ଚାଳକ ବିହୀନ ଟ୍ୟାଙ୍କ୍ ! ସେନାର ନୂଆ ଶକ୍ତି ଡିଆରଡିଓ ‘ମନ୍ତ୍ର’ . . ଶତ୍ରୁ ଇଲାକାରେ ଶତ୍ରୁକୁ ଦେବ ଚକମା

56

କନକ ବ୍ୟୁରୋ : ଶତ୍ରୁକୁ ଠାବ କରିବା ଓ ଶତ୍ରୁ ଇଲାକାରେ ତାକୁ ମାତ୍ ଦେବାକୁ ଡିଆରଡିଓ ବିକାଶ କରିଛି ଦେଶର ସର୍ବପ୍ରଥମ ମାନବରହିତ ଟ୍ୟାଙ୍କ ‘ମନ୍ତ୍ର’ । ଏହି ପର୍ଯ୍ୟାୟର ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ମନ୍ତ୍ର ଟ୍ୟାଙ୍କ ୧୫ କିଲୋମିଟର ଦୁରରୁ ଶତ୍ରକୁ ଠାବ କରିବା ସହ ଲେଜର୍ ଗାଇଡେଡ୍ ମିସାଇଲ୍ ଦ୍ୱାରା ଧ୍ୱଂସ କରିପାରିବ । ରାଜସ୍ତାନ ମରୁ ଅଂଚଳରେ ୫୨ ଡିଗ୍ରୀ ତାପମାତ୍ରା ମଧ୍ୟରେ ମନ୍ତ୍ରର ପରୀକ୍ଷଣ ହୋଇଥିଲା । ପରୀକ୍ଷଣ ସଫଳ ହୋଇଥିବାରୁ ଆଗକୁ ଏହା ସେନାରେ ସାମିଲ ହେବ ବୋଲି କୁହାଯାଉଛି ।

ଡିଆରଡିଓ ମନ୍ତ୍ରକୁ ତିନୋଟି ପର୍ଯ୍ୟାୟରେ ବିକଶିତ କରିଛି । ମନ୍ତ୍ର – ଏସ୍ କେବଳ ସର୍ବେକ୍ଷଣ କାର୍ଯ୍ୟରେ ଲାଗିପାରୁଥିବା ବେଳେ ମନ୍ତ୍ର – ଏମ୍ ଲ୍ୟାଣ୍ଡମାଇନ୍ ଠାବ ପାଇଁ ଉପଯୋଗୀ ପ୍ରମାଣିତ ହେବ । ମନ୍ତ୍ର – ଏମ୍ ନକ୍ସଲ ପ୍ରଭାବିତ ଅଂଚଳରେ ଆଗୁଆ ମୋର୍ଚ୍ଚା ସମ୍ଭାଳିବାର କ୍ଷମତା ରଖୁଥିବା ଡିଆରଡିଓ ପକ୍ଷରୁ କୁହାଯାଉଛି । ସେହିପରି ମନ୍ତ୍ର – ଏନ୍ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରି ଶତ୍ରୁ ଉପରେ ଆକ୍ରମଣ କରିପାରିବ । ଜୈବିକ ଆକ୍ରମଣର ମୁକାବିଲା କରିବାକୁ ମଧ୍ୟ ମନ୍ତ୍ର – ଏନ୍ ସକ୍ଷମ । ସମସ୍ତ ତିନୋଟି ଟ୍ୟାଙ୍କରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଏଥିସହ ଦେଶର ସର୍ବପ୍ରଥମ ଚାଳକବିହୀନ ଟ୍ୟାଙ୍କ ନିର୍ମାଣ କରିବାରେ ସଫଳ ହୋଇଛି ଡିଆରଡିଓ ।

ଭାରତୀୟ ସେନାର ମେରୁଦଣ୍ଡ କୁହାଯାଉଥିବା ଡିଆରଡିଓ ପୁଣିଥରେ ହାସଲ କରିଛି ଉଲ୍ଲେଖନୀୟ ସଫଳତା । ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାକୁ ଆଧାର କରି ଏହି ମନ୍ତ୍ର ଟ୍ୟାଙ୍କ ବିକଶିତ କରିଛି ଡିଆରଡିଓ । ଯାହା ଆଗକୁ ଭାରତୀୟ ସେନା ପାଇଁ ବିଶେଷ ସହାୟକ ହେବ ଭିନ୍ନ ଭିନ୍ନ ଅପରେସନରେ । ଚାଳକବିହୀନ ହୋଇଥିବାରୁ ଟ୍ୟାଙ୍କ ମୁତୟନ ବେଳେ ଜୀବନହାନିର ମଧ୍ୟ ଭୟ ରହିବ ନାହିଁ । ସାଇନ୍ସ ଫର ସୋଲଜର୍ସ ଆଣ୍ଡ ସୋସାଇଟି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଥିଲା ଏହି ଟ୍ୟାଙ୍କ ଗୁଡ଼ିକୁ ।