ହିଂସା ଘଟାଇଲେ ଆନ୍ଦୋଳନକାରୀ ନେତାଙ୍କୁ ଦଣ୍ଡ : ଆନ୍ଦୋଳନ ବେଳେ ସଂପତ୍ତି ନଷ୍ଟ କଲେ ଦୁଇଗୁଣା ଭରଣା କରିବେ ଆନ୍ଦୋଳନକାରୀ, ଫେରାର ହେଲେ ଘୋଷଣା କରାଯିବ ‘ପଳାତକ’

55

କନକ ବ୍ୟୁରୋ: ଆନ୍ଦୋଳନ ସମୟରେ ହି˚ସାକାଣ୍ତ ଘଟାଇ କୌଣସି ସଂପତ୍ତି ନଷ୍ଟ କଲେ କ୍ଷତିପୂରଣ ବାବଦରେ ଦୁଇ ଗୁଣା ଅର୍ଥ ଭରଣା କରିବେ ଆନ୍ଦୋଳନକାରୀ। ଆନ୍ଦୋଳନର ନେତୃତ୍ବ ନେଉଥିବା ବ୍ୟକ୍ତିଙ୍କଠାରୁ ତାହା ଆଦାୟ କରାଯିବ। ତାଙ୍କ ବିରୋଧରେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପୁରା ଘଟଣା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉତ୍ତରାଦାୟୀ କରାଯିବ। ଯଦି କୌଣସି କାରଣରୁ ପୁଲିସ ଗିରଫଦାରୀ ଏଡାଇବାକୁ ସେ ଫେରାର ହୋଇଯିବେ, ତେବେ ତାଙ୍କୁ ପଳାତକ ଘୋଷଣା କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଆଧାରେ ଓଡ଼ିଶା ପୁଲିସ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିବା ପୁଲିସ ଡିଜି ଡାକ୍ତର ଆର.ପି. ଶର୍ମା ସୂଚନା ଦେଇଛନ୍ତି।

ଗତକାଲି ବକ୍ସିବଜାର ପୁଲିସ ମୁଖ୍ୟାଳୟରେ ଆୟୋଜିତ ବୈଠକରେ ଡିଜି ଆନ୍ଦୋଳନ ସମୟରେ ଘଟୁଥିବା ହି˚ସାକାଣ୍ତ ଓ ଭଙ୍ଗାରୁଜା କରୁଥିବା ଦୁର୍ବୃତ୍ତଙ୍କ ବିରୋଧରେ ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି। ଥାନା ଵାରି ପୁଲିସ ଇନ୍ସ୍ପେକ୍ଟର କିମ୍ବା ଓଆଇସିମାନେ ନିଜ ଅଞ୍ଚଳରେ ଥିବା ଭିଡିଓ ଗ୍ରାଫର୍ଙ୍କ ତାଲିକା ପ୍ରସ୍ତୁତ କରିବେ। ଥାନା ଅଞ୍ଚଳରେ କୌଣସି ହି˚ସାକାଣ୍ତ ଘଟିଲେ, ସମ୍ପୃକ୍ତ ଘଟଣାର ଦୃଶ୍ୟ କ୍ୟାମେରାରେ ରେକର୍ଡ ପାଇଁ ନିୟୋଜିତ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଏହାର ଏକ ରିପୋର୍ଟ ଥାନା ପୁଲିସ ପ୍ରସ୍ତୁତ କରି କ୍ରାଇମ୍ବ୍ରାଞ୍ଚରେ ଦାଖଲ କରିବ। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏକ କ୍ଲେମ କମିସନ ଗଠନ କରାଯିବ। ଏଥିରେ ଜଣେ କାର‌୍ୟ୍ୟରତ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ ରହିବେ। ତାଙ୍କ ସହିତ ହି˚ସାକାଣ୍ତରେ ନଷ୍ଟ ହୋଇଥିବା ସମ୍ପତ୍ତିର ଆକଳନ କରିବାକୁ ଆସେସର ନିଯୁକ୍ତ ହେବେ। ଆନ୍ଦୋଳନ ସମୟରେ ନଷ୍ଟ ହୋଇଥିବା ସମ୍ପତ୍ତି, ମୃତ ବ୍ୟକ୍ତି କିମ୍ବା ହି˚ସା ନିୟନ୍ତ୍ରଣ ପାଇଁ ପୁଲିସ ଅଧିକାରୀ ନିଯୁକ୍ତି ବାବଦ ଖର୍ଚ୍ଚ ମଧ୍ୟ ହିସାବ କରାଯିବ। ଏ ସମସ୍ତ ଆକଳନର ଦୁଇ ଗୁଣ ଅର୍ଥ ଆନ୍ଦୋଳନର ନେତୃତ୍ବ ନେଉଥିବା ବ୍ୟକ୍ତିଙ୍କ ନିକଟରୁ ଆଦାୟ କରାଯିବ। ଏ ସମ୍ପର୍କରେ ଏସ୍ପି, ଡିସିପିଙ୍କୁ ଅବଗତ କରି ଦିଆଯାଇଛି।

ଅନ୍ୟପଟେ ସୁପ୍ରିମକୋର୍ଟ ଗତ ୨୩ ତାରିଖରେ ବାଣ ତିଆରି ଏବ˚ ବିକ୍ରି ଉପରେ କଟକଣା ଜାରି କରିଛନ୍ତି। ପରିବେଶ ଏବ˚ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ୁଥିବା ଦର୍ଶାଇ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଓଡ଼ିଶାରେ ଯେପରି କଡ଼ାକଡ଼ି ଭାବେ ପାଳନ କରାଯିବ, ସେ ନେଇ ଆଜି ପୁଲିସ ଡିଜି ଡାକ୍ତର ଆର୍.ପି. ଶର୍ମା ଜିଲ୍ଲା ଏସ୍ପି/ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୀପାବଳି କିମ୍ବା ଅନ୍ୟ ଉତ୍ସବରେ ରାତି ୮ଟାରୁ ୧୦ଟା ପର‌୍ୟ୍ୟନ୍ତ ବାଣ ଫୁଟିବ। ତେଣୁ ଥାନା ଇନ୍ସ୍ପେକ୍ଟର ଏବ˚ ଓଆଇସିମାନେ ନିୟମ ପାଳନ ହେଉଛି କି ନାହିଁ, ସେଥି ପ୍ରତି ନଜର ରଖିବେ। ନିଷିଦ୍ଧ ହୋଇଥିବା ବାଣ ବିକ୍ରି କିମ୍ବା ନିର୍ଦ୍ଦିଷ୍ଟ ସମୟ ବାହାରେ ଯେପରି କେହି ନଫୁଟାନ୍ତି, ସେଥିପ୍ରତି ଧ୍ୟାନ ଦିଆଯିବ। ଥାନା ଵାରି ନିଜ ଅଞ୍ଚଳରେ ଲାଇସେନ୍ସ ପ୍ରାପ୍ତ ବାଣ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ଡିଆଇବିକୁ ଥାନା ଅଧିକାରୀ ପଠାଇବେ। ଫ୍ଲିପ୍କାର୍ଟ, ଆମାଜନ ଏବ˚ ସ୍ନାପ୍ଡିଲ ଭଳି ଆଗ ଧାଡ଼ିର ଇ-କମର୍ସ େଵବ୍ସାଇଟ୍ଗୁଡ଼ିକରେ ଯେଭଳି ବାଣି ବିକ୍ରି କରାନଯାଏ, ସେଥି ପ୍ରତି ପୁଲିସ କଡ଼ା ନଜର ରଖିବ। ହସ୍ପିଟାଲ୍, ନର୍ସି˚ ହୋମ୍, ସ୍ବାସ୍ଥ୍ୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, କୋର୍ଟ, ଧର୍ମାନୁଷ୍ଠାନ ଇତ୍ୟାଦି ଅଞ୍ଚଳରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏହି ଅଞ୍ଚଳଗୁଡ଼ିକ ସାଇଲେନ୍ସ ଜୋନ୍ ଭାବେ ଘୋଷଣା କରାଯାଇଛି। ବାଣ ଫୁଟାଇବା ଦ୍ବାରା ପରିବେଶ ଉପରେ କୁପ୍ରଭାବ ପଡ଼ୁଥିବାରୁ ଏ ସମ୍ପର୍କରେ ସ୍କୁଲ, କଲେଜ୍ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାକୁ ଥାନା ପୁଲିସ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବାଣ ଫୁଟାଇବା ପାଇଁ ଚିହ୍ନଟ କରାଯିବାକୁ ଡିଜିପି ପରାମର୍ଶ ଦେଇଛନ୍ତି।