ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଭାଷଣ ପ୍ରସାରଣ କଲେନି ଦୂରଦର୍ଶନ ଓ ଆକାଶବାଣୀ ! ଆପତ୍ତିଜନକ ମନ୍ତବ୍ୟ ହଟାଇବା ନେଇ ପ୍ରସ୍ତାବ ଦେଇଥିଲା ପ୍ରସାର ଭାରତୀ

63

କନକ ବ୍ୟୁରୋ: ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଭାଷଣ ପ୍ରସାରଣ କରିବାକୁ ମନାକଲେ ଦୂରଦର୍ଶନ ଓ ଆକାଶବାଣୀ । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ପାରମ୍ପାରିକ ସ୍ୱାଧୀନତା ଦିବସ ଭାଷଣକୁ ଦୂରଦର୍ଶନ ଓ ଆକାଶବାଣୀ ପ୍ରସାରଣ କଲେନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭାଷଣରେ କିଛି ପରିବର୍ତ୍ତନ କରିବା ପାଇଁ ପ୍ରସାର ଭାରତୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଭାଷଣରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଫଳରେ ସ୍ୱାଧୀନତା ଦିବସ ଦିନ ସକାଳ ସାଢେ ଛଅଟାରେ ପ୍ରସାରଣ ହେବାକୁ ଥିବା ଭାଷଣକୁ ପ୍ରସାରଣ କରାଯାଇନଥିଲା ।

ମାଣିକ ସରକାରଙ୍କ ଭାଷଣରେ ଜାତୀୟ ଏକତା ଓ ଐତିହ ସଂକ୍ରାନ୍ତରେ କିଛି ଆପତ୍ତିଜନକ କଥା କୁହାଯାଇଥିବାରୁ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସାର ଭାରତୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଆପତ୍ତିଜନକ ଶବ୍ଦରେ କୌଣସି ପରିବର୍ତ୍ତନ ନହେବାରୁ ଏହାକୁ ପ୍ରସାରଣ କଲେନାହିଁ ଦୂରଦର୍ଶନ ଓ ଆକାଶବାଣୀ । ଏହାକୁ ନେଇ ବାମ ସାମ୍ମୁଖ୍ୟ ସରକାର ଓ ପ୍ରସାର ଭାରତୀ ମୁହାଁମୁହିଁ ହୋଇଛନ୍ତି ।

ସୂଚନା ମୁତାବକ, ତ୍ରିପୁରାରେ ଦୀର୍ଘ ୧୯ ବର୍ଷ ଧରି ମାଣିକ ସରକାରଙ୍କ ନେତୃତ୍ୱାଧୀନ ସିପିଏମ ସରକାର ଚାଲିଛି । ନିଜର ସରଳ ଜୀବନଯାପନ ପାଇଁ ମାଣିକଙ୍କ ବେଶ ନାଁ ରହିଛି । ମାଣିକ ସରକାରଙ୍କ ଭାଷଣ ମଙ୍ଗଳବାର ଦିନ ସକାଳ ୬ଟା ୩୦ରେ ପ୍ରସାରିତ ହେବାର ଥିଲା । ଏଥିପାଇଁ ୬ ମିନିଟର ରେକର୍ଡ ବି ସରିଥିଲା ।

କିନ୍ତୁ ପ୍ରସାର ଭାରତୀ ଭାଷଣରେ ପରିବର୍ତ୍ତନ କରିବା ପାଇଁ  ମାଣିକ ସରକାରଙ୍କୁ କହିଥିଲେ । କିନ୍ତୁ ମାଣିକ ସରକାର ଏଥିପାଇଁ ମନାକରିଦେଇଥିଲେ । ତେବେ ଭାଷଣ ପ୍ରସାରଣ ନ କରିବାକୁ ଠିକ୍ ପଦକ୍ଷେପ ବୋଲି କହିଛି ପ୍ରସାର ଭାରତୀ । ପ୍ରସାର ଭାରତୀ କହିଛି, ଏହାଦ୍ୱାରା କିଛି ନିୟମର ଉଲ୍ଲଙ୍ଘନ କରାଯାଇନାହିଁ । ଏହାକୁ ନେଇ ଦେଶରେ ଏବେ ନୂଆ ବିତର୍କ ସୃଷ୍ଟି ହୋଇଛି । ସାଂପ୍ରଦାୟିକତାବାଦ ବନାମ ଧର୍ମନିରପେକ୍ଷତାବାଦକୁ ନେଇ ନୂଆ ତର୍ଜମା ଆରମ୍ଭ ହୋଇଛି ।