ଦୀର୍ଘ ଦିନ ଧରି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା କାରବାର କରୁନଥିଲେ ସାବଧାନ ! ପଡିପାରନ୍ତି ବଡ ସମସ୍ୟାରେ

34

ଯୁଗ ଯେତିକି ହାଇଟେକ ହେଉଛି, ଠକେଇର ମାତ୍ରା ସେତିକି ପରିମାଣରେ ବଢି ଚାଲିଛି । ଗତ କିଛି ଦିନ ହେବ ଏହି ଘଟଣା ବଢି ବଢି ଚାଲିଛି । ଖାସକରି ଲୋକମାନଙ୍କ ଆକାଉଣ୍ଟକୁ ହ୍ୟାକ କରି ଟଙ୍କା ଉଠାଯାଉଥିବାର ଘଟଣା ସାମ୍ନାକୁ ଆସୁଛି । ଏପରିକି କିଛି ଦିନ ପୂର୍ବେ କସମସ ବ୍ୟାଙ୍କର ଏଟିଏମର ସର୍ଭର ହ୍ୟାକ କରି ଟଙ୍କା ଉଠା ଯାଇଥିବା ମାମଲା ସାମ୍ନାକୁ ଆସିଛି ।

ଆଉ ଏସବୁ ଭିତରେ ଆଇସିଆଇସିଆଇ ବ୍ୟାଙ୍କ ଏକ ଟ୍ୱିଟ୍ କରି ଲୋକମାନଙ୍କୁ ସଚେତନ କରିଛି । ଆଇସିଆଇସିଆଇ ବ୍ୟାଙ୍କ ଅନୁଯାୟୀ, ଯଦି ଆପଣଙ୍କ ବ୍ୟାଙ୍କ ଖାତାରେ ଦୁଇ ବର୍ଷରୁ ଅଧିକ ସମୟ ଧରି କୌଣସି ଟ୍ରାଞ୍ଜାକସନ ହୋଇନାହିଁ ତେବେ ବେଶ ସହଜରେ ଏହାକୁ ହ୍ୟାକ କରାଯାଇପାରିବ । ଆଇସିଆଇସିଆଇ ବ୍ୟାଙ୍କ ଅନୁଯାୟୀ, ଏଭଳି ଖାତାକୁ ଡରମେଣ୍ଟ ଆକାଉଣ୍ଟ ବା ନିଷ୍କ୍ରିୟ ଖାତା କୁହାଯାଇଥାଏ । ଯଦି କୌଣସି ଆକାଉଣ୍ଟ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲୁ ହୋଇନଥାଏ ତେବେ ତାହା ନିଷ୍କ୍ରିୟ ଆକାଉଣ୍ଟକୁ ବଦଳି ହୋଇଯାଇଥାଏ ।

ବ୍ୟାଙ୍କ ଅନୁଯାୟୀ, ଏଭଳି ଆକାଉଣ୍ଟଉପରେ ଟଙ୍କା ଟ୍ରାନ୍ସଫର କରୁଥିବା ଏଜେଣ୍ଟ ଓ ବେଆଇନ ଭାବେ ଟଙ୍କା ଟ୍ରାନ୍ସଫର କରୁଥିବା ଲୋକଙ୍କ ନଜର ରହିଥାଏ । ଏପରିକି ଏହି ଆକାଉଣ୍ଟରେ ବେଆଇନ ଭାବେ ଟଙ୍କା ନେଣଦେଣ କରାଯାଇଥାଏ । ଏହାଛଡା ଏହି ଆକାଉଣ୍ଟ ମାଧ୍ୟମରେ ଆତଙ୍କବାଦୀ ମାନଙ୍କୁ ମଧ୍ୟ ଟଙ୍କା ପଠାଯାଇଥାଏ । ତେଣୁ ଯଦି ଏଭଳି ଆକାଉଣ୍ଟ ଆପଣଙ୍କର ରହିଛି ତେବେ ତୁରନ୍ତ ଏହାକୁ ଆକ୍ଟିଭ କରାଇ ନିଅନ୍ତୁ । କାରଣ ଯଦି ଆପଣଙ୍କ ଆକାଉଣ୍ଟରେ କୌଣସି ବେଆଇନ ଫଣ୍ଡ ଟ୍ରାନ୍ସଫର ହୋଇଥାଏ ତେବେ ଏହା ଆପଣଙ୍କ ପାଇଁ ସବୁଠୁ ବଡ ସମସ୍ୟା ସୃଷ୍ଟି କରିପାରେ । ତେଣୁ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ମଝିରେ ମଝିରେ ପାସୱାର୍ଡ ବଦଳାଇବାକୁ ଭୁଲନ୍ତୁ ନାହିଁ । ଏହାଛଡା ଆକାଉଣ୍ଟରେ ଟ୍ରାଞ୍ଜାକସନ କରିବାକୁ ଭୁଲନ୍ତୁ ନାହିଁ । ଯାହାଦ୍ୱାରା ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖାଯାଇପାରିବ ।