ ଆହର କରିବାବେଳକୁ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି  । ରାଜ୍ୟର ୯ଜିଲ୍ଳାକୁ ମରୁଡି ପ୍ରଭାବିତ ବୋଲି ଘୋଷଣା କରିଛନ୍ତି ସରକାର । ହେଲେ ଏହି ସରକାରୀ ଘୋଷଣାରୁ ଆହୁରି କେତେକ ଅଂଚଳ ବାଦ ପଡିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା ଓ ଦେବଗଡ ଜିଲ୍ଳାର ଅନେକ ଅଂଚଳରେ ମରୁଡି ଯୋଗୁଁ ଧାନ ଅଗାଡି ହୋଇଯାଇଛି । ଫଳରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।

ଚାଷୀ ମୁଣ୍ଡରେ ମରୁଡି ଚଡକ । ଜମି ଫାଟି ଆଁ, ଧାନ ହେଲା ଅଗାଡି । ବିଲରେ ଧାନ ଗଛ ଛିଡା ହୋଇଛି । ଧାନ କେଣ୍ଡା ମଧ୍ୟ ଅଛି  । ହେଲେ ଧାନରେ ଚାଉଳ ନାହିଁ , ସବୁ ଅଗାଡି ହୋଇଯାଇଛି । ଏ ଦୃଶ୍ୟ ହେଉଛି ଆଦିବାସୀ ଅଧୁଷିତ ନବରଙ୍ଗପୁର ଜିଲ୍ଲା ବିକ୍ରମପୁର ଗାଁର । ଏହି ଜିଲ୍ଲାରେ ଆରମ୍ଭରୁ ଭଲ ବର୍ଷା ହୋଇଥିଲା । ହେଲେ ଧାନ ଶସ୍ୟ ନେବାବେଳକୁ ବର୍ଷା ଅଭାବରୁ ଜମି ଫାଟି ଆଁ କରିଛି । ଶସ୍ୟ ଆହର କରିନପାରି ଧାନ ସବୁ ଅଗାଡି ହୋଇଯାଇଛି । ଉଜୁଡି ଯାଇଛି ସୁନା ଫସଲ । ଧାର କରଜ କରି ଚାଷ କରିଥିବା ଚଷା ପୁଅ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଆଉ ସରକାର କିଛି ପଦକ୍ଷେପ ନନେଲେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତିି ।

ଦେବଗଡ ଜିଲ୍ଳାର ତିଲେଇବଣି ବ୍ଳକରେ ମଧ୍ୟ ସମାନ ଅବସ୍ଥା । ମରୁଡି କବଳରେ ପ୍ରଭାବିତ ହୋଇଛି ଶହ ଶହ ହେକ୍ଟର ଜମିର ଧାନ ଫସଲ । ଏହି ବ୍ଲକର କଂସର ପଂଚାୟତରେ ସ୍ୱଳ୍ପବୃଷ୍ଟି ଯୋଗୁଁ ଚାଷଜମି ଗୁଡିକ ଫାଟି ଆଁ କରିବା ସହିତ ଧାନଗଛ ଶୁଖିବାକୁ ବସିଛି । ଏହି ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ପ୍ରଭାବିତ ବୋଲି ଘୋଷଣା କରିବାକୁ ଦାବି କରିଛନ୍ତି ଚାଷୀ । ସରକାର ରାଜ୍ୟର ୯ଜିଲ୍ଳାକୁ ମରୁଡି ପ୍ରଭାବିତ ଘୋଷଣା କରିଛନ୍ତି । କିନ୍ତୁ ଏହି ଘୋଷଣାରୁ ଅନେକ ମରୁଡି ପ୍ରଭାବିତ ଅଂଚଳ ବାଦ ପଡିଥିବା ଅଭିଯୋଗ ଆସିବାରେ ଲାଗିଛି । ତେଣୁ ସରକାର ଏହାର ପୁନଃ ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଭାବିତଙ୍କୁ କ୍ଷତିପୂରଣ ଦେବା ଆବଶ୍ୟକ ।