ସରକାର ଲାଗୁ କଲେ ଡ୍ରେସକୋଡ ! ୟୁନିଫର୍ମ ପିନ୍ଧିବେ ସରକାରୀ ଆଇଟିଆଇ କର୍ମଚାରୀ !

57

କନକ ବ୍ୟୁରୋ : ସରକାରୀ ଆଇଟିଆଇ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଡ୍ରେସକୋଡ । ଏଣିକି ସରକାରୀ ସ୍କୁଲର ଶିକ୍ଷକଙ୍କ ଭଳି ଡ୍ରେସକୋଡ ପିନ୍ଧିବେ ଆଇଟିଆଇ କର୍ମଚାରୀ । ଏନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ଆଇଟିଆଇ କଲେଜର ସମସ୍ତ କର୍ମଚାରୀ ଯେପରିକି କଲେଜର ଅଧ୍ୟକ୍ଷ, ବୈଷୟିକ ଅଧିକାରୀ, ସହକାରୀ ବୈଷୟିକ ଅଧିକାରୀ ଏପରିକି ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ପାଇଁ ଡ୍ରେସକୋର୍ଡ ଲାଗୁ କରିଛନ୍ତି ସରକାର । ଡିସେମ୍ବର ୧୫ ସୁଦ୍ଧା ଏହି ନୂଆ ନିୟମ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଡ୍ରେସକୋଡ : ସରକାରୀ ଆଇଟିଆଇ କଲେଜରେ ନିଯୁକ୍ତି ପାଇଥିବା ଉଭୟ ପୁରୁଷ ସ ମହିଳା କର୍ମଚାରୀଙ୍କ ପାଇଁ ଏହି ଡ୍ରେସକୋର୍ଡ ଲାଗୁ ହୋଇଛି । ଆଇଟିଆଇ କଲେଜର ସମସ୍ତ ପୁରୁଷ କର୍ମଚାରୀ ମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ରଙ୍ଗର ଡ୍ରେସକୋର୍ଡ ଲାଗୁ ହୋଇଛି । ପୁରୁଷଙ୍କ ପାଇଁ କଳା ରଙ୍ଗର ପ୍ୟାଣ୍ଟ ଓ ଫିକା ମାଟିଆ ରଙ୍ଗର ସାର୍ଟ ସହ କଳା ରଙ୍ଗର ଜୋତାକୁ ଡ୍ରେସକୋର୍ଡ ଭାବେ ବ୍ୟବହାର କରାଯିବ । ଠିକ୍ ସେହିଭଳି ଫିକା ମାଟିଆ ରଙ୍ଗର ଶାଢୀ ଉପରେ ଫିକା ଗୋଲାପୀ ରଙ୍ଗର ଧଡି ଏବଂ ମହିଳାଙ୍କ ପାଇଁ ଉର୍ଦ୍ଦିଷ୍ଟ କଳା ରଙ୍ଗର ଜୋତାକୁ ମହିଳାଙ୍କ ଡ୍ରେସକୋର୍ଡ ଡିଜାଇନ ଭାବେ ବଛାଯାଇଛି । ଏହାସହ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପରିଚୟପତ୍ରକୁ ଡ୍ରେସକୋର୍ଡରେ ସାମିଲ କରାଯାଇଛି ।

ଏହାଛଡା କଲେଜରେ ହେଉଥିବା ବିଭିନ୍ନ ୱାର୍କସପ ପାଇଁ ଏକ ଭିନ୍ନ ଧରଣର ପୋଷାକ ଡିଜାଇନ କରାଯାଇଛି । ଯେଉଁ ଡ୍ରେସକୋର୍ଡକୁ କେବଳ ବିଭିନ୍ନ ୱାର୍କସପ ଓ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଟ୍ରେନିଂ ଦେଉଥିବା ସମୟରେ ପିନ୍ଧିପାରିବେ । ତେବେ ଏହି ଡ୍ରେସକୋର୍ଡ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଟଙ୍କା ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।