ଝିଅଙ୍କୁ ଜିନ୍ସ ମନା! ପିନ୍ଧି ପାରିବେନି ସ୍କଟ ଓ ଟି-ସାର୍ଟ , ପୁଅଙ୍କ ପାଇଁ ଲାଗୁ ହେଲା ଡ୍ରେସକୋର୍ଡ

87

ଏବେ ଜିନ୍ସ, ଟି-ସାର୍ଟ, କ୍ରେପି ଓ ସ୍କଟ ପିନ୍ଧି ପାରିବେନି ଛାତ୍ରଛାତ୍ରୀ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଅମୃତସରର ସରକାରୀ ମେଡିକାଲ କଲେଜର ପ୍ରିନ୍ସପାଲ ଡାକ୍ତର ସୁଜାତା ଶର୍ମା । ଛାତ୍ରୀ ମାନଙ୍କ ସ୍କଟ, ଟି-ସାର୍ଟ, ଜିନ୍ସ ପିନ୍ଧିବାକୁ ବାରଣ କରାଯାଇଥିବା ବେଳେ ଛାତ୍ର ମାନଙ୍କୁ ଟି-ସାର୍ଟ ଓ ଜିନ୍ସ ନ ପିନ୍ଧିବାକୁ ଲିଖିତ ଭାବେ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଡାକ୍ତର ସୁଜାତା ଶର୍ମା ମେଡିକାଲ କଲେଜର ସମସ୍ତ ବିଭାଗର ପ୍ରଫେସର, ହଷ୍ଟେଲ ସୁପରିଟେଣ୍ଟେଟ, କଲେଜ ସୁପରିଟେଣ୍ଡଟଙ୍କୁ ପତ୍ର ଲେଖି ସ୍ପଷ୍ଟ କରିଛନ୍ତି ଯେ, ସେମାନେ ସୁନିଶ୍ଚିତ କରନ୍ତୁ ଯେପରି କୌଣସି ଛାତ୍ରଛାତ୍ରୀ ଜିନ୍ସ, ଟି-ସାର୍ଟ, ସ୍କଟ ପିନ୍ଧି କଲେଜ ଆସିବେ ନାହିଁ । ଛାତ୍ରଛାତ୍ରୀ ମାନେ ଏବେ ଯେଉଁ ପୋଷାକ ପିନ୍ଧି ଆସୁଛନ୍ତି ତାହା ଦେଖିବାକୁ ଖରାପ ଲାଗୁଛି । କାରଣ ଅଧିକାଂଶ ଛାତ୍ରଛାତ୍ରୀ ମାନେ ଚିରା ଜିନ୍ସ ପିନ୍ଧି ଆସୁଛନ୍ତି । ମେଡିକାଲ ପ୍ରଫେସନରେ ଏହା ଛାତ୍ରଛାତ୍ରୀଙ୍କୁ ଶୋଭା ପାଉନାହିଁ । ତେଣୁ ଏହି ପ୍ରଫେସନ ସହ ଯୋଡି ହୋଇ ରହିଥିବା ଛାତ୍ରଛାତ୍ରୀ ମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଆବଶ୍ୟକ । ତେଣୁ ଆଗାମୀ ଅକ୍ଟୋବର ୧ ତାରିଖରୁ ସମସ୍ତ ଛାତ୍ରଛାତ୍ରୀ ମାନେ ଡ୍ରେସକୋର୍ଡ ନିୟମର ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଯେଉଁମାନେ ଏହି ନିୟମର ଉଂଲ୍ଲଘନ କରୁଛନ୍ତି ସେମାନଙ୍କର ନାମ, ରୋଲ ନମ୍ବର ସମେତ ଅନ୍ୟାନ୍ୟ ତଥ୍ୟ ଦେବାକୁ ପ୍ରଫେସର ମାନଙ୍କୁ ପ୍ରିନସପାଲ କହିଛନ୍ତି ।

ସୁଜାତାଙ୍କ କହିବା ଅନୁଯାୟୀ, ଯଦି ଆଇନଜୀବୀ ଓ ବିଚାରପତି ମାନେ ଡ୍ରେସକୋର୍ଡରେ ଆସୁଛନ୍ତି ତେବେ ଡାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନେ ଡ୍ରେସକୋର୍ଡ ନିୟମ ଉପରେ ଆପତ୍ତି ଉଠାଇବା ଠିକ୍ ନୁହେଁ । ଝିଅ ମାନେ ସୁଟ-ସାଲୱାର କିମ୍ବା ଟ୍ରାଉଜର-ସାର୍ଟ ପିନ୍ଧି କଲେଜକୁ ଆସିପାରିବେ । ସେହିଭଳି ପୁଅମାନେ ଫର୍ମାଲ ଟ୍ରାଉଜର-ସାର୍ଟ ପିନ୍ଧି କ୍ଲାସକୁ ଆସିପାରିବେ ବୋଲି ଲିଖିତ ନିର୍ଦ୍ଦେଶ ଦେଇଛନ୍ତି ପ୍ରିନସପାଲ । ତେବେ ଛାତଛାତ୍ରୀ ମାନେ ଏହି ନିର୍ଦ୍ଦେଶକୁ ବିରୋଧ କରିବା ସହ ଏହା ପ୍ରିନସପାଲଙ୍କର ତାନାଶାହୀ ଆଦେଶ ବୋଲି କହିଛନ୍ତି । ତେଣୁ ଏହି ନିୟମ ବାବଦରେ ଛାତ୍ରଛାତ୍ରୀମାନଙ୍କ ସହ କଲେଜ କର୍ତ୍ତୃପକ୍ଷ ବୈଠକ କରନ୍ତୁ ବୋଲି ଦାବି ହୋଇଛି ।