ଉଛୁଳିବ ଡ୍ରେନ, ଭାସିବ କଟକ ! ସିଲଭରସିଟିକୁ ଘାରିଛି ବର୍ଷା ଭୟ, କୁଢ଼କୁଢ଼ ଅଳିଆଆବର୍ଜନାରେ ଭର୍ତି ହୋଇଛି କେନାଲ

54

କନକ ବ୍ୟୁରୋ : ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମୋ÷ସୁମୀ ଶୀଘ୍ର ଆସୁଛି । ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ମୋ÷ସୁମୀ ଓଡିଶା ଛୁଇଁବ ବୋଲି ପାଣିପାଗ ବିଭାଗ ଆଳଳନ କରିଛି । ତେବେ ବର୍ଷା ଆସିବା ପୂର୍ବରୁ ହଜାରେ ବର୍ଷର ପୁରୁଣା ସହର କଟକକୁ ଘାରିଛି ବର୍ଷା ଭୟ । ଅଳିଆ ଆବର୍ଜନାରେ ଭର୍ତି ହୋଇଥିବା ଡ୍ରେନ୍ ଉଛୁଳି କଟକ ଭାସିବାର ଆଶଙ୍କା ପ୍ରକାଶ ପାଇଛି । ସିଲଭର ସିଟିର ଡ୍ରେନେଜ୍ ଓ ପରିମଳ ବ୍ୟବସ୍ଥା କିପରି ରହିଛି ଗ୍ରାଉଣ୍ଡ ଜିରୋରୋ ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍ ।

ଆସୁଛି ବର୍ଷା ଋତୁ । ଡ୍ରେନ୍ ପାଣିରେ ଭାସିବ ସିଲଭରସିଟି । ଏକଥା ଆମେ କହୁନୁ । କଟକ ସହରର ଏହି ୨ଟି କେନାଲର ଅବସ୍ଥା ହିଁ ସୃଷ୍ଟି କରୁଛି ଏଭଳି ଆଶଙ୍କା । କୁଢ଼କୁଢ଼ ଅଳିଆ ଆବର୍ଜନାରେ ଭର୍ତି ହୋଇଛି କେନାଲ । ପଲିଥିନ୍ ଓ ପ୍ଲାଷ୍ଟିକ୍ ବୋତଲରେ ଭରି ଯାଇଛି ଡ୍ରେନ୍ । ସେହିଭଳି ପଙ୍କ ଉଦ୍ଧାର ଠିକ୍ ସମୟରେ ନହେବା ଯୋଗୁଁ ନାଳ ପୋତି ହୋଇପଡିଛି । ଫଳରେ ଜଳ ନିଷ୍କାସନରେ ବାଧା ଉପୁଜିଛି । ଏହା ସହିତ ଯେତେବେଳେ ବର୍ଷା ଆରମ୍ଭ ହୋଇଯିବ ସେତେବେଳେ କଟକ ସହରର ପରିମଳ ଓ ଜଳନିଷ୍କାସନ ସମସ୍ୟା ଆହୁରି ଅଣାୟତ ହେବ । ଏପରିକି ଏହି ଅଳିଆ ଆବର୍ଜନ ଘରେ ପଶିବାର ସମ୍ଭାବନା ରହିଛି । ଏଥିପାଇଁ ମହାନଗରନିଗମର ଢ଼ିଲାପଣକୁ ଦାୟୀ କରିଛନ୍ତି ସହରବାସୀ ।

ସହରବାସୀ ମହାନଗରନିଗମକୁ ସ୍ଥାଣୁ ବୋଲି କହି ଦୋଷାରୋପ କରୁଥିବାବେଳେ ମହାନଗରନିଗମ କିନ୍ତୁ ଜାଇକା ଉପରେ ଦୋଷ ଲଦିଛି । ମେୟର କହିଛନ୍ତି ବର୍ତମାନ ସହରରେ ଜାଇକା କାମ ଚାଲୁଛି । ତେଣୁ କିିଛି ବଡ ନାଳରେ ପଙ୍କ ଉଦ୍ଧାର ଏବଂ ଅଳିଆ ଆବର୍ଜନା ଠିକ୍ ଭାବେ ସଫା ହୋଇପାରୁନି । ସହରରେ ପରିମଳ ବ୍ୟବସ୍ଥାକୁ ଠିକ୍ ଭାବେ ପରିଚାଳନା କରିବା ମହାନଗର ନିଗମର ଦାୟିତ୍ୱ । ତେଣୁ ତ୍ୱରିତ ଗତିରେ ପଙ୍କ ଉଦ୍ଧାର ଓ ଆବର୍ଜନ ସଫା ନକଲେ ଆବର୍ଜନା ଓ ନର୍ଦ୍ଦମା ପାଣିରେ ସିଲଭର ସିଟି ଭାଷିବ ।