‘ସେସୁ’ ପାଇଁ ଜଳ ସଙ୍କଟ ! ବିଜୁଳି ବିଲ୍ ବାକିଥିବା ଦର୍ଶାଇ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ କାଟିଦେଲା ସେସୁ, ପାଣି ପାଇଁ ଡହଳବିକଳ ଲୋକେ ।

333

କନକ ବ୍ୟୁରୋ: ସେସୁ କାଟିଦେଲା ବିଜୁଳି । ପାଣି ପାଇଁ କଲବଲ ହେଉଛନ୍ତି ୫୦୦ରୁ ଅଧିକ ଲୋକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର ଛଘରିଆ ଗାଁରେ । ବିଜୁଳି ବିଲ୍ ବାକି ଥିବା ଦର୍ଶାଇ ସେସୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ବିଜୁଳି ସଂଯୋଗ କାଟିଦେଇଛି । ଏପଟେ ପାଣି ପାଇଁ ଗାଁରେ ପଡିଛି ହାହାକାର ।

ଗାଁରେ ରହୁଛନ୍ତି ପ୍ରାୟ ୨୦୦ରୁ ଅଧିକ ପରିବାର । ଜନସଂଖ୍ୟା ହେବ ପ୍ରାୟ ୫୦୦ରୁ ଅଧିକ । ଏମାନଙ୍କର ଜଳ ଯୋଗାଣ ପାଇଁ ଗାଁରେ ରହିଛି ମାତ୍ର ୩ଟି ନଳକୂପ । ଦୁଃଖର କଥା ଏଗୁଡିକରୁ ଠିକ୍ ଭାବେ ପାଣି ବାହାରେ ନାହିଁ । ତେଣୁ ନଳକୂପରେ ସବୁ ବେଳେ ଲାଗିଥାଏ ଲଂବା ଲାଇନ । ଖରା ଦିନ ଆରମ୍ଭ ହେବା ଆଗରୁ ସେସୁର ବିଜୁଳି ଛାଟ କେନ୍ଦ୍ରାପଡା ଛଘରିଆ ଅଂଚଳରେ ଜଳ ସମସ୍ୟା ସୃଷ୍ଟି କରିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଲାଣି ।

ସବୁଠାରୁ ବଡ଼କଥା ହେଲା, ସରକାରୀ ପ୍ରକଳ୍ପ ଉପରେ ବକେୟାଥିବା ବିଦ୍ୟୁତ୍ ବିଲ୍ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପୈଠ କରିଦେବେ ସରକାର ବୋଲି ସେସୁକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବିଜୁଳି ବିଲ୍ ବାକି ଥିବା ଭଳି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ବିଜୁଳି କାଟ୍ କରିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଏରିକି ଏବେ ପାଣି ପାଇଁ ଡହଳବିକଳ ହେଉଛନ୍ତି କେନ୍ଦ୍ରାପଡା ଛଘରିଆ ଅଂଚଳର ୫ ଶହରୁ ଅଧିକ ଲୋକ ।