ହ୍ୱାଇଟ ହାଉସରୁ ଇରାନକୁ ଚେତାବନୀ: ଟ୍ରମ୍ପ କହିଲେ ମୁଁ ରାଷ୍ଟ୍ରପତି ଥିବା ଯାଏଁ ଇରାନକୁ ମିଳିବନି ପରମାଣୁ ଅସ୍ତ୍ର । ଦେଖୁଥିବା ସ୍ୱପ୍ନ ଭୁଲିଯାଉ ଇରାନ

722

କନକ ବ୍ୟୁରୋ: ଇରାନକୁ ମିଳିବନି ପରମାଣୁ କ୍ଷମତା । ପରମାଣୁ ରାଷ୍ଟ୍ର ହେବାକୁ ଇରାନକୁ ଦିଆଯିବନି । ପରମାଣୁ ଅସ୍ତ୍ର ତିଆରି କରିବାକୁ ଇରାନ ଯେଉଁ ସ୍ୱପ୍ନ ଦେଖିଛି ସେ ସ୍ୱପ୍ନକୁ ମୁଁ ସତ କରିବାକୁ ଦେବିନି । ଆମେରିକାରେ ମୁଁ ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତୁ ଇରାନକୁ ପରମାଣୁ କ୍ଷମତା ମିଳିବନି । ତେଣୁ ଇରାନ ପରମାଣୁ ଅସ୍ତ୍ର ସହ ପରମାଣୁ ରାଷ୍ଟ୍ର ହେବାର ସ୍ୱପ୍ନ ଦେଖିବା ଭୁଲି ଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ସିଧାସିଧା ଇରାନ ଉପରେ ଆକ୍ରମଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ତେବେ ଆତଙ୍କବାଦକୁ ଇରାନ ଉସୁକାଉଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ଇରାନର ପତନ ସମୟ ଆସିଗଲାଣି ବୋଲି ହ୍ୱାଇଟ ହାଉସରୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଆଉ ଯଦି ଇରାନ ନସୁଧୁରେ ତେବେ ତାକୁ ଏକଘରିକିଆ କରିବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।

ତେବେ ଇରାନର ମିଜାଇଲ ମାଡ ପରେ ପ୍ରତିକ୍ରିୟା ରଖିଛନ୍ତି ଟ୍ରମ୍ପ । ପ୍ରେସମିଟ କରି ସ୍ପଷ୍ଟୀକରଣ ସହ ଆମେରିକାର ପରବର୍ତ୍ତୀ ପଦକ୍ଷେପ କହିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନର ମିଜାଇଲ ଆକ୍ରମଣରେ କୌଣସି ଆମେରିକୀୟ ମରିନାହାନ୍ତି । ଖାଲି ଆମେରିକା ଏୟାରବେସରେ ସାମାନ୍ୟ କ୍ଷତି ହୋଇଛି । ମାତ୍ର କୌଣସି ନାଗରୀକଙ୍କ କ୍ଷତି ହୋଇନି ବୋଲି ସ୍ପଷ୍ଟ କଲେ ଟ୍ରମ୍ପ । ତେବେ ଏଥିପାଇଁ ଆମେରିକାର ସୈନ୍ୟଙ୍କୁ ସଲାମ କଲେ ଟ୍ରମ୍ପ ।

ସାମ୍ବାଦିକ ସମ୍ମିଳନୀରେ ସୁଲେମାନୀ ହତ୍ୟାର କାରଣ କହିଲେ ଟ୍ରମ୍ପ । କାହିଁକି ସୁଲେମାନୀକୁ ହତ୍ୟା କରିବାକୁ ପଡିଲା ବୋଲି ପୂରା କାହାଣୀ ବଖାଣିଲେ ଟ୍ରମ୍ପ । ସୁଲେମାନୀ କେବଳ ଆମେରିକା ପାଇଁ ନୁହେଁ ବରଂ ସାରା ବିଶ୍ୱ ପାଇଁ ବିପଦ ଥିଲା । ତେକୁ ବହୁ ଆଗରୁ ମାରିବାର ଥିଲା ମାତ୍ର ଗତ ସପ୍ତାହରେ ସୁଲେମାନୀ ଭଳି ଜଣେ ଆତଙ୍କବାଦୀକୁ ଆମେ ନିହତ କରିଥିଲୁ । ତେଣୁ ଆତଙ୍କବାଦ ରୋକିବାକୁ ଆମେରିକା ସେନା ଓ ଅର୍ଥନୈତିକ କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ କହିଲେ ଟ୍ରମ୍ପ ।

ତେବେ ସମ୍ବୋଧନ ବେଳେ ସଂଯମତା ରକ୍ଷା କଲେ ଟ୍ରମ୍ପ । ଇରାନ ଉପରେ ଏତେ ଆକ୍ରୋଶମୂଳକ ନହୋଇ ସଂଯମତାରେ କଥା କହିଲେ ଟ୍ରମ୍ପ । ଆମ ପାଖରେ ଯୁଦ୍ଧ କରିବା ପାଇଁ ସବୁଠାରୁ ଶକ୍ତିଶାଳୀ ସେନା ଅଛି । ମାତ୍ର ଆମେ ଯୁଦ୍ଧ ଚାହୁଁନା, ଶାନ୍ତି ଚାହୁଁ କହିଲେ ଟ୍ରମ୍ପ । ତେବେ ଇରାନର ଆକ୍ରମଣ ପରେ ଟ୍ରମ୍ପ ପ୍ରେସମିଟରେ ବଡ ଘୋଷଣା କରିପାରନ୍ତି ବୋଲି ସମସ୍ତେ ଚାହିଁଥିଲେ । ମାତ୍ର ଟ୍ରମ୍ପ ଶାନ୍ତିର ଆହ୍ୱାନ ଦେଇଛନ୍ତି ।