ଯୌତୁକ ନିର୍ଯାତନାର ଶିକାର ହୋଇଥିଲେ କନ୍ଧମାଳର ଜଣେ ମହିଳା ! ହାର ନମାନି ସଫଳତାର ରାସ୍ତାରେ ଆଗେଇ ଚାଲିଛନ୍ତି ସନ୍ତୋଷିନୀ

31

କନକ ବ୍ୟୁରୋ : ଯୌତୁକ ନିର୍ଯାତନା । ମହିଳାଙ୍କ ବିରୋଧରେ ଘରୋଇ ହିଂସାର ସବୁଠାରୁ ବଡ ଉଦାହରଣ । ମହିଳାଙ୍କ ପ୍ରତି ଯେତିକି ନିର୍ଯାତନା ମାମଲା ରୁଜୁ ହେଉଛି, ତାର ୨୬ ପ୍ରତିଶତ ହେଉଛି ଯୌତୁକ ନିର୍ଯାତନା ମାମଲା । ସମାଜରେ ଏହାକୁ ଏକ ଅଧିକାର ବୋଲି ଭାବିନେଲେଣି ପୁରୁଷ ସମାଜ । ତେବେ ଯୌତୁକ ନିର୍ଯାତନା ଭଳି ଘରୋଇ ହିଂସାକୁ ସାମ୍ନା କରି କିଭଳି ସଫଳତାର ରାସ୍ତାରେ ଆଗେଇ ଚାଲିଛନ୍ତି ସନ୍ତୋଷିନୀ ।

ସନ୍ତୋଷିନୀ ସାହୁ । ଘର କନ୍ଧମାଳ ଚକାପାଦର ପସରା । ୨୦୦୬ରେ ବୈଦିକ ରୀତିରେ ବୃନ୍ଦାବନଙ୍କ ହାତ ଧରିଥିଲେ ସନ୍ତୋଷୀନି । ବିବାହର ମାସେ ଯାଇନି, ସନ୍ତୋଷୀନିଙ୍କ ଉପରେ ଆରମ୍ଭ ହୋଇଗଲା ନିର୍ଯାତନା । ଅଧିକ ଯୌତୁକ ଦାବିରେ ମାରପିଟ କଲେ ଶାଶୁଘର । ୩ ବର୍ଷ ଧରି ଚାଲିଲା ଶାରୀରିକ ଓ ମାନସିକ ନିର୍ଯାତନା । ଏହାପରେ ଘର ଛାଡିଦେଇଥିଲେ ସନ୍ତୋଷୀନି ।

ଘର ଛାଡିବାର କିଛି ଦିନ ପରେ ମହିଳା ସହଯୋଗ କେନ୍ଦ୍ରର ସହଯୋଗ ଲୋଡିଥିଲେ ସନ୍ତୋଷୀନି । ଏବେ ଦାରିଙ୍ଗବାଡିର ଏକ ସ୍କିଲ୍ ଡେଭଲପମେଂଟ୍ ତାଲିମ କେନ୍ଦ୍ରରେ ସେ କାମ କରୁଛନ୍ତି । ସିଲେଇ କରି ନିଜ ଗୋଡରେ ନିଜେ ଠିଆ ହୋଇଛନ୍ତି । ମାସକୁ ୩୫୦୦ ଟଙ୍କା ରୋଜଗାର କରୁଛନ୍ତି । ଆଉ ସେହି ଟଙ୍କାରେ ଝିଅକୁ ପାଠ ପଢାଉଛନ୍ତି । ନାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ,

୨୦୧୪ରେ ମହିଳାଙ୍କ ପ୍ରତି ହିଂସା ନେଇ ୧୪୬୫୧ ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୫ରେ ୧୭୨୦୦ ଏବଂ ୨୦୧୬ରେ ୧୭୮୩୭ ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୨୬ ପ୍ରତିଶତ ହେଉଛି ଯୌତୁକ ନିର୍ଯାତନା ମାମଲା । ବର୍ଷ ୨୦୧୬ରେ ମୋଟ ୧୭,୮୩୭ ରୁ ୪୫୭୮ଟି ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି ।

ତେବେ ଏଭଳି ମାମଲାରେ ଦୋଷୀଙ୍କୁ ଦଣ୍ଡ ମିଳିବା ହାର ବହୁତ କମ୍ । ତଦନ୍ତରେ ଅବହେଳା, ଅଭିଯୋଗକାରିଣୀଙ୍କୁ ଭୟଭୀତ କରାଯିବା ଏବଂ ସାମାଜିକ ଚାପ ଯୋଗୁଁ ମହିଳାଙ୍କୁ ନ୍ୟାୟ ମିଳିପାରୁନାହିଁ । ମହିଳାଙ୍କ ପ୍ରତି ହିଂସା ରୋକିବାରେ ଅକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜର ମିଳିତ ଅଭିଯାନ- ନୂଆ କରି ଭାବିବା, ହିଂସାମୁକ୍ତ ସମ୍ପର୍କ ଗଢିବା । ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ମିସ୍ କଲ୍ କରନ୍ତୁ- ୦୯୭୦୦୦୮୯୫୫୫ ।