ପାଣି ପାଇଁ ପଦଯାତ୍ରା ! ଗରା, ବାଲଟି ଧରି ବରଗଡରେ ରାସ୍ତାକୁ ଓହ୍ଲାଇଲେ ମହିଳା

36

କନକ ବ୍ୟୁରୋ: ଖରା ବଢିବା ସହ ଜଳକଷ୍ଟ ଉକ୍ରଟ ହୋଇଛି । ଗାଁ ହେଉ ବା ସହର । ସବୁଠି ପିଇବା ପାଣି ପାଇଁ ସଂଘର୍ଷ କରୁଛି ମଣିଷ । ଏଭଳି ସ୍ଥିତିରେ ପାଣି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ବରଗଡ ସହରର ମହିଳା । ଗରା, ବାଲଟି ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି ଆନ୍ଦୋଳନକାରୀ । କେବଳ ଯେ ସହରର ପାଣି ସମସ୍ୟା ଦେଖାଦେଇଛି ତା ନୁହେଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକରେ ମଧ୍ୟ ସମାନ ଅବସ୍ଥା ।

ଏହି ଚିତ୍ର ବରଗଡ ସହରର । ବରଗଡ ସହର ଓ ଆଖପାଖ ଅଂଚଳର ଲୋକ ବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟାରେ ଘାଂଟି ହେବା ପରେ ରାସ୍ତାକୁ ଓହ୍ଲାଇଥିଲେ । ମହିଳାମାନେ ହାତରେ, ଗରା ବାଲଟି ଓ ପ୍ଲା-କାର୍ଡ ଧରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବରଗଡ ବୃହତ ଜଳ ଯୋଗାଣ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ କରିବା ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ରହିଛି । ଜିଲାପାଳଙ୍କ ଅନୁପସ୍ଥିତିରେ ରାଜସ୍ୱ ଅଧିକାରୀ ଦାବୀ ପତ୍ର ଗ୍ରହଣ କରିବା ସହ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମାନ ଅବସ୍ଥା । ଡାକ୍ତରଖାନାରେ ପିଇବା ପାଣି ବୁନ୍ଦାଏ ପାଇଁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଡହଳବିକଳ ହେଉଛନ୍ତି । ମେଡିକାଲରେ ପାଣି ଯୋଗାଇବା ପାଇଁ ୨ ଟି ନଳକୂପ, ୱାଟର ପୋଷ୍ଟ ଓ ପାଣି ଟାଙ୍କି ଅଛି । ହେଲେ ସେଥିରୁ ପାଣି ବାହାରୁନି । ଗୋଟିଏ ଷ୍ଟାଂଡ ପୋଷ୍ଟରୁ ପାଣି ବାହାରୁଛି ଯେ, ଘଂଟାଏ କାଳ ଠିଆ ହେଲେ ବୋତଲ ଦେଖାଇଲେ ଭର୍ତି ହେଉନି ।ଅନ୍ୟପଟେ ଡାକ୍ତରଖାନାରେ ଉପୁଜିଥିବା ଜଳ ସମସ୍ୟା ସାମଧାନ କ୍ଷେତ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସହାୟତା ପ୍ରକାଶ କରିଛନ୍ତି ।