ମୋଦିଙ୍କୁ ମନା କରିଦେଲେ ଟ୍ରମ୍ପ । ସାଧାରଣତନ୍ତ୍ର ଦିବସରେ ଆସିବେନି ଭାରତ, ହେବେନି ଅତିଥି ।

145

କନକ ବ୍ୟୁରୋ: ମୋଦିଙ୍କ ଆତିଥ୍ୟକୁ ନା କରିଦେଲେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ । ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ନିମନ୍ତେ ଭାରତ ଦେଇଥିବା ନିମନ୍ତ୍ରଣକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି । ତେବେ ସବୁଠାରୁ ଚିନ୍ତାର ବିଷୟ ହେଲା ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନ ଥିବା ବେଳେ ଏ ଭଳି ଖବର ସାମ୍ନାକୁ ଆସିଛି। ଯଦି ଭାରତ ରୁଷ୍ ସହ ଏସ୍-୪୦୦ ମିସାଇଲ୍ ସିଷ୍ଟମ କ୍ରୟ କରିବାକୁ ରାଜିନାମାରେ ସ୍ୱାକ୍ଷର କରେ ତେବେ କଟକଣା ଲାଗୁ କରିବ ବୋଲି ନିକଟରେ ସତର୍କ କରାଇଥିଲା ଆମେରିକା । କିନ୍ତୁ ଏ ମାସ ପ୍ରାରମ୍ଭରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସେ ଭଳି ୫ଟି ମିସାଇଲ୍ ଖରିଦ କରିବାକୁ ଭାରତ ଚୁକ୍ତି ସ୍ୱାକ୍ଷର କରିଛି । ଯାହାକି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହଜମ ହୋଇ ନାହିଁ ବୋଲି ମତପ୍ରକାଶ ପାଇଛି।

କେବଳ ଏତିକି ନୁହେଁ ଏହାଛଡ଼ା ଭାରତ ଯଦି ଇରାନ୍ରୁ ତେଲ ଖରିଦ କରିବା ଚାଲୁ ରଖେ ତେବେ ମଧ୍ୟ ଭାରତ ପ୍ରତି କଟକଣା ଲାଗୁ କରାଯିବ ବୋଲି ଟ୍ରମ୍ପ୍ ପ୍ରଶାସନ ଧମକ ଦେଇଥିଲା । କିନ୍ତୁ, ଭାରତ ଇରାନରୁ ତେଲ ଖରିଦ କରିବା ଚାଲୁ ରଖିଛି । ନିମନ୍ତ୍ରଣ ଅଗ୍ରାହ୍ୟ କରିବାର କାରଣ ଦର୍ଶାଇବାକୁ ଯାଇ ଟ୍ରମ୍ପ ପ୍ରଶାସନ କହିଛି କି, ଭାରତର ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଅନ୍ୟାନ୍ୟ ବହୁ ଜରୁରୀ କାର୍ଯ୍ୟକ୍ରମ ରହିଛି । ସେ ସମୟରେ ଟ୍ରମ୍ପ ‘ଷ୍ଟେଟ୍ ଅଫ୍ ଦି ୟୁନିୟନ୍’ ଠାରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।

modi-trumpକିନ୍ତୁ, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ଆସିଥିବା ବେଳେ ‘ଷ୍ଟେଟ୍ ଅଫ୍ ଦି ୟୁନିୟନ୍’ ଠାରେ ତାଙ୍କର ଭାଷଣ ପ୍ରଦାନ ତାରିଖ ସ୍ଥଗିତ ରଖାଯାଇଥିଲା । ଭାଷଣ ପ୍ରଦାନର ତାରିଖ ନିର୍ଦ୍ଧାରଣ କରାଯାଇ ନ ଥିଲେ ବି ତାହା ଜାନୁଆରି ୨୨ ରୁ ଫେବ୍ରୁଆରି ପ୍ରଥମ ସପ୍ତାହ ମଧ୍ୟରେ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି । ତେବେ ଭାରତର ଏଭଳି ଆତିଥ୍ୟ ନିମନ୍ତ୍ରଣକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ ନିଶ୍ଚିତ ଭାବେ ଆଗାମୀ ଦିନରେ ଭାରତ ଏବଂ ଆମେରିକାର ସମ୍ପର୍କରେ ପ୍ରଭାବ ପକାଇପାରେ ବୋଲି ମତପ୍ରକାଶ ପାଇଛି ।