ବାଘ,ହାତୀ ପରେ ଧର୍ମେନ୍ଦ୍ର ବଢାଇଲେ ଜଙ୍ଗଲମନ୍ତ୍ରୀଙ୍କ ଟେନସନ ! ବାସୁଦେବପୁରରେ ଦୋହଲିଯିବ କି ବିଜୟଶ୍ରୀଙ୍କ ଗଡ ?

607

କନକ ବ୍ୟୁରୋ : ଟେନସନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ବିଜୟଶ୍ରୀଙ୍କୁ ଏଇ କିଛି ଦିନ ହେବ ଆଉ ରାତିରେ ନିଦ ହେଉନାହିଁ । ନିର୍ବାଚନ ପୂର୍ବରୁ ବିଜୟଶ୍ରୀଙ୍କ ଉପରେ ସତେ ଯେମିତି ଶନିଙ୍କ କୋପ ପଡିଛି । ଏକଥା ଆମେ କହୁନୁ ଭଦ୍ରକ ବାସୁଦେବପୁରର ନିର୍ବାଚନମଣ୍ଡଳୀର ଅଧିକାଂଶ ଚାହା ଖଟିରେ ଏବେ ଏହିଭଳି ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।

ଦୁଇ ଦିନ ପୂର୍ବେ ଢେଙ୍କାନାଳରେ ହୋଇଥିବା ହାତୀ ମୃତ୍ୟୁ ଘଟଣା ଓ ସାତକୋଶିଆରେ ମଣିଷଖିଆ ସୁନ୍ଦରୀର ଆତଙ୍କରାଜ ପାଇଁ ଜଙ୍ଗଲ ମନ୍ତ୍ରୀ ଟେନସନରେ ଥିବା ବେଳେ ଗତକାଲି ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ବାସୁଦେବପୁରରେ ହୋଇଥିବା ପଦ୍ମ ଦଳର ମିଶ୍ରଣ ପର୍ବ ବିଜୟଶ୍ରୀଙ୍କ ଟେନସନକୁ ଦୁଇଗୁଣା କରିଥିବା କୁହାଯାଉଛି । କିନ୍ତୁ ପଦ୍ମ ଦଳର ମିଶ୍ରଣ ପର୍ବ ସହ ବିଜୟଶ୍ରୀଙ୍କର ସର୍ମ୍ପକ କଣ ତାହା ଆପଣଙ୍କୁ ଟିକିଏ ଭାବିବାକୁ ବାଧ୍ୟ କରୁଥିବ ନିଶ୍ଚୟ । ତେବେ ଏହା ପଛର କାରଣ ଆପଣ ଜାଣି ରଖନ୍ତୁ ।

ଦୀର୍ଘ ୨୮ ବର୍ଷ ଧରି ବାସୁଦେବପୁରରେ ଜିତି ଆସୁଥିବା ବିଜୟଶ୍ରୀଙ୍କ ଗଡ ଏବେ ଦୋହଲିବା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ହାତ ଛାଡି ପଦ୍ମ ଶିବିରରେ ମାଧବାନନ୍ଦ ମଲ୍ଲିକ ଏଣ୍ଟ୍ରି ମାରିବା ପରେ ଏଭଳି ଭୂକମ୍ପନ ସୃଷ୍ଟି ହୋଇଥିବା କୁହାଯାଉଛି । ବିଜୟଶ୍ରୀ ବାସୁଦେବପୁରରେ ବାରମ୍ବାର ଜିତି ଆସୁଥିଲେ ମଧ୍ୟ ସେଠାରେ ତାଙ୍କୁ କଡା ଟକ୍କର ଦେଉଥିଲେ କଂଗ୍ରେସ ଟିକେଟରୁ ଲଢୁଥିବା ମାଧବାନନ୍ଦ । ଯାହାର ଫଳାଫଳ ପୂର୍ବ ନିର୍ବାଚନ ଗୁଡିକରେ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ ବିଜେଡି ହାୱା ଥିବା ସତ୍ତେ୍ୱ ମଧ୍ୟ ବାସୁଦେବପୁରରେ ମାଧବାନନ୍ଦଙ୍କୁ ହରାଇବା ପାଇଁ ବିଜୟଶ୍ରୀଙ୍କୁ କଡା ସଂର୍ଘଷ କରିବାକୁ ପଡୁଥିଲା । କାରଣ ଗତ ୩ଟି ନିର୍ବାଚନରେ ବିଜୟଶ୍ରୀ ଓ ମାଧବାନନ୍ଦଙ୍କ ମଧ୍ୟରେ ବିଜୟ ବ୍ୟବଧାନ ୫ରୁ ୬ ହଜାର ଭୋଟ ମଧ୍ୟରେ ସୀମିତ ରହିଥିଲା ।

elephantଯେଉଁଠି ରାଜ୍ୟର ଅଧିକାଂଶ ସ୍ଥାନରେ କଂଗ୍ରେସ ନେତା ଚିତପଟାଙ୍ଗ ମାରିଥିଲେ ସେହିଭଳି ସ୍ଥିତିରେ ବାସୁଦେବପୁରରେ ବିଜୟଶ୍ରୀଙ୍କୁ ଏତେ ସହଜରେ ଜିତିବାର ସୁଯୋଗ ଦେଇନଥିଲେ ମାଧବାନନ୍ଦ । ଏହାଛଡା ଗତ ୩ଟି ନିର୍ବାଚନରେ ଲଗାତାର ୬୦ ହଜାରରୁ ଅଧିକ ଭୋଟ ହାତେଇ ଆସୁଥିଲେ ମାଧବାନନ୍ଦ । ଆଉ ଏଭଳି ସ୍ଥିତିରେ ହାତ ଛାଡି ପଦ୍ମ ପୋଖରୀକୁ ଡେଇଁଛନ୍ତି ମାଧବାନନ୍ଦ । ଗୋଟିଏ ପଟେ ମାଧବାନନ୍ଦଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ଅନ୍ୟପଟେ ପଦ୍ମ ଦଳର ସାଙ୍ଗଠନିକ ଭୋଟ ଯଦି ଉଭୟକୁ ମିଶାଇ ଦିଆଯାଏ ତେବେ ବିଜୟଶ୍ରୀଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃ୍ଷ୍ଟି କରିବ ବୋଲି ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି । ବିଜୟଶ୍ରୀଙ୍କୁ ହାତୀ ଓ ସୁନ୍ଦରୀ ଯେତିକି ଟେନସନ ଦେଇନଥିଲେ ମାଧବାନନ୍ଦ ତାଠାରୁ ଅଧିକ ହଲାପଟା କରିବେ ବୋଲି ଏବେ ବାସୁଦେବପୁରରେ ଚର୍ଚ୍ଚା ହେଉଛି ।