ରାତ୍ରିଭୋଜନରେ ବେଶି ଖାଦ୍ୟ ଗ୍ରହଣ କରିବା ଅନୁଚିତ୍ ! ନଚେତ୍ ହୋଇ ପାରେ ଏସବୁ ସମସ୍ୟା

111

ସ୍ୱାସ୍ଥ୍ୟ ହିଁ ସଂପଦ । ତେଣୁ କେବେ କଣ ଆଉ କେମିତି ଖାଉଛନ୍ତି ତାହା ବିଷୟରେ ସଚେତନ ହେବା ଅତ୍ୟନ୍ତ ଜରୁରୀ । କାରଣ ଏସବୁର ପ୍ରଭାବ ବହୁମାତ୍ରାରେ ଆପଣଙ୍କ ଶରୀର ଉପରେ ପଡିଥାଏ । ସେଥିପାଇଁ ଜଳଖିଆ, ଦ୍ୱିପ୍ରହର ଖାଦ୍ୟ ଓ ରାତ୍ରି ଭୋଜନ ଭିନ୍ନ ଭିନ୍ନ ମାତ୍ରାରେ ଗ୍ରହଣ କରାଯାଇଥାଏ । ସାଧାରଣତଃ ରାତ୍ରଭୋଜନ ହାଲ୍‌କା ଓ ସାଦା ହୋଇଥାଏ । ଏବେ ଜାଣନ୍ତୁ ଏହାର କାରଣ  ।

ହାର୍ଟ ବର୍ଣ୍ଣ : ରାତିରେ ବେଶି ଖାଇଲେ ତାହା ପାଚନ କ୍ରିୟାରେ ସହାୟକ ଏସିଡ ସହିତ ମିଶି ବୋ ଯାଏଁ ପହଞ୍ଚିଯାଏ । ଏହି କାରଣରୁ ଛାତିରେ ଜ୍ୱଳନ ହୋଇଥାଏ, ଯାହାକୁ ହାର୍ଟବର୍ଣ୍ଣ ବୋଲି କୁହାଯାଏ ।

ଅନିଦ୍ରା : ଯେଉଁମାନେ ପ୍ରଚୁର ଖାଦ୍ୟ ଖାଇ ରାତିରେ ଶୁଅନ୍ତି, ସେମାନଙ୍କୁ ଅନିଦ୍ରା ବା ସୁନିଦ୍ରା ନ ହେବା ଭଳି ସମସ୍ୟା ଦେଖାଯାଇଥାଏ ।

ମଧୁମେହ : ରାତ୍ରିଭୋଜନ ପରେ କୌଣସି କାମ ନ କରି ଆପଣ ଶୋଇବାକୁ ଗଲେ, ବ୍ଲଡ୍‌ସୁଗାର ସ୍ତର ପରିବର୍ତ୍ତିତ ହୋଇଥାଏ । ଏଭଳି ପରିସ୍ଥିତିରେ ଟାଇପ୍‌-୨ ମଧୁମେହର ଆଶଙ୍କା ଉପୁଜିଥାଏ ।

ବଦହଜମୀ : ଏଭଳି ବଦଭ୍ୟାସ ଯୋଗୁଁ ବଦହଜମର ଶିକାର ହୋଇପାରନ୍ତି । କାରଣ ରାତ୍ରିରେ ସାଧାରଣତଃ ଖାଦ୍ୟ ହଜମ ପ୍ରକ୍ରିୟା ମନ୍ଥର ହୋଇଥାଏ ।

ହୃଦ୍‌ଘାତ : ବଦହଜମ ହେତୁ ଆପଣଙ୍କ ଶରୀରରେ ରକ୍ତଚାପ ଓ କୋଲେଷ୍ଟ୍ରଲ୍‌ ଉପରେ ଏହା କୁପ୍ରଭାବ ପକାଇଥାଏ । ପରିଣାମତଃ ଏହା ଫଳରେ ହୃଦ୍‌ଘାତ ଭଳି କଷ୍ଟ ବି ଭୋଗି ପାରନ୍ତି ।

ଏଣୁ ରାତିରେ ୮ଟା ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଉଚିତ ଏବଂ ଖାଇବା ପରେ ସଙ୍ଗେ ଶୋଇବା ଅନୁଚିତ ।

ଏହା ସହ ଯଦି ଆପଣଙ୍କ ରାତ୍ରଭୋଜନରେ ଯଦି କିଛି ପୋଷକ ଖାଦ୍ୟ ସାମିଲ ହୋଇଯାଏ, ତେବେ ଏହାର ସୁଫଳ ନିଶ୍ଚୟ ଆପଣ ପାଇବେ ।  ଜାଣନ୍ତୁ କେଉଁ ପାଞ୍ଚଟି ଜିନିଷ ରାତ୍ରଭୋଜନରେ ସାମିଲ ହେବା ନିହାତି ଆବଶ୍ୟକ :

ସବୁଜ ପରିବା ଏବଂ ଶାଗ : ସାଧାରଣତଃ ଓଡିଆ ଘରେ ରାତିରେ ଶାଗ ଖାଇବା ନିଷେଧ  । ମାତ୍ର ସବୁଜ ପରିବା ଓ ଶାଗରେ ଫାଇବରର ମାତ୍ରା ବହୁତ ଅଧିକ ଥାଏ । ଏଥିପାଇଁ ରାତ୍ରି ଭୋଜନରେ ଏସବୁକୁ ସାମିଲ କଲେ ବହୁମାତ୍ରାରେ ଲାଭ ମିଳିଥାଏ ।

କ୍ଷୀର : ରାତିରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକାରକ । ଶୋଇବା ସମୟରେ ସାମାନ୍ୟ ନଖଉଷୁମ କ୍ଷୀର ପିଇଲେ ଭଲ ନିଦ ଆସେ । ଯଦି ଲୋ ଫ୍ୟାଟ୍‌ କ୍ଷୀର ପିଇବେ ତାହା ଆହୁରି ଫଳପ୍ରଦ ହେବ ।

ଅଦା : ସେହିପରି ଅଦା କେବଳ ମସଲା ଜାତୀୟ ଖାଦ୍ୟ ନୁହେଁ । ଅନେକ ଔଷଧୀୟ ଗୁଣର ଗନ୍ତାଘର ହେଉଛି ଅଦା । ଅଦା ଆଚାର, ସାଲାଡ ତଥା ଅଦାକୁ ଯେ କୌଣସି ରୂପରେ ରାତ୍ରିଭୋଜନରେ ସାମିଲ କରନ୍ତୁ । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ  ।

ଦହି ଚହ୍ଲା : କୁହନ୍ତି ରାତିରେ ଦହି ଖାଇବା କଥା ନୁହେଁ । ମାତ୍ର ଦହିକୁ ଆପଣ ଚହ୍ଲା କରି ତଥା ସାଲାଡ କିମ୍ବା ଲସିରେ ବ୍ୟବହାର କରି ଖାଇପାରିବେ । ଏହାଦ୍ୱାରା ଆପଣଙ୍କ ପେଟ ଥଣ୍ଡା ହେବା ସହ ହଜମ ପ୍ରକ୍ରିୟା ସକ୍ରିୟ ହେବ ।

ମହୁ : ରାତିରେ ଚିନି ଖାଇବାଠୁ ଦୂରେଇ ରୁହନ୍ତୁ । ଯଦି ଆପଣ ମିଠା କ୍ଷୀର ପିଇବାକୁ ପସନ୍ଦ କରନ୍ତି ତେବେ ଚିନି ବଦଳରେ ମହୁ ପ୍ରୟୋଗ କରନ୍ତୁ । ମହୁ ଭିତରେ ଅନେକ ଲାଭଦାୟକ ଗୁଣ ଥିବାରୁ ଏହାର ବ୍ୟବହାର ଫଳରେ ଶରୀର ସୁସ୍ଥ ରହିବ ।