ରାଜ୍ୟସଭା ମହାସମର ! ଚାଣକ୍ୟଙ୍କ ବିଜୟ ପାଇଁ ସୁପ୍ରିମୋଙ୍କ ଛାୟାଯୁଦ୍ଧ

29

କନକ ବ୍ୟୁରୋ : ଗୁଜରାଟରେ ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ ଡ୍ରାମା । ୩ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ହୋଇଥିବାବେଳେ ବିଳମ୍ବିତ ହୋଇଛି ମତ ଗଣନା । କାରଣ ଦୁଇଜଣ ବିଦ୍ରୋହୀ କଂଗ୍ରେସ ବିଧାୟକ ଭୋଟ ଦେବା ପରେ ସେମାନଙ୍କ ବାଲଟ ପେପର ବିଜେପି ପ୍ରାର୍ଥୀଙ୍କୁ ଦେଖାଇଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି କଂଗ୍ରେସ । ଏପରିକି ସେମାନଙ୍କ ଭୋଟକୁ ଅବୈଧ ଘୋଷଣା କରିବା ପାଇଁ ତିନି ତିନିଥର ନିର୍ବାଚନ କମିଶନଙ୍କୁ ଭେଟି ଫେରାଦ ହୋଇଛି କଂଗ୍ରେସ । ବିଦ୍ରୋହୀ କଂଗ୍ରେସ ବିଧାୟକ ରାଘବଜୀ ପଟେଲ ଓ ଭୋଲା ଗୋହିଲଙ୍କ ଭୋଟକୁ ନାକଚ କରିବା ପାଇଁ ଦଳ ଦାବି କରିଛି ।

କଂଗ୍ରେସର ଅଭିଯୋଗ ଅନୁସାରେ ଏହି ଦୁଇ ବିଧାୟକ କ୍ରସ ଭୋଟିଂ କରି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପରେ ଅମିତ ଶାହା, ସ୍ମୃତି ଇରାନି ଓ ବଲୱନ୍ତ ସିଂ ରାଜପୁତଙ୍କୁ ସେମାନଙ୍କ ବାଲଟ ଦେଖାଇଥିଲେ । ଏହି ଭୋଟକୁ ନାକଚ କରିବା ପାଇଁ କଂଗ୍ରେସ୍ ତିନି ତିନି ଥର ନିର୍ବାଚନ କମିଶନଙ୍କୁ ଭେଟିଥିଲେ । କଂଗ୍ରେସର ଯୁକ୍ତି ହେଲା ୨୦୧୬ରେ ଯେଉଁଭଳି ହରିୟାଣାରେ ବାଲାଟ୍ ପେପରକୁ ରଦ୍ଦ କରାଯାଇଥିଲା ଠିକ୍ ସେହିଭଳି ଏହି ଭୋଟକୁ ମଧ୍ୟ ରଦ୍ଦ କରାଯାଉ । କିନ୍ତୁ ଏହାରି ଭିତରେ କଂଗ୍ରେସ୍ ପ୍ରାର୍ଥୀ ଅହମ୍ମଦ ପଟେଲ୍ କହିଛନ୍ତିି ମୁଁ ଜିତିବା ନେଇ ଦୃଢ ନିଶ୍ଚିତ ଅଛି । ଭୋଟ୍ ଦାନରେ ବ୍ୟତିକ୍ରମକୁ ନେଇ ରିଟର୍ଣ୍ଣିଂ ଅଫିସରଙ୍କୁ ଜଣା ଯାଇଥିଲେ ମଧ୍ୟ ସେ କିଛି କରିନଥିଲେ ।

ସେପଟେ କଂଗ୍ରେସର ଅଭିଯୋଗ ବିରୋଧରେ ନିର୍ବାଚନ କମିଶନଙ୍କୁ ଭେଟିଛି ବିଜେପି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ତଦନ୍ତ ଆଳରେ ଫଳାଫଳ ଘୋଷଣାରେ ବିଳମ୍ବ ନକରିବାକୁ ଦାବି ଜଣାଇଛି । ଏପରିକି ହାରିବା ଭୟରେ କଂଗ୍ରେସ ଅଯଥା ଅଭିଯୋଗ ଆଣୁଥିବା ଦଳ କହିଛି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କଂଗ୍ରେସ୍ ଅଯଥା ଅଭିଯୋଗ ଆଣୁଛି । ଏ ବାବଦରେ ସେମାନେ ସକାଳେ କାହିଁକି ଅଭିଯୋଗ କରିନଥିଲେଏ । ବର୍ତ୍ତମାନ ହାରିବା ଭୟରେ ଏଭଳି ପଦକ୍ଷେପ ନେଇଥିବା ସେ ଅଭିଯେଗ କରିଛନ୍ତି । କଂଗ୍ରେସର ଅଭିଯୋଗକୁ ରଦ୍ଦ କରିବାକୁ ନିର୍ବାଚନ କମିଶନଙ୍କୁ ବିଜେପି ଅନୁରୋଧ କରିଛି ।

ଗୁଜରାଟ ରାଜ୍ୟସଭାର ୩ଟି ଆସନ ପାଇଁ ମୈଦାନରେ ୪ଜଣ ପ୍ରାର୍ଥୀ ଅଛନ୍ତି । ବିଜେପିରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କଂଗ୍ରେସ ଛାଡି ବିଜେପିରେ ସାମିଲ୍ ହୋଇଥିବା ବଲବନ୍ତ ସିଂ ରାଜପୁତ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କଂଗ୍ରେସରୁ ଲଢୁଛନ୍ତି ପାର୍ଟି ସୁପ୍ରିମୋ ସୋନିଆ ଗାନ୍ଧିଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲ୍ । ତେବେ ସଂଖ୍ୟା ଦୃଷ୍ଟିରୁ ଅମିତ ଶାହା ଓ ସ୍ମୃତି ଇରାନୀଙ୍କ ବିଜୟ ସୁନିଶ୍ଚିତ ଥିବାବେଳେ ମୁକାବିଲା ହେଉଛି ବଲବନ୍ତ ଓ ଅହମ୍ମଦଙ୍କ ମଧ୍ୟରେ ।

ତୃତୀୟ ଆସନରେ ଅହମ୍ମଦ ପଟେଲଙ୍କ ବିଜୟ କଂଗ୍ରେସ୍ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ତୃତୀୟ ଆସନ ପାଇଁ ବିଜେପି ପାଖରେ ୩୧ଟି ଭୋଟ୍ ଥିବାବେଳେ କଂଗ୍ରେସ୍ ପାଖରେ ଥିବା ୪୪ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ବିଜେପି ପ୍ରାର୍ଥୀଙ୍କ ପାଇଁ କ୍ରସ ଭୋଟିଂ କରିଥିବା ଦାବି କରିଛି ବିଜେପି । ତେଣୁ ସମସ୍ତ ଆସନରେ ବିଜେପି କବଜା କରିବାକୁ ଆଶା ରଖିଛି । ଏହାରି ଭିତରେ ନଜର ନିର୍ବାଚନ କମିଶନ କଣ ପଦକ୍ଷେପ ନେଉଛନ୍ତି ।

ଗୁଜରାଟ ରାଜ୍ୟସଭା ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ତେଣୁ ଏହାକୁ କ୍ଷମତାର ଦୁଇ କେନ୍ଦ୍ରସ୍ଥଳଙ୍କ ଛାୟାଯୁଦ୍ଧ ବୋଲି କୁହାଯାଉଛି । ଅହମ୍ମଦ ପଟେଲ ହେଉଛନ୍ତି ଦେଶର ସବୁଠାରୁ ପୁରୁଣା ରାଜନୈତିକଦଳ କଂଗ୍ରେସର ବଡ ମ୍ୟାନେଜର । ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ମନ୍ତ୍ରୀପଦ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ଅହମ୍ମଦ ପଟେଲ । ଅହମ୍ମଦ ପଟେଲଙ୍କୁ ସୋନିଆଙ୍କ ଆଖି ଓ କାନ ମଧ୍ୟ କୁହାଯାଏ । ଅହମ୍ମଦ ପଟେଲ ଏବେ ଚର୍ଚ୍ଚାରେ ଏଥିପାଇଁ ଯେ, ତାଙ୍କର ରାଜ୍ୟସଭା ଆସନ ବିପଦରେ ଅଛି । ରାଜ୍ୟର ୩ ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେଉଛି । ମୈଦାନରେ ଅଛନ୍ତି ବିଜେପି ଜାତୀୟ ସଭାପତି ମିତ ଶାହ ।

ସେପଟେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଚାହୁଁଛନ୍ତି ଅହମ୍ମଦ ପଟେଲ ପୁଣି ରାଜ୍ୟସଭାକୁ ଆସନ୍ତୁ । ହେଲେ ଗୁଜରାଟ କଂଗ୍ରେସରେ ଯେଉଁଭଳି ଡ୍ରାମା ଚାଲିଛି ତାହା ଅହମ୍ମଦଙ୍କ ଆସନକୁ ବିପଦକୁ ନେଇ ଆସିଛି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ୬ଜଣ କଂଗ୍ରେସ ବିଧାୟକ ଦଳ ଛାଡିଛନ୍ତି । ଆଉକିଛି ବିଧାୟକ ମଧ୍ୟ ଦଳ ବିରୋଧୀ ଆଭିମୁଖ୍ୟ ଆପଣେଇଥିବା ସନ୍ଦେହ ହେଉଛି । ତେଣୁ ଏହି ଲଢେଇ ଉଭୟ ମୋଦି ଓ ସୋନିଆଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ।