ଖାଇବାର ତୁରନ୍ତ ପରେ ଦାନ୍ତ ଘଷନ୍ତୁ ନାହିଁ ! କ୍ଷତିକାରକ ସାବ୍ୟସ୍ତ ହୋଇପାରେ

30

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଭାବନ୍ତି ଖାଇବା ପରେ ପରେ ଦାନ୍ତ ଘଷିବା ଭଲ । ଆଉ ଏଥିପାଇଁ ଦିନରେ ଏକାଧିକ ଥର ଦାନ୍ତ ଘଷନ୍ତି । ଖାଇ ସାରିବା ମାତ୍ରକେ ଦାନ୍ତ ନ ଘଷିଲେ ସେମାନଙ୍କୁ ଭଲ ଲାଗେନାହିଁ । ଚକଲେଟ୍‌, ମିଠା, ମୃଦୁ ପାନୀୟ ଆଦି ଖାଇଲେ-ପିଇଲେ ସଙ୍ଗେସଙ୍ଗେ ଦାନ୍ତ ଘଷନ୍ତି । ତେବେ, ଏହା କ୍ଷତିକାରକ ବୋଲି କହନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ‘ଆକାଡେମି ଅଫ୍ ଜେନେରାଲ୍ ଡେଣ୍ଟିଷ୍ଟ୍ରି’ର ସଭାପତି ଡ. ହାଓ୍ଵାଡ୍ର୍ ଗାମ୍ବଲ୍ । ଅମ୍ଳାଂଶ ଅଧିକ ଥିବା ଖାଦ୍ୟ ବା ପାନୀୟ ଗ୍ରହଣ କରିବା ପରେ ପରେ ଦାନ୍ତ ଘଷିବା ଦ୍ଵାରା କୌଣସି ଲାଭ ହେବା ବଦଳରେ କ୍ଷତି ହିଁ ହୋଇଥାଏ ।

ଅମ୍ଳଯୁକ୍ତ ଖାଦ୍ୟ ବା ପାନୀୟ ଗ୍ରହଣ କରିବା ପରେ, ସେଥିରେ ଥିବା ଅମ୍ଳାଂଶ ଦନ୍ତବଳ୍କ ବା ଏନାମେଲ୍ ଓ ଦନ୍ତମଜ୍ଜା ବା ଡେଣ୍ଟାଇନ୍ରେ ଲାଖିରହି ଜାରଣ ଆରମ୍ଭ କରେ । ଆଉ ଆଉ ଦାନ୍ତର ଚାରିପାଖେ ଏହି ସମୟରେ ଦାନ୍ତ ଘଷିଲେ, ଜାରଣ ପ୍ରକ୍ରିୟା ତ୍ଵରାନ୍ଵିତ ହୁଏ । ଭିତରେ ଅମ୍ଳ ଶୀଘ୍ର ଶୀଘ୍ର ପଶି ଗଭୀରକୁ ଯାଏ । ତେଣୁ, ଦିନରେ ବାରମ୍ବାର ଦାନ୍ତ ଘଷିବା ଅନୁଚିତ । ଭୋଜନର ଏକ ଘଣ୍ଟା ପରେ ଦାନ୍ତ ଘଷିବା ଉଚିତ୍ । ନ ହେଲେ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।