ବିଧାନସଭାରେ ମେନ୍ଦ୍ରାରାଜପୁର ଘଟଣା । ମନ୍ତ୍ରୀ କହିଲେ, ଦୁର୍ଘଟଣା ପାଇଁ ଡ୍ରାଇଭର ହିଁ ଦାୟୀ । ଦୁର୍ଘଟଣାର ଆଉ ଏକ କାରଣ ମଧ୍ୟ ସାମ୍ନାକୁ ଆଣିଲେ ।

185

କନକ ବ୍ୟୁରୋ : ମେନ୍ଦ୍ରାରାଜପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ବସ ଆସିବା ଫଳରେ ୧୧ ଜଣଙ୍କ ଜୀବନ ଚାଲିଯିବା ଘଟଣାରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ବସ୍ ଚାଳକ ସମ୍ପୂର୍ଣ ରୂପେ ଦାୟୀ ବୋଲି କହିଛନ୍ତି ମନ୍ତ୍ରୀ ।

ଏହି ଘଟଣାର ତଦନ୍ତ ରିପୋର୍ଟ ଅନୁଯାୟୀ, ବସଟି ନିୟମ ଭାଙ୍ଗି ଭୁଲ ରାସ୍ତାରେ ଯାଇଥିଲା । ଏଥିପାଇଁ ବସର ପରିମିଟ ରଦ୍ଦ କରାଯିବା ସହ ଗାଡି ମାଲିକ ଓ ଡ୍ରାଇଭରଙ୍କ ନାଁରେ ଏତଲା ଦିଆଯାଇଛି । ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ନିୟମ ଭାଙ୍ଗିଥିବାରୁ ଚାଲାଣ ମଧ୍ୟ କଟାଯାଇଛି । ଡ୍ରାଇଭର ଦାୟିତ୍ୱହୀନ ଭଳି ଗାଡି ଚଳାଉଥିବାରୁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି ।

ଏହାଛଡା ତଦନ୍ତରୁ ଜଣାପଡିଛି ଯେ, ୧୧ କେଭି ବିଦ୍ୟୁତ ତାର ଭୂମିଠାରୁ ୨୦ ଫୁଟ ଉଚ୍ଚରେ ରହିବା ନେଇ ନିୟମ ଥିବା ବେଳେ ଦୁର୍ଘଟଣାସ୍ଥଳରେ ଏହା ୧୨ ଫୁଟ ଉଚ୍ଚରେ ଥିଲା ଯାହା ଦୁର୍ଘଟଣାର ଏକ ବଡ କାରଣ । ଏହାଛଡା ବିଦ୍ୟୁତ ତାର ବସ୍ ସଂସ୍ପର୍ଶରେ ଆସିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ବସରୁ ତଳକୁ ଓହ୍ଲାଇବା ବେଳେ କରେଣ୍ଟ ଲାଗି ପ୍ରାଣ ହରାଇଥିବା ତଦନ୍ତ ରିପୋର୍ଟରୁ ଜଣାପଡିଛି ।

ଏହି ଘଟଣାର ତଦନ୍ତ କରାଯାଇ ସାଉଥକୋର କନିଷ୍ଠ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ଆହତ ମାନଙ୍କ ମାଗଣା ଚିକିତ୍ସା କରାଯିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସରକାରଙ୍କ ପକ୍ଷରୁ ଦିଅଯାଇଛି ।

ଏହାବାଦ ଭବିଷତ୍ୟରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।
– ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର ଗୁଡିକୁ ନିଦ୍ଦିଷ୍ଟ ସମୟସୀମା ମଧ୍ୟରେ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
– ଶକ୍ତି ବିଭାଗ ତରଫରୁ ବିଦ୍ୟୁତ୍ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରିବାକୁ ସମସ୍ତ ଅଧିକାରୀ ଓ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
– ଶକ୍ତି ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ବୁଲି ଦେଖିବା ସହ ବିପଦପୂର୍ଣ୍ଣ ଭାବେ ଥିବା ସ୍ଥାନ ଗୁଡିକରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ୯ ତାରିଖରେ ନିବର୍ନ୍ଧ ଉତ୍ସବକୁ ଯାଉଥିବା ବସଟି ଗଞ୍ଜାମର ମେନ୍ଦ୍ରାରାଜପୁରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଏହି ଘଟଣାରେ ୧୧ ଜଣ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଥିଲା । ଏପରିକି ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ । ସେତେବେଳେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଖାସକରି ବିଦ୍ୟୁତ ବିଭାଗ ଉପରକୁ ଅଧିକାଂଶ ଲୋକ ଆଙ୍ଗୁଳି ଉଠାଇଥିଲେ ।