ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ବଞ୍ଚିବା ପାଇଁ ସଂଘର୍ଷ! ନଦୀ ପାର ହେଲେ ମିଳୁଛି ପିଇବା ପାଣି, ପଢନ୍ତୁ ନନ୍ଦଚକ ଗାଁର ଦୁଃଖ

37

କନକ ବ୍ୟୁରୋ : ବାଲେଶ୍ୱରର ବଡ ଦୁଃଖ । ନଇ ପାରି ହେଲେ ମିଳିବ ପିଇବା ପାଣି । ବାଲେଶ୍ୱର ସହର ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ନନ୍ଦଚକ ଗାଁ ଲୁଣା ପାଣି ଘେରର ରହିଛି । ଫଳରେ ଗାଁରେ ପିଇବା ପାଣି ସମସ୍ୟା ଲାଗି ରହିଛି । ଗାଁକୁ ରାସ୍ତା ନଥିବାରୁ ଡଙ୍ଗାରେ ବୁଢାବଳଙ୍ଗ ଶାଖା ନଦୀ ପାରି ହୋଇ ପାନୀୟ ଜଳ ସଂଗ୍ରହ କରୁଛନ୍ତି ନନ୍ଦଚକ ଗାଁର ମହିଳା ।

ବାଲେଶ୍ୱର ସହର ଠାରୁ ମାତ୍ର ୧୫ କିଲୋମିଟର ଦୂର ନନ୍ଦଚକ ଜଙ୍ଗଲ ଘେରି ଗାଁ । ଶହେ ବର୍ଷର ଏହି ପୁରୁଣା ଗାଁରେ ୪ ଶହରୁ ଅଧିକ ଲୋକ ବସବାସ କରନ୍ତି । ଚାରୁପଟୁ ପାଣି ଘେରି ରହିଥିବା ଏହି ଗାଁର ଦୁଃଖ ପାଲଟିଛି ପିଇବା ପାଣି । ଗାଁରେ ଥିବା ନଳକୂଅରୁ ଲୁଣି ପାଣି ବାହାରୁଥିବାରୁ ପିଇବା ପାଣି ପାଇଁ ଗରା ଧରି ଡଙ୍ଗାରେ ବୁଢାବଳଙ୍ଗର ଶାଖା ନଦୀ ପାରି ହେଉଛନ୍ତି ନନ୍ଦଚକ ଗାଁର ମହିଳା । ଡଙ୍ଗାରେ ସିନା ସମୁଦ୍ରର ଲୁଣି ପାଣିକୁ ପାରି ହୋଇ ପରିବାର ଶୋଷ ମେଂଟାଉଛନ୍ତି ମହିଳା । ହେଲେ ଚାଷ ଜମିରେ ଲୁଣି ପାଣି ଭର୍ତି ହୋଇ ରହୁଥିବାରୁ ଚାଷବାସ୍ ଠପ୍ ହୋଇଯାଇଛି । ତେଣୁ ଗୁଜୁରାଣ ମେଂଟାଇବା ପାଇଁ ଅନ୍ୟତ୍ର କାମ କରିବାକୁ ଯାଉଛନ୍ତି ଗାଁର ପୁରୁଷ ।

ଆଉ ଏସବୁ ଭିତରେ ଗାଁକୁ ରାସ୍ତା କି ପୋଲଟିଏ ନଥିବାରୁ ପାଣି ପାଇଁ ବାଉଁଶ ପୋଲ ଓ ଡଙ୍ଗା ଏକମାତ୍ର ଭରସା ପାଲଚିଛି । ବୁଢାବଳଙ୍ଗ ଶାଖା ନଦୀରେ ଥିବା ବାଉଁଶ ପୋଲ ସମୁଦ୍ର ଜୁଆରରେ ବୁଡିଯାଉଥିବାରୁ ରାସନ ସାମଗ୍ରୀ ହେଉ ବା ବାଦ୍ଧକ୍ୟ ଭତା ପାଇଁ ପ୍ରାୟ ୫ କିଲୋମିଟର କାଦୁଅ ରାସ୍ତା ଚାଲିବା ପରେ ଡଙ୍ଗାରେ ବସି ୨ କିଲୋମିଟର ନଇ ପାରି ହେବା ପାଇଁ ପଡୁଛି । ଆଉ ପାଣି ଛାଡିଲେ ବାଉଁଶ ପୋଲ ହୋଇ ଚାନ୍ଦିପୁର ସ୍କୁଲ ଯାଆନ୍ତି ଏଠାକାର ଛାତ୍ରଛାତ୍ରୀ । ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ବଂଚିବା ପାଇଁ ସଂଘର୍ଷ କରୁଥିବା ଗାଁର ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନିଆ ଯିବ ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ ।