କୋରାପୁଟ ବୋରିଗୁମ୍ମା ଅଂଚଳରେ ପାହାଡ ଧସିବା ଘଟଣା: ୨୪ ଘଂଟା ବିତିଗଲାଣି ହେଲେ ଉଦ୍ଧାର ହୋଇପାରିଲେନି ଜେସିବି ଅପରେଟର୍

62

କନକ ବ୍ୟୁରୋ: ପଥର ତଳେ ୨୪ ଘଂଟାର ଜୀବନ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ରାଣିଗଡ଼ ଥାନା ଅଂଚଳ ପାହାଡ ଧସିବା ଘଟଣାରେ ପଥର ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ଗୁରବାରଦିନ ତେଲେଙ୍ଗିରି ପ୍ରକଳ୍ପ ବା ରାଣିଗଡ ଡ୍ୟାମର କେନାଲ କାମ ଚାଲିଥିବା ବେଳେ ଘଟଥିଲା ଏଭଳିି ଅଘଟଣ । ପଥର ବାହାର କରୁଥିବା ବେଳେ ହଠାତ୍ ପାହାଡ଼ ଧସିଯାଇଥିଲା । ଫଳରେ ୨ ଭୋଲବୋ ମେସିନର ଅପରେଟର ସମେତ ୫ଜଣ ପଥର ତଳେ ଦବିଯାଇଥିବା ସୂଚନା ମିଳିଛି । ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପୋଲିସ ଓ ଓଡ୍ରାଫ ଟିମ ସହ ଅଗ୍ନିଶମ ବିଭାଗର ଟିମ ପହଂଚିି ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛନ୍ତି । କାଲି ସକାଳୁ ଉଦ୍ଧାର କାମ ଚାଲିଥିଲା । ରାତିରେ ଅନ୍ଧାର ଯୋଗୁଁ ଉଦ୍ଧାର କାମ ବନ୍ଦ ରହିଥିଲେ ବି ଆଜି ସକାଳୁ ଏହା ପୁଣି ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ, ଏହି ଘଟଣା ପରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସିଛି। ପଥର ଧସିବା ସମୟରେ ଜଣେ ଜେସିବି ଅପରେଟର ମୋବାଇଲରେ ଗୀତ ଶୁଣୁଥିଲେ। ତେଣୁ ପଥର ଖସିବା ସଂପର୍କରେ କିଛି ଜାଣିପାରି ନଥିଲେ। ତାଙ୍କୁ ଡାକିବାକୁ ଯାଇ ଅନ୍ୟ ଜଣେ ଜେସିବି ଅପରେଟର ପଥର ତଳେ ଫସିଯାଇଥିଲେ। ତେବେ ଘଟଣାକୁ ୨୪ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିବା ବେଳେ ପଥରକୁ ହଟାଇ ଚାପି ହୋଇ ରହିଥିବା ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ନାହିଁ। ବିଭିନ୍ନ କାରଣରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେବାରେ ଲାଗିଥିବାରୁ ନାନା ଆଶଙ୍କା ପ୍ରକାଶ ପାଇଛି।

ଗତକାଲିଠାରୁ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ୍ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜେସିବି ଲଗାଇ ପଥର ଗୁଡିକୁ ହଟାଇଥିଲେ। କ୍ରେନ ସାହଯ୍ୟରେ ପଥର ଗୁଡିକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିସ୍ଫୋରଣ ପରେ ବି ପାହାଡ଼ ଚଟାଣରେ ଲାଗି ରହିଥିବା କିଛି ପଥର ପୁଣି ଖସିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ଶହ ଶହ ଟନ୍ ଓଜନ ବିଶିଷ୍ଟ ପଥରକୁ ହଟାଇବା ପାଇଁ ଦିନ ତମାମ ପରିଶ୍ରମ ପରେ ବି ବିଶେଷ ସଫଳତା ମିଳିନାହିଁ। ମୃତ ଜେସିବି ଅପରେଟରଙ୍କ ମଧ୍ୟରୁ ଦୁଇ ଜଣ କଟକ ଜିଲ୍ଲା ଆଠଗଡର ସଞ୍ଜୟ ଦାଶ (୩୦) ଓ ଦେବଗଡର ଘନଶ୍ୟାମ ଗୁରୁ (୨୭)ବୋଲି ଜଣାପଡ଼ିଥିବାବେଳେ ଅନ୍ୟମାନଙ୍କ ସମ୍ପର୍କରେ ଠିକା ସଂସ୍ଥା କିଛି କହିନାହିଁ।